ପାରାଦୀପ,୧୩/୦୪: ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ୧୫ ଏପ୍ରିଲରୁ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଏନେଇ ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ବନ୍ଦର, ଷଣ୍ଢକୁଦରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି । ମାଛ ମାନଙ୍କ ଏହି ଅଣ୍ଡାଦାନ ଋତୁରେ ପାରାଦୀପ ସମେତ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ମାଛ ନ ଧରିବାକୁ ମତ୍ସ୍ୟ ନିର୍ଦ୍ଦେଶାଳୟ, ଓଡ଼ିଶା କଟକ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜଣାପଡିଛି ।
ଏହି କଟକଣା ସମୟରେ ଯନ୍ତ୍ର ଚଳିତ ଡଙ୍ଗା ଓ ଟ୍ରଲର ସମୁଦ୍ର ମଧ୍ୟରେ ମାଛ ଧରି ପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ ରୋକ୍ ଲଗା ଯାଇଛି । ଓଡ଼ିଶା ସାମୁଦ୍ରିକ ଫିସିଂ ରେଗୁଲେସନ୍ ଆକ୍ଟ ୧୯୮୨ ଅନୁଯାୟୀ ମାଛ ଧରିବାକୁ ନିଷେଧ କରାଯାଇଛି । ମାଛଙ୍କ ପ୍ରଜନନ ଋତୁରେ ସମୁଦ୍ରରେ ମାଛ ଅଣ୍ଡା ଓ ମାଛ ଜାଆଁଳ ନଷ୍ଟ ହେବା ଆଶଙ୍କାରେ ମାଛଧରାକୁ ଦୁଇ ମାସ ପାଇଁ ବନ୍ଦ ରଖିବାକୁ ମତ୍ସ୍ୟଜୀବୀ ମାନଙ୍କୁ କୁହାଯାଇଛି । ରାଜ୍ୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ଦ୍ୱାରା ପଞ୍ଜୀକୃତ ହୋଇଥିବା ସମସ୍ତ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲର୍କୁ ଏହି ସମୟ ମଧ୍ୟରେ ସମୁଦ୍ରରେ ମାଛ ଧରିବାକୁ ବାରଣ କରାଯାଇଛି । ପାରାଦୀପ ମାଛଧରା ବନ୍ଦର ଅଞ୍ଚଳରେ ୬୩୫ ଟ୍ରଲର ଓ ୧୫୨ ଯାନ୍ତ୍ରିକ ଡ଼ଙ୍ଗା ମାଛ ଅଣ୍ଡା ଓ ଜାଆଁଳ ନଷ୍ଟ ହେବା କାରଣରୁ ଏହି ସମୟ ମଧ୍ୟରେ ମାଛ ଧରି ପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ୱାରା ଜୀବିକା ନିର୍ବାହ କରୁଥିବା ପାରାଦୀପର ୫୦ ହଜାର ମତ୍ସ୍ୟଜୀବୀ ପ୍ରଭାବିତ ହେବେ । କିନ୍ତୁ ୮.୫ ମିଟର ଡଙ୍ଗାକୁ କେବଳ ସୀମିତ ଅଞ୍ଚଳରେ ମାଛ ଧରିବାକୁ ଅନୁମତି ଦିଆଯାଇଛି ।
ଅଧିକ ପଢ଼ନ୍ତୁ :-
ଉଭୟ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲର ଚଳାଚଳକୁ ବାରଣ କରାଯାଇ ସମୁଦ୍ରରେ ମାଛ ଓ ଜାଆଁଳ ସଂରକ୍ଷଣ ନିମନ୍ତେ ଓଡ଼ିଶା ଉପକୂଳଠାରୁ ସମୁଦ୍ର ମଧ୍ୟକୁ ୧୨ ନେଟିକାଲ୍ ମାଇଲ୍ ପର୍ଯ୍ୟନ୍ତ ମାଛ ଧରିବା ଉପରେ ଏହି କଟକଣା ଲାଗୁ କରାଯାଇଛି । ପ୍ରାୟ ୨୯୫ ପ୍ରଜାତିର ସାମୁଦ୍ରିକ ମାଛଙ୍କ ଅଣ୍ଡାଦାନକୁ ସୁନିଶ୍ଚିତ କରିବା ସହ ହ୍ରାସ ପାଉଥିବା ମାଛ ବଂଶକୁ ସଂରକ୍ଷଣ କରିବା ଏହି କଟକଣାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନା ମିଳିଛି । ତେବେ ଏହି କଟକଣାକୁ ମତ୍ସ୍ୟଜୀବୀମାନେ ସ୍ୱାଗତ କରିଛନ୍ତି । ସେମାନେ ଦୀର୍ଘ ଦୁଇ ମାସ ଧରି ମାଛଧରା ଛୁଟି ଭାବେ ଗ୍ରହଣ କରିଥିବା ମତ୍ସଜୀବୀ ପ୍ରଦେଶ ବେହେରା, ସୂର୍ଯ୍ୟକାନ୍ତ ବେହେରା, ରଘୁ ମଲ୍ଲିକ, ପ୍ରମୋଦ ବେହେରା ପ୍ରମୁଖ ପ୍ରମୁଖ କହିଛନ୍ତି । ଏହି ସମୟ ମଧ୍ୟରେ ସେମାନେ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗାର ମରାମତି କରିବା ସହ ମାଛ ଧରିବା ପାଇଁ ପ୍ରସ୍ତୁତ ହୋଇପାରିବେ ବୋଲି କହିଛନ୍ତି ।
ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସାଧାରଣ ସମ୍ପାଦକ ଅରବିନ୍ଦ ସ୍ୱାଇଁ କହିଛନ୍ତି ଏହି ସମୟରେ ଜୀବିକା ହରାଇ ପ୍ରଭାବିତ ହେଉଥିବା ମତ୍ସ୍ୟଜୀବୀଙ୍କୁ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବି କରାଯାଇଛି । କ୍ଷତିପୂରଣ ରାଶି ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଏସମ୍ପର୍କରେ ସହକାରୀ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ, ପାରାଦୀପ ମାଛଧରା ବନ୍ଦର ତପନ କୁମାର ମହାପାତ୍ରଙ୍କୁ ଜାଣିବା ପାଇଁ ପଚାରିବାରୁ ସେ ବୁଝି କହିବେ ବୋଲି କହିଛନ୍ତି ।