ଭାରତୀୟ ନୌସେନାରେ ଟ୍ରେନିଂ ପରେ ପରେ ଆମ ବ୍ୟାଚର ପ୍ରାୟ ୨୦୦ ନୌସୈନିକଙ୍କୁ ନେଇ ଗୋଟିଏ "ଜହ୍ନରାତି ପିକ୍ନିକ' (ମୁନ୍ ନାଇଟ୍ ପିକ୍ନିକ୍) ଆୟୋଜନ କରାଯାଇଥିଲା । ଜନମାନସଠାରୁ ବହୁ ଦୂର ଏକ ନିକାଞ୍ଚନ ସମୁଦ୍ରକୂଳରେ ଡ୍ରମବିଟ୍ ଓ ଢେଉର ତାଳେ ତାଳେ ପୂରା ରାତି ମଉଜମସ୍ତି ଚାଲିଥିଲା । ଭାରତର ପ୍ରତି ରାଜ୍ୟର ପିଲା ଏକତ୍ରିତ ହୋଇଥିଲେ ସେଦିନ । ଅଫିସର୍ ଅଫ୍ ଦି ନାଇଟ୍ ଘୋଷଣା କଲେ ଯେ, ନିଜ ଭାଷାରେ ଯିଏ ଯେମିତି ସଙ୍ଗୀତ ଜାଣିଛି ବୋଲନ୍ତୁ । ମାଲୟାଳି, ତାମିଲ, ପଞ୍ଜାବୀ, ତେଲୁଗୁ, ଭୋଜପୁରୀ ଓ ବଙ୍ଗାଳୀ ଭାଷାର ସୁନ୍ଦର ଗାନା ଆରମ୍ଭ ହୋଇଯାଇଥିଲା । ଓଡ଼ିଆଙ୍କ ପାଳି ପଡ଼ିଲାବେଳକୁ ଆମେ ଜଣେ ଭଲ ଗୀତ ଗାଉଥିବା ବାଲେଶ୍ୱରର ନୌସୈନିକକୁ ଛାଡିଲୁ ଏବଂ ତାକୁ ଘେରି ଆମେ ତାଳ ଦେଲୁ । ସେ ଆରମ୍ଭ କଲା "ହେ ରଙ୍ଗବତୀ ରେ ରଙ୍ଗବତୀ, ରଙ୍ଗବତୀ ରଙ୍ଗବତୀ କନକ ଲତା ହସି ପଦେ କହଲୋ କଥା' । ତା’ପର ବାତାବରଣ ସମ୍ପୂର୍ଣ୍ଣ ଅଲଗା ହୋଇଗଲା, "ୱାନ୍ସ ମୋର୍, ୱାନ୍ସ ମୋର୍'ରେ ସମୁଦ୍ରକୂଳ କମ୍ପୁଥିଲା । କେବଳ ସେଦିନ ନୁହେଁ, ବର୍ଷ ବର୍ଷ ଧରି ସବୁ ଭାଷାଭାଷୀ ପିଲା ଗୁଣୁଗୁଣେଇବାକୁ ଲାଗିଲେ "ରଙ୍ଗବତୀ...’!
ଆମ ଓଡ଼ିଆଙ୍କୁ ଦେଖିଦେଲେ ତାଙ୍କ ମୁହଁରେ ହସ ଫୁଟିବା ସହିତ ବାହାରିଆସେ ରଙ୍ଗବତୀର ଗୁଣୁଗୁନାହଟ୍ । ଆମ ଓଡ଼ିଆ କଳା ସଂସ୍କୃତିକୁ ନେଇ କେତେ ଯେ ଆମ ଭଳି ଯୁବକ ସେଦିନ ଛାତିଫୁଲେଇ ଚାଲିଥିବେ ଅନୁମାନ କରନ୍ତୁ! ନିକଟରେ ଜଣେ ଆମେରିକାର ବାସିନ୍ଦା ତେଲୁଗୁ ବନ୍ଧୁଙ୍କ ପୁଅର ସେଠାରେ ବାହାଘର ହେଉଥିବାର ବିଭିନ୍ନ ଫଟୋ ସବୁ ଦେଖିଲି । ଆମେରିକାରେ ଥାଇ ମଧ୍ୟ ସମ୍ପୂର୍ଣ୍ଣ ତେଲୁଗୁ ପରମ୍ପରାରେ ବାହାଘର କରି ଗର୍ବ ସହକାରେ କିଛି ଫଟୋ ଫେସବୁକ୍ରେ ପୋଷ୍ଟ କରିଥିଲେ । ପାଛିଆରେ କିଛି ଫୁଲ ଥୁଆ ହୋଇଥିବା, ଗୋଟିଏ ପଥରେ ନିର୍ମିତ ଶିଳରେ ହଳଦୀ ବଟା ହେଉଥିବା, ଗୋଟିଏ ପେସା(ଷ୍ଟୋନ ଗ୍ରାଇଣ୍ଡର)ରେ ଜାଈ ରଗଡ଼ା, ରଙ୍ଗରଙ୍ଗିଆ ମୁରୁଜ ଇତ୍ୟାଦି ଏମିତି ଘର ଭିତରର ପାରିପାର୍ଶ୍ଵିକ ଦୃଶ୍ୟର ଫଟୋ ଦେଖି ଭାରି ଆନନ୍ଦ ଲାଗୁଥିଲା, ସତେଯେମିତି ଆମ ପଡ଼ୋଶୀ ଘର! କିନ୍ତୁ ସମୟ ବଦଳିବା ସହିତ ଗଣମାଧ୍ୟମର ପ୍ରଭାବ ଯଥା- ଟିଭି ସିରିଏଲ୍, ବଲିଉଡ୍ ଫିଲ୍ମ ଏବଂ ଇଣ୍ଟରନେଟ୍ରେ ଅନ୍ୟ ରାଜ୍ୟ ତଥା ପାଶ୍ଚାତ୍ୟ ସଂସ୍କୃତିରେ ଆକର୍ଷଣୀୟ ହୋଇ ‘ଆଧୁନିକ' ବିବାହଶୈଳୀ ଆପଣେଇ ସାରିଲେଣି ଆମର ଅନେକ ଓଡ଼ିଆ ।
ବିଶେଷକରି ଓଡ଼ିଆ ଯୁବପିଢ଼ି ଏହି ନୂତନ ପଦ୍ଧତିଗୁଡ଼ିକୁ ଅଧିକ ଫ୍ୟାଶନେବଲ୍ ଏବଂ ଆଧୁନିକତାର ପ୍ରତୀକ ଭାବରେ ଗ୍ରହଣ କରୁଛନ୍ତି । ଫଳରେ ନିର୍ବନ୍ଧ ବଦଳରେ ‘ରିଙ୍ଗ୍ ସେରିମନୀ, କେକ୍ କଟା' ସ୍ଥାନ ନେଇଗଲା । ସ୍ୱୀକାର, ବରଧରା, ମଙ୍ଗୁଳିହେବା ବା ମଙ୍ଗଳପାଗ ଶବ୍ଦ ସବୁ ଦୂରେଇ ଗଲାଣି । କିନ୍ତୁ ‘ପ୍ରି-ୱେଡିଂ ଫଟୋଶୁଟ୍, ହଳଦୀ ଓ ମେହେନ୍ଦୀ, ସଙ୍ଗୀତ, ରସମ ଏବଂ ଡେଷ୍ଟିନେସନ୍ ୱେଡିଂ’ ଭଳି କାର୍ଯ୍ୟକ୍ରମ ଆଦି ପ୍ରଚଳନ ବଢ଼ିବାରେ ଲାଗିଛି । ପୂର୍ବରୁ ବର ଓ କନ୍ୟା ସରଳ ଓଡ଼ିଆ ପାରମ୍ପରିକ ପୋଷାକ ଯଥା: ନାଲି/ହଳଦିଆ ଶାଢ଼ି, ଧୋତି ପିନ୍ଧୁଥିଲେ । ଏବେ ତାହା ମୁଖ୍ୟତଃ ‘ଲେହେଙ୍ଗା, ଶେରୱାନୀ ଓ ଗାଉନ୍'ରେ ପରିଣତ ହେଉଛି, ଯାହା ଓଡ଼ିଆ ସଂସ୍କୃତିର ପ୍ରତିନିଧିତ୍ୱ କରେନାହିଁ । ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବର୍ତ୍ତେ ମଲ୍ଟି-କୁଇଜିନ୍ ବଫେ ସିଷ୍ଟମ୍ ଏବଂ ଆଧୁନିକ ଡିଜାଇନରେ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଘରକାନ୍ଥରେ ଚିତା ଆଉ ଦିଶୁନି, ବାହୁନା ଗୀତ ମଧ୍ୟ କାନକୁ ଶୁଭୁନି । ବେଦିରୁ ବାପ ନଉଠୁଣୁ ବର-କନ୍ୟା ବେଦିରୁ ଡେଇଁପଡ଼ି ଫଟୋ ଶୁଟ୍ରେ ମାତିଗଲେଣି! ସାଂସ୍କୃତିକ ଅନୁକରଣ ସର୍ବଦା ଖରାପ ନୁହେଁ । କିନ୍ତୁ ଯେତେବେଳେ ଏହା ନିଜର ମୂଳ ପରମ୍ପରାକୁ ସମ୍ପୂର୍ଣ୍ଣ ରୂପେ ଭୁଲାଇଦିଏ, ସେତେବେଳେ ସମାଜ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିପାରେ । ନିଜର ମୂଳ ପରମ୍ପରାକୁ ବଜାୟ ରଖି ଆଧୁନିକତାକୁ ଗ୍ରହଣ କରାଯାଇପାରେ ।
ଯଦି ଆମ ଓଡ଼ିଆଙ୍କ ପାଇଁ ସାଂସ୍କୃତିକ ଅନୁକରଣ ଏତେ ସ୍ୱାଗତଯୋଗ୍ୟ ହୋଇପାରୁଛି, ତେବେ ବହୁତ ନିରିଖେଇ ଦେଖିଲା ପରେ ମଧ୍ୟ ଗୋଟିଏ ବି ମୋ ପରମ୍ପରାର ଗନ୍ଧ, ଚିହ୍ନବର୍ଣ୍ଣ ଆମ ପଡ଼ୋଶୀ ରାଜ୍ୟ ବଙ୍ଗାଳୀ, ତେଲୁଗୁ, ତାମିଲ, ମାଳୟାଳିମାନଙ୍କ ବିଭାଘରରେ କାହିଁ ଦେଖିବାକୁ ପାଉନୁ? ତା'ର ମାନେ କ’ଣ ମୋ ପରମ୍ପରା ଏତେ ନିକୃଷ୍ଟ ଯେ ମୋତେ ଆଧୁନିକ ହେବାକୁ ଅନ୍ୟ ପରମ୍ପରା ଆପଣେଇବାକୁ ବାଧ୍ୟହେବା? ସବୁଠାରୁ ବଡ଼ ପ୍ରଭାବ ହେଉଛି ଓଡ଼ିଆ ପରମ୍ପରାର ମୂଳ ଭିତ୍ତିଭୂମି ହଜିଯାଉଛି । ବାହାଘର ରୀତିଗୁଡ଼ିକର ଐତିହାସିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଓଡ଼ିଆ ପରମ୍ପରାରେ ବାହାଘର କେବଳ ଦୁଇଟି ଆତ୍ମାର ମିଳନ ନୁହେଁ, ବରଂ ଦୁଇ ପରିବାର ଓ ଦୁଇ ଗୋଷ୍ଠୀର ସାଂସ୍କୃତିକ ଆଦାନ-ପ୍ରଦାନର ଏକ ମହାନ୍ ପର୍ବ । ହେଲେ, ଆଜିର ପାଶ୍ଚାତ୍ୟକରଣ ଯୁଗରେ ଓଡ଼ିଆ ବାହାଘରର ପୁରାତନ ଚିତ୍ର ବଦଳିବାରେ ଲାଗିଛି । ଓଡ଼ିଆମାନେ ଅନ୍ୟ ରାଜ୍ୟ, ବିଶେଷକରି ଉତ୍ତର ଭାରତୀୟ ତଥା ପାଶ୍ଚାତ୍ୟ ସଭ୍ୟତାର ପ୍ରଥାଗୁଡ଼ିକୁ ଅନୁକରଣ କରି ନିଜର ମୌଳିକ ପରମ୍ପରାକୁ ପରିବର୍ତ୍ତନ କରିବାରେ ଲାଗିଛନ୍ତି, ଯାହାର ପ୍ରଭାବ ସମାଜରେ ସ୍ପଷ୍ଟଭାବରେ ଦେଖାଯାଉଛି । ଓଡ଼ିଆ ଜାତିର ସଂସ୍କୃତି ଓ ପରମ୍ପରା କେବଳ ଅତୀତର ଅଳଙ୍କାର ନୁହେଁ, ବରଂ ଏହା ବର୍ତ୍ତମାନର ମାର୍ଗଦର୍ଶକ ଏବଂ ଭବିଷ୍ୟତର ପ୍ରେରଣା । ଯେତେବେଳେ ଜଗତୀକରଣ ସମସ୍ତ ସ୍ଥାନୀୟ ସଂସ୍କୃତିକୁ ଏକାକାର କରିଦେବାକୁ ଚାହୁଁଛି, ସେତେବେଳେ ନିଜସ୍ୱ ପରିଚୟକୁ ବଞ୍ଚାଇ ରଖିବାର ଆବଶ୍ୟକତା ବହୁଗୁଣିତ ହୋଇଯାଇଛି । ପ୍ରତ୍ୟେକ ଓଡ଼ିଆଙ୍କର କର୍ତ୍ତବ୍ୟ ହେଉଛି ନିଜ ଐତିହ୍ୟ ଉପରେ ଗର୍ବ କରିବା, ଓଡ଼ିଆ ଭାଷାକୁ ପ୍ରତିଦିନ ବ୍ୟବହାର କରିବା ଏବଂ ପର୍ବପର୍ବାଣିକୁ ଆନ୍ତରିକତାର ସହିତ ପାଳନ କରିବା । ଏହାଦ୍ୱାରା ଓଡ଼ିଆ ଜାତିର ସାଂସ୍କୃତିକ ଜୀବନୀଶକ୍ତି ଅକ୍ଷୁଣ୍ଣ ରହିବ ଏବଂ ଆଗାମୀ ଶତାବ୍ଦୀରେ ଓଡ଼ିଶା ବିଶ୍ୱ ଦରବାରରେ ଏକ ଗୌରବଶାଳୀ ଓ ସମୃଦ୍ଧ ଜାତି ଭାବରେ ମୁଣ୍ଡଟେକି ଠିଆ ହୋଇପାରିବ । ସଂସ୍କୃତି ହିଁ ଆମକୁ ବାନ୍ଧିରଖିଛି, ଆଉ ଏହାର ସୁରକ୍ଷା ହିଁ ଆମର ପ୍ରଧାନ ଆବଶ୍ୟକତା ।
ଦକ୍ଷିଣ ଭାରତୀୟମାନେ ଭାବନ୍ତି ସେମାନଙ୍କର ପରମ୍ପରା ଏକ "ଉତ୍କୃଷ୍ଟ, ସ୍ୱତନ୍ତ୍ର ଏବଂ ପ୍ରାଚୀନ ସଂସ୍କୃତି' । ତେଣୁ ଅନ୍ୟ ରାଜ୍ୟର ପରମ୍ପରାକୁ ଅନୁକରଣ କରିବାକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ଦ୍ରାବିଡ଼ ସଂସ୍କୃତିର ଇତିହାସ ହଜାର ହଜାର ବର୍ଷ ପୁରୁଣା ଏବଂ ଏହାର ସାହିତ୍ୟ ପରମ୍ପରା ମଧ୍ୟ ଅତି ପ୍ରାଚୀନ । ଏହି ଦୃଢ଼ ମୂଳଦୁଆ ସେମାନଙ୍କୁ ନିଜ ପରମ୍ପରା ପ୍ରତି ଅଧିକ ଆସକ୍ତ କରେ । ସେମାନେ ମୁଖ୍ୟତଃ ନିଜର ପାରମ୍ପରିକ ପୋଷାକ, ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଏବଂ ଖାଦ୍ୟଶୈଳୀ ପ୍ରତି ଅଧିକ ପ୍ରାଧାନ୍ୟ ଦିଅନ୍ତି । ଏହି ସାଂସ୍କୃତିକ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ ଓ ବିଶ୍ୱସ୍ତରୀୟ ମାନ୍ୟତା ଲାଭ କରିଛି, ଯାହା ସେମାନଙ୍କୁ ଗର୍ବିତ କରେ । ସେହିପରି ବଙ୍ଗାଳୀମାନେ ନିଶ୍ଚିତ ଭାବରେ ସେମାନଙ୍କର ପାରମ୍ପରିକ ବିବାହ ରୀତିନୀତି ଏବଂ ସଂସ୍କୃତି ନେଇ ଗର୍ବିତ । ସେମାନଙ୍କର ନିଜସ୍ୱ ସ୍ୱତନ୍ତ୍ର ପରମ୍ପରା, ରୀତିନୀତି ଏବଂ ବିଶେଷତା ରହିଛି, ଯାହା କେବେ ସେମାନଙ୍କୁ ଆଧୁନିକ ହେବାରେ ପ୍ରତିବନ୍ଧକ ସୃଷ୍ଟି କରିପାରିନାହିଁ? ପ୍ରଶ୍ନ ଉଠୁଛି, ଯଦି ମୋ ପରମ୍ପରାକୁ ଅନ୍ୟ କୌଣସି ଜାତି ଅନୁକରଣ କରୁନାହିଁ, ତେବେ ଆମେ କାହିଁକି ଅନ୍ୟର ପରମ୍ପରା ଚୋରି କରି ନିଜକୁ ଗର୍ବ ମନେକରିବା? ଯେଉଁମାନେ ନିଜର ହୀନମନ୍ୟତା ପାଇଁ ନିଜ ସଂସ୍କୃତି ଓ ପରମ୍ପରାକୁ ନିକୃଷ୍ଟ ମନେକରନ୍ତି, କେବଳ ସେହିମାନେ ହିଁ ଅନ୍ୟର ପରମ୍ପରାକୁ ଆପଣେଇ ନିଜେ ନିଜେ ଫୁଲେଇ ହୁଅନ୍ତି ସିନା, ଦେଖଣାହାରୀ କିନ୍ତୁ ଦେଖିବାକୁ ବି ଲଜ୍ଜିତ ମନେକରନ୍ତି । ଦେଖାଯାଉଛି ଦୁଇଟି ଶ୍ରେଣୀର ଓଡ଼ିଆ ଏହି ତଥାକଥିତ ଆଧୁନିକ ବାହାଘର ପରମ୍ପରାକୁ ଆଦରି ନେଇଛନ୍ତି । ପ୍ରଥମ ଶ୍ରେଣୀର ଓଡ଼ିଆ, ଯାହାଙ୍କ ପାଖରେ ପ୍ରଚୁର ଧନ ସଞ୍ଚିତ ଅଛି ଏବଂ ସମାଜରେ ନିଜର ସାମାଜିକ ସ୍ଥିତି ପ୍ରଦର୍ଶନ କରିବାର ମାଧ୍ୟମ ଖୋଜୁଥାନ୍ତି, ସେମାନେ ଅନ୍ୟର ପରମ୍ପରାରୁ ବାଛି ବାଛି ଆଣି ନିଜ ପୁଅ ଝିଅଙ୍କ ବାହାଘରକୁ ଏକ ସ୍ୱତନ୍ତ୍ର ଉତ୍ସବର ପରିଚୟ ସୃଷ୍ଟି କରି ଖୁସି ଜାହିର କରନ୍ତି । ଦ୍ୱିତୀୟ ଶ୍ରେଣୀର ଓଡ଼ିଆ ହେଉଛନ୍ତି ଅତି ନିମ୍ନ ମାଧ୍ୟମିକ ପରିବାର, ଯାହାଙ୍କ ପିତାମାତାଙ୍କର କିଛି ରୋଜଗାର ନଥାଏ, ଜମିବାଡ଼ି ବିକ୍ରିକରି ବହୁତ କଷ୍ଟରେ ପିଲାଙ୍କୁ ପାଠ ପଢ଼ାଇଥାଆନ୍ତି ଏବଂ ଯେତେବେଳେ ସେହି ପୁଅ ବା ଝିଅ ଚାକିରି ଖଣ୍ଡେ କରିଥାନ୍ତି, ସେମାନେ ନିଜର ହୀନମନ୍ୟତା ଦୃଷ୍ଟିରୁ ହେଉ ବା ବିଗତ ଦିନର କଷ୍ଟରୁ ଟିକେ ଲାଘବ ପାଇଁ ହେଉ, ଋଣ କରି ଅନ୍ୟକୁ ଦେଖେଇହେବା ପାଇଁ ଏହି ମାଗିଆଣିବା ପରମ୍ପରା ପାଇଁ ଗର୍ବିତ ହୋଇଥାନ୍ତି ।
ରୋଜଗାରିଆ ପୁଅ ବା ଝିଅର ଇଚ୍ଛା ବିରୁଦ୍ଧରେ ପଦେ କହିବାକୁ ସାହସ ଜୁଟେଇବାକୁ ଅସମର୍ଥ ବାପା ବିଚରା ତା'ର ନିଜର ସ୍ୱାଭିମାନକୁ ସେହି "ରିଂ ସେରିମନୀ' ନାଚର ତାଳେ ତାଳେ ଝାସ ଦେଇଦିଏ ନିରବରେ! ଓଡ଼ିଆ ଜାତିର ସ୍ୱତନ୍ତ୍ର ପରିଚୟ ଏହାର ଅନନ୍ୟ ସଂସ୍କୃତି, ଜୀବନଶୈଳୀ ଏବଂ ପରମ୍ପରା ମଧ୍ୟରେ ନିହିତ । ସଂସ୍କୃତି ହେଉଛି ଏକ ଜାତିର ମେରୁଦଣ୍ଡ, ଯାହା ସେହି ଜାତିର ଚିନ୍ତାଧାରା, ମୂଲ୍ୟବୋଧ ଏବଂ ଜୀବନ ଦର୍ଶନକୁ ପ୍ରତିଫଳିତ କରିଥାଏ । ଆଧୁନିକତାର ଦୌଡ଼ରେ ଯେତେବେଳେ ସମଗ୍ର ବିଶ୍ୱ ଏକ ଗ୍ଲୋବାଲ ଗ୍ରାମରେ ପରିଣତ ହେଉଛି, ସେତେବେଳେ ଓଡ଼ିଆ ଜାତି ପାଇଁ ନିଜର ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଓ ପ୍ରସାର ଏକାନ୍ତ ଆବଶ୍ୟକ ହୋଇପଡ଼ିଛି । ଆଜିର ବୈଶ୍ୱିକ ଯୁଗରେ ଓଡ଼ିଆ ଜାତି ପାଇଁ ନିଜର ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଏକ ଜାତୀୟ ଆବଶ୍ୟକତା । ସଂସ୍କୃତି ହିଁ ଏକ ଜାତିକୁ ଅନ୍ୟ ଜାତିଠାରୁ ପୃଥକ କରିଥାଏ । ଯଦି ଓଡ଼ିଆ ନିଜ ଭାଷା, ପର୍ବପର୍ବାଣୀ ଓ ଚଳଣିକୁ ଭୁଲିଯାଏ, ତେବେ ଜାତିର ସ୍ୱତନ୍ତ୍ର ଅସ୍ମିତା ହଜିଯିବାର ଆଶଙ୍କା ରହିଛି । ସଂସ୍କୃତି ହେଉଛି ଆମର ପରିଚୟ ପତ୍ର ।