ଭୁବନେଶ୍ୱର, ୧୪/୧୨: ଓଡ଼ିଆ ଚଳଚ୍ଚିତ୍ର ‘ନବକଳେବର’ ୬ଟି ଦେଶ (ଯୁଏସ୍ଏ, କାନାଡ଼ା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ ଏବଂ ଭାରତର ବିଭିନ୍ନ ସ୍ଥାନ) ଏବଂ ୪ଟି ମହାଦେଶ (ଉତ୍ତର ଆମେରିକା, ଏସିଆ, ଆଫ୍ରିକା ଓ ୟୁରୋପ) ଜୁରି ଯାତ୍ରା କରି ଏପର୍ଯ୍ୟନ୍ତ ପ୍ରାୟ ୧୩ଟି ସହରରେ ଦର୍ଶକମାନଙ୍କ ପାଖରେ ପହଞ୍ଚିଛି । ଆସନ୍ତା ଦୁଇ ମାସ ମଧ୍ୟରେ ୧୦ରୁ ୧୨ଟି ଅଧିକ ଦେଶରେ ପ୍ରଦର୍ଶନୀ ପାଇଁ ଯୋଜନା ରହିଛି ।

ଫେବୃଆରୀ ମାସରେ ହିନ୍ଦୀ ସଂସ୍କରଣ ମୁକ୍ତିଲାଭ କରିବ । ଫିଲ୍ମ ପାଇଁ ଭାବବିହ୍ୱଳ ଦର୍ଶକ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ମାର୍ଗଦର୍ଶନ, ପ୍ରଯୋଜିକା ଓ ନିର୍ଦ୍ଦେଶିକା ବିନି ସାମଲଙ୍କୁ ପ୍ରଶଂସା କରିବା ସହ ମହାପ୍ରଭୁଙ୍କ ଉପରେ ଆଧାରିତ ଏଭଳି ଏକ ସିନେମା ଲାଗି ପୂରା ଟିମ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସଫଳତାର ଶ୍ରେୟ ବାଣ୍ଟିବାକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜିକାଙ୍କ ସହ ଅଭିନେତା ଜ୍ୟୋତି ନାୟକ, ଉତ୍ତର ଆମେରିକାରୁ ସଞ୍ଜୟ ଦଳାଇ, ଦକ୍ଷିଣ ଆଫ୍ରିକାରୁ ସଞ୍ଜିତ ନାୟକ, ଭୁବନେଶ୍ୱରରୁ ଚିତ୍ତ ଦେବତା ଏବଂ ଚଳଚ୍ଚିତ୍ରର ପିଆର୍ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ । ପ୍ରଯୋଜନା ସଂସ୍ଥା ଚଳଚ୍ଚିତ୍ର ପ୍ରତି ଓଡ଼ିଶାର ସମଗ୍ର ଜନସାଧାରଣ ଓ ବିଦେଶରେ ଥିବା ଓଡ଼ିଆମାନଙ୍କୁ ଭଲପାଇବା ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲା ।