ଭୁବନେଶ୍ୱର,୧୯/୧୨: ପରିବାର ଛାଡ଼ି ଅନେକ ବାହାରକୁ ଆସନ୍ତି, କିଏ ପାଠ ପଢ଼ିବା ଲକ୍ଷ୍ୟରେ କିଏ ଚାକିରି କରିବା ଉଦ୍ଦେଶ୍ୟରେ । ମାତ୍ର ଅନେକ ସମୟରେ ଆମ ଜୀବନର ପ୍ରକୃତ ଲକ୍ଷ୍ୟକୁ ପଛରେ ଛାଡ଼ି ସମୟ, ପରିସ୍ଥିତି ସହ ଆମେ ଭିନ୍ନ ମୋଡ଼ରେ ପାଦ ଦେଇଥାଉ । ଖୁବ୍‌ଶୀଘ୍ର ପ୍ରେକ୍ଷାଳୟକୁ ଆସୁଥିବା ‘ଚକ୍ରାନ୍ତ’ ଚଳଚ୍ଚିତ୍ରରେ ମଧ୍ୟ ଏଭଳି କିଛି କାହାଣୀକୁ ଦେଖିବାକୁ ମିଳିବ । କୁସଙ୍ଗରେ ପଡ଼ି କିଭଳି ଜୀବନର ମୋଡ଼ ବଦଳିଛି ଓ ସାଙ୍ଗର ଅପରାଧ, ଚକ୍ରାନ୍ତରେ ପଡ଼ି ଛନ୍ଦି ହୋଇପଡ଼ିଛି ତାହା ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ରହିଛି । ଘର ଲୋକ ଭାବୁଛନ୍ତି ଝିଅ ହଷ୍ଟେଲ୍‌ରେ ରହି ପାଠ ପଢୁଛି, କିନ୍ତୁ ଝିଅଟି ପ୍ରେମ ପାଇଁ ଆତ୍ମହତ୍ୟା କରି ଦେଉଛି । ପୁଅଟିର ବାପା ନିଜ ପୁଅକୁ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରୁଥିଲା ବେଳେ ପୁଅଟି କେମିତି କୁସଙ୍ଗରେ ପଡ଼ି ଚକ୍ରାନ୍ତରେ ଫସିଯାଉଛି । ଏଭଳି ସମ୍ବେଦନଶୀଳ ବିଷୟ ବସ୍ତୁକୁ ନେଇ ଆସନ୍ତା ନୂଆବର୍ଷ ଉପଲକ୍ଷେ ଜାନୁଆରୀ ମାସରେ ମୁକ୍ତିଲାଭ କରିବାକୁ ଯାଉଛି ‘ଚକ୍ରାନ୍ତ’ ।

ରହସ୍ୟ ଓ ରୋମାନ୍ସରେ ଭରା ଏଇ ଫିଲ୍ମଟି ହେଉଛି ଗୋଟିଏ ସମ୍ପୂର୍ଣ୍ଣ ଏଣ୍ଟରଟେନ୍‌ମେଣ୍ଟ ପ୍ୟାକେଜ୍ । ଯେଉଁଥିରେ ଭରପୂର କମେଡି ରହିଛି । ବିଶେଷ କରି ଏହି କାହଣୀ ସବୁ ବର୍ଗର ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିପାରିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛନ୍ତି । ଲକ୍ଷେଶ୍ୱର ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଭୂମିକାଙ୍କ ସହିତ ନାୟକ ଶୁଭାଶିଷ ଶର୍ମା ଓରଫ୍ ମଣ୍ଟୁ ଅଭିନୟ କରିଛନ୍ତି । ‘ଚକ୍ରାନ୍ତ’ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର କାନେ୍ଧଇଛନ୍ତି ପିନୁ ନାୟକ । କାହାଣୀ ରଚନା ଦିଶା ପାଢ଼ୀ କରିଥିବା ବେଳେ ସଂଳାପ ଲେଖିଛନ୍ତି ଜିତେନ୍ଦ୍ର କୁମାର ବରାଳ । ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ସୁରଭି, ସୌମ୍ୟ ଶତପଥୀ, ଶୁଭମ୍ ପାଢ଼ୀ, ସୁମନ ମହାନ୍ତି ପ୍ରମୁଖଙ୍କ ସହ ଅତିଥି କଳାକାର ଭାବେ ଅଶ୍ରୁମୋଚନ ମହାନ୍ତି ଅଭିନୟ କରିଛନ୍ତି ।