ନୂଆଦିଲ୍ଲୀ, ୦୩/୦୩: ଇରାନ୍ ବିରୋଧରେ ଆମେରିକା ଇସ୍ରାଏଲ୍ର ମିଳିତ ସାମରିକ ଅପରେସନ୍ ଏବଂ ତେହରାନ୍ର ଜବାବୀ କାର୍ଯ୍ୟାନୁଷ୍ଠାନ ଯୋଗୁ ଅଶାନ୍ତ ହୋଇପଡ଼ିଛି ପଶ୍ଚିମ ଏସିଆ । ଫଳରେ ସେଠାରେ ରହୁଥିବା ପ୍ରାୟ ୧ କୋଟି ଭାରତୀୟ ଏବେ ବିପଦରେ । ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । କ୍ଷେପଣାସ୍ତ୍ର ମାଡ଼ ପରେ ଉଠୁଥିବା ଧୂଆଁ ଓ ବଙ୍କର ମଧ୍ୟକୁ ଯିବାକୁ ମିଳୁଥିବା ନିର୍ଦ୍ଦେଶ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ମାତୃଭୂମି ଛାଡ଼ିଥିବା ଏହି ଭାରତୀୟମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ବିଦେଶ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଉପସାଗରୀୟ ଦେଶଗୁଡିକରେ ଲକ୍ଷ ଲକ୍ଷ ଭାରତୀୟ ରହୁଛନ୍ତି । ୟୁଏଇରେ ପ୍ରାୟ ୩୫ ଲକ୍ଷ, ସାଉଦି ଆରବରେ ୨୭ ଲକ୍ଷ, କୁଏତରେ ୧୦ ଲକ୍ଷ, କାତାରରେ ୮ ଲକ୍ଷ, ଓମାନ୍ରେ ୬ ଲକ୍ଷ ୬୦ ହଜାର, ବାହାରିନ୍ରେ ୩ ଲକ୍ଷ ୫୦ ହଜାର ଭାରତୀୟ ରହୁଛନ୍ତି । ଜୋର୍ଡାନ, ଇରାକ୍, ଇସ୍ରାଏଲ୍ ଭଳି ଦେଶରେ ମଧ୍ୟ ସ୍ପଳ୍ପ ସଂଖ୍ୟାରେ ଭାରତୀୟ ବସବାସ କରୁଛନ୍ତି । ୟୁଏଇର ଜନସଂଖ୍ୟାର ପ୍ରାୟ ୩୫ ପ୍ରତିଶତ ହେଉଛନ୍ତି ଭାରତୀୟ । ଉପସାଗରୀୟ ଦେଶରେ ଏହି ଭାରତୀୟମାନେ ମୁଖ୍ୟତଃ ନିର୍ମାଣ ଓ ମରାମତି କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । କିଛି ଭାରତୀୟ ସ୍ୱାସ୍ଥ୍ୟସେବା, ଆର୍ଥିକ ସେବା କ୍ଷେତ୍ର ଏବଂ ଆଇଟି ପ୍ରଫେସନାଲ ଭାବେ ମଧ୍ୟ କାମ କରୁଛନ୍ତି । ଏହି ସବୁ ଦେଶରୁ ପ୍ରବାସୀମାନେ ବେଶ୍ ମୋଟାଅଙ୍କର ଅର୍ଥ ଭାରତକୁ ପଠାଇଥାନ୍ତି ।
ଆହୁରି ପଢ଼ନ୍ତୁ...ଯୁଦ୍ଧ ମଧ୍ୟରେ ଫସି ରହିଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର , ସ୍ୱତନ୍ତ୍ର ବିମାନର ବନ୍ଦୋବସ୍ତ କଲା ୟୁଏଇ
୨୦୨୩-୨୪ରେ ପ୍ରବାସୀମାନେ ଭାରତକୁ ମୋଟ ଯେତିକି ଅର୍ଥ ପଠାଇଥିଲେ ତାର ପ୍ରାୟ ୧୯ ପ୍ରତିଶତ ୟୁଏଇରୁ ଆସିଥିଲା । ଏଭଳି ସ୍ଥିତିରେ ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧ ନେଇ ସୋମବାର ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାନ୍ତି ପାଇଁ ସମସ୍ତ ପକ୍ଷକୁ ସେ ନିବେଦନ କରିଛନ୍ତି । ମୋଦି କହିଛନ୍ତି, ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଆମ ଲାଗି ଚିନ୍ତାଜନକ । ଭାରତ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନକୁ ସମର୍ଥନ କରେ । ସମସ୍ତ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏହି କ୍ଷେତ୍ରର ଦେଶଙ୍କ ସହ ମିଶି କାମ କରିବା ଆମେ ଜାରି ରଖିବୁ । ବିଦେଶ ମନ୍ତ୍ରଣାଳୟ ମଧ୍ୟ ସମସ୍ତ ପକ୍ଷକୁ ସଂଯମ ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । ଅନ୍ୟପଟେ ଏହି ସବୁ ଦେଶରେ ଥିବା ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ସହ ଯୋଗାଯୋଗରେ ରହିଛି । ସେମାନଙ୍କ ଲାଗି ସୁରକ୍ଷା ପରାମର୍ଶ ଜାରି କରିଛି ।