ଭୁବନେଶ୍ୱର, ୧୮/୧୧: ହୃଦୟକୁ ଚୁନା ଚୁନା କାହିଁକି କଲୁ? ଏତେ ଲୁହ ତୁ କାହିଁକି ଦେଲୁ? ଠକି ଦେଲୁ... ତୁ ଠକି ଦେଲୁ... । ଅତିପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କୁ ସାରା ଓଡ଼ିଶା ଆଜି ଏମିତି ଝୁରୁଛି । ସମସ୍ତେ ଅପେକ୍ଷା କରିଥିଲେ, ହ୍ୟୁମାନ୍ ଉଠିବେ । ପୁଣି ଗୀତ ପରଷିବେ । କିନ୍ତୁ... । ମାତ୍ର ୩୫ ବର୍ଷ ବୟସ । ଦୁନିଆକୁ ଅଲ୍ବିଦା କହିଛନ୍ତି ସ୍ୱରର ସାଗର ହ୍ୟୁମାନ୍ ସାଗର । ଆଉ ଶୁଭିବନି ଏହି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସୁରିଲା ସ୍ୱର ।
ପ୍ରଥମେ ତରଙ୍ଗ ଟିଭିରେ ୨୦୧୨ରେ ପ୍ରସାରିତ ‘ଭଏସ୍ ଅଫ୍ ଓଡ଼ିଶା ସିଜନ୍-୨’ର ସେ ବିଜେତା ହୋଇଥିଲେ । ଏହାସହ ଓଡ଼ିଶା ସଙ୍ଗୀତ ଯୁଗରେ ଏକ ନୂଆ ଉଜ୍ୱଳ ତାରକାଙ୍କ ଜନ୍ମ ହୁଏ- “ହ୍ୟୁମାନ୍ ସାଗର” । ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଓ ଆଲବମ୍ ଗୀତ ଗାଇ ସେ ଲୋକପ୍ରିୟତାର ଶିଖର ଛୁଇଁ ଚାଲନ୍ତି । ଯାହାଙ୍କୁ ଛୁଇଁବା ତ ଦୂରର କଥା, ପାଖ ପହଞ୍ଚିବା ଅନ୍ୟ କଣ୍ଠଶିଳ୍ପୀଙ୍କ ପାଇଁ ଥିଲା ଅପହଞ୍ଚ । ଏମିତି ସମୟ ଆସିଲା, ବିନା ହ୍ୟୁମାନରେ ମେଲୋଡ଼ି ମଞ୍ଚ ଦୁଲୁକୁ ନଥିଲା । ରଜ ହେଉ ଦଶହରା, ବର୍ଷା କି ଖରା, ବର୍ଷକ ବାରମାସ ଓଡ଼ିଆ ସଙ୍ଗୀତ ଦୁନିଆରେ ଶୁଭୁଥିଲା କେବଳ ହ୍ୟୁମାନଙ୍କ ହିଟ୍ ଗୀତ । ନିଜ ଯାଦୁଗରୀ କଣ୍ଠରେ ସେ ଅସଂଖ୍ୟ ସଙ୍ଗୀତ ପ୍ରେମୀଙ୍କ ହୃଦୟ ଜିଣିଥିଲେ । ଅନେକ ଭଙ୍ଗା ହୃଦୟକୁ ଯୋଡ଼ିଥିଲେ ।
ପୂଜା ହେଉ କି ପାର୍ବଣ, ପ୍ରତି ସମୟରେ ଖୋଜା ପଡ଼ନ୍ତି ହ୍ୟୁମାନ୍ । ଗଣେଶ ପୂଜାରୁ ନେଇ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ, ବିଭିନ୍ନ ସ୍ଥାନରେ ଆୟୋଜିତ ମେଲୋଡି ଓ ଷ୍ଟେଜ୍ ଶୋ’ରେ ହ୍ୟୁମାନ୍ଙ୍କ ଜାଦୁଗରୀ ସ୍ୱର ଶୁଣିବାକୁ ମିଳେ । ତାଙ୍କୁ ଦେଖିବାକୁ ପ୍ରଶଂସକ ପାଗଳ ହୋଇପଡ଼ନ୍ତି । ଓଡ଼ିଶା ସଙ୍ଗୀତ ଜଗତରେ ସେ ସର୍ବାଧିକ ଲୋକପ୍ରିୟ ଓ ପାରିଶ୍ରମିକ ନେଉଥିବା ସବୁଠୁ ନାମୀଦାମୀ କଳାକାର ହେଇଥିବାରୁ ତାଙ୍କୁ ଷ୍ଟେଜ୍କୁ ଆଣିବା ବି କାଠିକର ପାଠ । ଚଳିତ ବର୍ଷ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟ ଜିଲ୍ଲାରେ ଆୟୋଜିତ ମେଲୋଡିରେ ହ୍ୟୁମାନ୍ ନଜର ଆସିଥିଲେ । ହେଲେ ଆଉ ସେ ନଜର ଆସିବେନି । କିନ୍ତୁ ପାର୍ବଣ ଆସିଲେ ଭାରି ମନେପଡ଼ିବେ ।