ଭୁବନେଶ୍ୱର, ୨୪/୦୫: ଭାରତୀୟ  ଜାତୀୟ ବିଜ୍ଞାନ ଏକାଡେମୀ ଦ୍ୱାରା ପ୍ରକାଶିତ  କମିକ୍‌ ପୁସ୍ତକ ‘ହର୍‌ ଷ୍ଟୋରୀ’ରେ ଓଡ଼ିଶାର  ବୈଜ୍ଞାନିକ ଡ.ସ୍ୱାତୀ ନାୟକଙ୍କୁ ସ୍ଥାନିତ  କରାଯାଇଛି । ଏହି କମିକ୍‌ ପୁସ୍ତକରେ  ବିଭିନ୍ନ କ୍ଷେତ୍ରରେ ଭାରତର ଶ୍ରେଷ୍ଠ  ୧୦ଜଣ ମହିଳା ବୈଜ୍ଞାନକଙ୍କୁ ସ୍ଥାନ ମିଳିଛି ।  ଡ.ସ୍ୱାତୀ ନାୟକ ଏଥିରେ କୃଷିକୁ ପ୍ରତିନିଧିତ୍ୱ  କରିଛନ୍ତି । ଯିଏ ବିଜ୍ଞାନ ମାଧ୍ୟମରେ ବିଶ୍ୱକୁ  ପରିବର୍ତ୍ତନ କରିଛନ୍ତି ସେହିଭଳି ୧୦ ମହିଳାଙ୍କୁ ନେଇ ପୁସ୍ତକ ଲେଖାଯାଇଛି ।  

ଡକ୍ଟର ସ୍ୱାତୀ ଅନ୍ତର୍ଜାତୀୟ ଧାନ ଗବେଷଣା  ପ୍ରତିଷ୍ଠାନ(ଆଇଆରଆରଆଇ)ର ଜଣେ  ପ୍ରଶଂସିତ ବୈଜ୍ଞାନିକ । ବର୍ତ୍ତମାନ ଦକ୍ଷିଣ  ଏସିଆର ସିଡ୍‌ ଆଣ୍ଡ ପ୍ରଡକ୍ଟ ମ୍ୟାନେଜମେଣ୍ଟ  ମୁଖ୍ୟ ଏବଂ ସିଜିଆଇଆର ସାଇନ୍ସ ପ୍ରୋଗ୍ରାମ  ଅଧୀନରେ ସିଡ ଡେଲିଭରିର ଗ୍ଲୋବାଲ  କୋଡିନେଟର୍‌ ଭାବରେ କାର୍ଯ୍ୟ କରୁଛନ୍ତି ।  କୃଷି କ୍ଷେତ୍ରରେ କିଭଳି ଫସଲରେ  ଜନେଟିକ୍‌ ଲାଭ ପ୍ରଦାନ କରି ପ୍ରଜନନକୁ  ବୃଦ୍ଧି କରାଯାଇ ପାରିବ ତା ଉପରେ  କାର୍ଯ୍ୟ କରୁଛନ୍ତି । 

ବୈଜ୍ଞାନିକ ଡ.ସ୍ୱାତୀଙ୍କୁ  ୨୦୨୩ରେ ବିଶ୍ୱ ଖାଦ୍ୟ ପୁରସ୍କାର  ଫାଉଣ୍ଡେସନ୍‌ରୁ ନର୍ମାନ ବାରଲାଗ୍‌ ପୁରସ୍କାର  ମିଳିଥିଲା । ଡ. ସ୍ୱାତୀ ୧୫ବର୍ଷରୁ ଅଧିକ  ହେବ ଗ୍ରାମୀଣ ନବସୃଜନ ମଡେଲ, ସ୍ଥାୟୀ  ଏବଂ ଜଳବାୟୁ ସ୍ମାର୍ଟ କୃଷିର ସ୍କେଲିଂ  ଏବଂ ଗ୍ରହଣ, ନୋବେଲ ଜର୍ମପ୍ଲାଜମ୍‌ସ  ଏବଂ ଗୁଣାତ୍ମକ ବିହନ ଉପରେ  ଗବେଷଣା କରୁଛନ୍ତି । ଡ.ସ୍ୱାତୀ ଏନ୍‌ଡି  ଟିଭି ଇଣ୍ଡିଆ ଦ୍ୱାରା ୨୦୨୪ କ୍ଲାଇମେଟ୍‌  ଚାମ୍ପିଅନ ପୁରସ୍କାର ପ୍ରାପ୍ତ । ସେ ୧୦  ହଜାରରୁ ଅଧିକ ଫାର୍ମ ପରୀକ୍ଷଣ  ଆୟୋଜନ କରିଛନ୍ତି । ୨୦ରୁ ଅଧିକ  ଉଚ୍ଚ ଅମଳକ୍ଷମ ଜଳବାୟୁ ପ୍ରତିରୋଧୀ  ଜୈବ-ସୁରକ୍ଷିତ କିସମର ପ୍ରସାରକୁ  ପ୍ରୋତ୍ସାହିତ କରିଛନ୍ତି ।