ଭୁବନେଶ୍ୱର, ୦୮/୦୧ : ବିଶ୍ୱକୁ ଓଡ଼ିଶା ଦେଖାଇବ ତାର ଅପାର ସମ୍ପଦ । ଅନୁପମ କଳା, ଭାସ୍କର୍ଯ୍ୟ,ଐତିହ୍ୟ ଓ ଆଧ୍ୟାତ୍ମିକ ଚେତନା । ଦେଶ ଓ ବିଦେଶର ଶିଳ୍ପପତି, ଯୁବ ଉଦ୍ୟୋଗୀ ଏ ସମ୍ଭାବନାର ମାଟିକୁ ପାଖରୁ ଦେଖିବେ । ଜମି, ଖଣିଜ ସମ୍ପଦ, ମାନବ ସମ୍ବଳ କିଛି ଅଭାବ ନାହିଁ । ଓଡ଼ିଶାରେ ନିବେଶ ହେଉଛି ଭବିଷ୍ୟତ ପାଇଁ ନିବେଶ । ଏ ଭରସା ଓ ବିଶ୍ୱାସ ନେଇ ଫେରିବେ ପ୍ରବାସୀ । ପ୍ରବାସୀ ଭାରତୀୟଙ୍କ ସହଯୋଗ କାମନା କରିବ ଓଡ଼ିଶା । ଆର୍ଥିକ, ବୈଷୟିକ ଏବଂ କୌଶଳ ସହଯୋଗ ମିଳିବ । ନିବେଶ ଆସିବ । ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର କରିବାକୁ ରାଜ୍ୟ କେଇ ପାଦ ଆଗକୁ ଚଢ଼ିବ । ଆମ ରାଜ୍ୟ ଭାରତର ବିକାଶ ଇଞ୍ଜିନ ପାଲଟିବ । ବିଶ୍ୱ ନକ୍ସାରେ ଚମକିବ ଓଡ଼ିଶା । ପ୍ରଥମ ଥର ପାଇଁ ଓଡ଼ିଶା ଭଳି ପୂର୍ବାଞ୍ଚଳ ରାଜ୍ୟରେ ଆୟୋଜିତ ହେଉଛି ଏଭଳି ଭବ୍ୟ ସମାରୋହ । ଓଡ଼ିଶା ଅପାର ସମ୍ଭାବନାର ଗନ୍ତାଘର । ଏ ମହୋତ୍ସବରେ ସାରା ବିଶ୍ୱରୁ ପ୍ରାୟ ୪ ହଜାର ଅତିଥି ଆସିଛନ୍ତି ଓଡ଼ିଶା । 

ବୁଧବାର ଏ ସମ୍ମିଳନୀର ପ୍ରଥମ ଦିନରେ ଓଡ଼ିଶା ସଂପର୍କିତ ଆଲୋଚନା ଓ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । ପ୍ରବାସରେ ରହୁଥିବା ଭାରତୀୟମାନଙ୍କ ସହ ଓଡ଼ିଶାରେ ନିବେଶ ସମ୍ଭାବନା ନେଇ ଏକ ଅଧିବେଶନ ଆୟୋଜିତ ହେବ । ବୈଦେଶିକ ମନ୍ତ୍ରୀ ଡ.ଏସ୍‌ ଜୟଶଙ୍କର ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିବେ । ବାଣିଜ୍ୟ ଓ ନିବେଶ ସହ ସଂପୃକ୍ତ ପ୍ରବାସୀଙ୍କୁ ଆକର୍ଷିତ କରିବାକୁ ରାଜ୍ୟରେ ଶିଳ୍ପରେ ଥିବା ସମ୍ଭାବନା ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯିବ । ଓଡ଼ିଶା ଆସ । ନିବେଶ କର । ଜମି, ଖଣିଜ ସମ୍ପଦ, ମାନବ ସମ୍ବଳ କିଛି ଅଭାବ ନାହିଁ । ଓଡ଼ିଶାରେ ନିବେଶ ହେଉଛି ଭବିଷ୍ୟତ ପାଇଁ ନିବେଶ । ରାଜ୍ୟ ସରକାର ସବୁପ୍ରକାର ସହଯୋଗ କରିବେ । ପ୍ରବାସୀ ନିବେଶକଙ୍କୁ ଏମିତି ପ୍ରତିଶ୍ରୁତି ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ନିବେଶକଙ୍କ ପାଇଁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ କ’ଣ ସବୁ ସମ୍ଭାବନା ଅଛି ଶିଳ୍ପ ବିଭାଗ ପକ୍ଷରୁ ବୃତ୍ତଚିତ୍ର ଜରିଆରେ ଉପସ୍ଥାପନା କରାଯିବ ।  

ରାଜ୍ୟରେ ଶିଳ୍ପକୁ ନେଇ ଥିବା ସମ୍ଭାବନା, ସ୍ଥାନୀୟ ଶିଳ୍ପ ସଂସ୍କୃତି ଏବଂ ଓଡିଶାରେ ଥିବା କୁଶଳୀ ଶ୍ରମିକମାନଙ୍କ ଉପରେ ଆଲୋକପାତ କରାଯିବ । ରାଜ୍ୟରେ ୪୮୦ କିମିର ସାମୁଦ୍ରିକ ଉପକୂଳ ସହ ଲୁହାପଥର, ବକ୍ସାଇଟ୍‌, କ୍ରୋମାଇଟ, କୋଇଲା ସହ ପ୍ରଚୁର ପରିମାଣରେ ଜଳ ଓ ଜମି ମହଜୁଦ ଅଛି । ରାଜ୍ୟ ସରକାରଙ୍କ ଶିଳ୍ପନୀତି ମଧ୍ୟ ବେଶ୍‌ ଆକର୍ଷଣୀୟ । ଓଡ଼ିଶା ଖୁବ୍‌ଶୀଘ୍ର ବିଶ୍ୱସ୍ତରୀୟ ନିବେଶସ୍ଥଳ ହେବାକୁ ଯାଉଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନେ ଓଡ଼ିଶାର ଶିଳ୍ପଯାତ୍ରାରେ ସାମିଲ ହେବାକୁ ସରକାର ଆହ୍ୱାନ ଦେବେ । ଏପରିକି ଆସନ୍ତା ୨୮ ଓ ୨୯ରେ ହେବାକୁ ଥିବା ଉତ୍କର୍ଷ ଓଡିଶା: ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ ୨୦୨୫ରେ ଯୋଗଦେବା ପାଇଁ ସରକାର ନିମନ୍ତ୍ରଣ କରିବେ ।  ସେହିଭଳି ଓଡ଼ିଶାରେ ଥିବା ପର୍ଯ୍ୟଟନର ସମ୍ଭାର ସଂପର୍କରେ ମଧ୍ୟ ପ୍ରବାସୀଙ୍କୁ ସ୍ୱତନ୍ତ୍ର ଅଧିବେଶନରେ ଅବଗତ କରାଇବେ ସରକାର । ରାଜ୍ୟରେ ଥିବା ୩୧ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ପ୍ରବାସୀ । ଏଥିପାଇଁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । 

ଆଗକୁ ଏହା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଅଭିବୃଦ୍ଧିରେ ବେଶ ସହାୟକ ହେବ ବୋଲି ଆକଳନ କରାଯାଇଛି । ରାଜ୍ୟ ସରକାର ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ବେଳକୁ ବିକଶିତ ଓଡ଼ିଶା ଗଠନ ନେଇ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିଛନ୍ତି । ଏଥିରେ ପ୍ରବାସୀ ଓଡ଼ିଆଙ୍କ ସହଯୋଗ କାମନା କରିବେ ସରକାର । ଏଥିପାଇଁ ସ୍ୱତନ୍ତ୍ର ଭାବେ ଏକ ଅଧିବେଶନରେ ମଧ୍ୟ ଆଲୋଚନା ହେବ । ୨୦୩୬ ବେଳକୁ ଓଡ଼ିଶାର ବିକାଶ ଚିତ୍ର ସଂପର୍କରେ ସ୍ପଷ୍ଟ ଆଭିମୁଖ୍ୟ ରଖିବେ ରାଜ୍ୟ ସରକାର । ପ୍ରବାସୀ ଭାରତୀୟ ସମ୍ମିଳନୀର ପ୍ରଥମ ଦିବସ ଓଡ଼ିଶା ପାଇଁ ବଡ଼ ସମ୍ଭାବନା ରଖୁଛି । ଓଡ଼ିଶାକୁ ନିବେଶ ଟାଣି ବିକଶିତ ଓଡ଼ିଶାର ସ୍ୱପ୍ନ ସଫଳ କରିବାକୁ ଏ ସମ୍ମିଳନୀ ସୁବର୍ଣ୍ଣ ସୁଯୋଗ ଆଣିଛି ।