ଭୁବନେଶ୍ୱର, ୨୦/୦୫: ଆସନ୍ତା ୨୨ ତାରିଖରେ ପ୍ରେକ୍ଷାଳୟକୁ ‘ମେମସାହାବ’ଙ୍କ ଆଗମନ ହେଉଛି । ଆସାମର ଚା’ ବଗିଚା ମଧ୍ୟରେ ପୁରୁଣା ଉପନିବେଶୀ ବଙ୍ଗଳାକୁ କେନ୍ଦ୍ରକରି ନିର୍ମାଣ ହୋଇଛି ଏହି ସିନେମା । ଏହା ମନସ୍ତାତ୍ତ୍ୱିକ ହତ୍ୟା ରହସ୍ୟଭିତ୍ତିକ ଚଳଚ୍ଚିତ୍ର । କାହାଣୀରେ ଫଟୋଗ୍ରାଫର ନିଖିଲ ଫଟୋଗ୍ରାଫି ପାଇଁ ବଙ୍ଗଳାକୁ ଆସିଛନ୍ତି । ସେଠି ପୂର୍ବତନ ଖ୍ୟାତନାମା ମଡେଲ୍ ସୋଫିଙ୍କ ସହ ପରିଚୟ ହୋଇଛି । ସୋଫି ପ୍ରଭାବଶାଳୀ ତଥା ଚା’ ବଗିଚା ମାଲିକ ସ୍ୱାମୀ ଅବିନାଶଙ୍କ ଡରରେ ନିରଳସ ଜୀବନ ବିତାଉଛନ୍ତି । ହେଲେ ନିଖିଲ ଫଟୋଗ୍ରାଫି ମାଧ୍ୟମରେ ସୋଫିଆଙ୍କୁ ପୂର୍ବ ପରିଚୟ ଫେରାଇ ଆଣିବାରେ ପ୍ରୟାସ କରନ୍ତି । ଦୁହିଁଙ୍କ ମଧ୍ୟରେ ଗଢ଼ିଉଠିଛି ଅପେକ୍ଷାତୀତ ଭାବନାତ୍ମକ ସମ୍ପର୍କ । ସବୁକିଛି ଠିକ୍ ଚାଲିଥିଲା ବେଳେ ହଠାତ୍ ଦୁର୍ଘଟଣା ଘଟିଛି । ଯାହା କାହାଣୀର ମୂଳ ରହସ୍ୟ । ଜଣେ ବରିଷ୍ଠ ଅଧିକାରୀ ଏହାର ତଦନ୍ତ କରନ୍ତି ।
ଅଧିକ ପଢ଼ନ୍ତୁ :- ବକ୍ସ ଅଫିସ୍ରେ ଧମାକା କଲା ଓଡ଼ିଆ ଫିଲ୍ମ "ମନ୍ତ୍ରମୁଗ୍ଧ', ୧୫ ଦିନରେ ୩ କୋଟିର କଲେକ୍ସନ୍
କଥାବସ୍ତୁଟି ଜଣେ ଫଟୋଗ୍ରାଫାର, ଧନୀ ଚା’ ବେପାରୀ ଏବଂ ବଙ୍ଗଳାର ଚାରିକାନ୍ଥ ଭିତରେ ଚୁପ୍ଚାପ୍ ଜୀବନ ବିତାଉଥିବା ପ୍ରତିଷ୍ଠିତ ମଡେଲ୍ଙ୍କୁ ନେଇ ଗତିଶୀଳ ହୋଇଛି । ଫିଲ୍ମର ସୁଟିଂ ଆସାମା, ଦାର୍ଜିଲିଂ ଓ ଓଡ଼ିଶାରେ ହୋଇଛି । ବିଭିନ୍ନ ଭୂମିକାରେ ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରିୟା ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ସମ୍ଭବ ମାନସିଂହ, ସତ୍ୟ ପ୍ରକାଶ ଜେନା, ଭାଓଲିନା ବାରୁଆ, ଦୀପନ ଦା, ବିଶ୍ୱଭୂଷଣ ପ୍ରମୁଖ ଅଭିନୟ କରିଛନ୍ତି । ଧୂନ୍ ମ୍ୟୁଜିକାଲ୍ ପ୍ରସ୍ତୁତ ସିନେମାସ୍କୋପ୍ ସଲ୍ୟୁସନ୍ସ ଓ ଓମ୍ ଗ୍ରାଫିକ୍ସ ଏଣ୍ଟରଟେନ୍ମେଣ୍ଟ ସହଯୋଗରେ ନିର୍ମିତ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱଭୂଷଣ ମହାପାତ୍ର ଏବଂ କାଳୀପ୍ରସାଦ ମିଶ୍ର । ପ୍ରଯୋଜନାରେ କାଳୀ ଏବଂ ଡିଓପିରେ ବିଶ୍ୱ ଭୂଷଣ ରହିଛନ୍ତି । ସହ ପ୍ରଯୋଜନା ଅନୀଲ ଯାଦବ, କାହାଣୀ, ପଟ୍ଟକଥା ଓ ସଂଳାପ ଅମିତ କୁମାର ଦାଶ, ସମ୍ପାଦନା ରଶ୍ମି ରଞ୍ଜନ ଦାଶ, ବିଶ୍ୱ ରଞ୍ଜନ ସୁବୁଦ୍ଧି, ଛାୟା ଗ୍ରହଣ କେ. ସୁନିଲ ଏବଂ ମନୋଜ ପାତ୍ର, ସଙ୍ଗୀତ ଅଭିଜିତ ତ୍ରିପାଠୀ, ସାଉଣ୍ଡ୍, ବିଜିଏମ୍ ବନି ମହାନ୍ତି ଦେଇଛନ୍ତି । ଫିଲ୍ମର ଟ୍ରେଲର୍ ଓ ପୋଷ୍ଟର୍ ରିଲିଜ୍ ହୋଇଥିବା ବେଳେ ପ୍ରଚାର, ପ୍ରସାରରେ କଳାକାରମାନେ ଲାଗିପଡ଼ିଛନ୍ତି ।