ଭୁବନେଶ୍ୱର,୧୨/୦୮: ରାଜ୍ୟରେ ଜଙ୍ଗଲ କ୍ଷୟ ଯୋଗୁଁ ହାତୀଙ୍କ ରହଣିସ୍ଥଳ ଲୋପ ପାଉଛି । ରାଜ୍ୟରେ ଯେତିକି ହାତୀ ରହିବା କଥା  ତା’ଠୁ ୪୦୦ ଅଧିକ ଅଛନ୍ତି । ଖାଦ୍ୟ ଅନ୍ୱେଷଣରେ ହାତୀଗୁଡିକ ଜନବସତି  ମୁହାଁ ହେଉଛନ୍ତି । ହାତୀ-ମଣିଷ  ମୁହାଁମୁହିଁ ହେଉଛନ୍ତି । ଧନଜୀବନ ହାନି ଘଟୁଛି । ଦୀର୍ଘ ବର୍ଷ ଧରି ଚାଲୁଥିବା ଏହି  ଲଢ଼େଇର ଅନ୍ତ ଘଟୁନି ।  

ବନ ବିଭାଗ ତଥ୍ୟ ଆଧାରରେ,  ୨୦୧୭-୧୮ ମସିହାରୁ ଗତବର୍ଷ ନଭେମ୍ବର ଭିତରେ ମୋଟ ୬୭୪  ହାତୀ ମଲେଣି । ୧୧୭ଟି ହାତୀ ସ୍ୱାଭାବିକ ଭାବେ ମରିଛନ୍ତି । ବାକି  ସବୁ ମୃତ୍ୟୁ ଅସ୍ୱାଭାବିକ ଆଉ  ଉଦ୍‌ବେଗଜନକ । ଟ୍ରେନ୍‌ ଧକ୍କାରେ  ୨୮ଟି, ସଡ଼କ ଦୁର୍ଘଟଣାରେ ୫ଟି  ଓ ଅନ୍ୟାନ୍ୟ ଦୁର୍ଘଟଣାରେ ୧୦୩ଟି  ହାତୀ ମରିଛନ୍ତି । ବିଦ୍ୟୁତ ଝଟ୍‌କା  ଖାଇ ୧୨୩ଟି ହାତୀଙ୍କ ପ୍ରାଣ  ଯାଇଛି । ଶିକାରୀଙ୍କ ତୀର ଓ ଗୁଳିମାଡ଼ରେ ୨୨ ହାତୀଙ୍କ ଜୀବନ  ଯାଇଛି । ହାତୀ ସଂଖ୍ୟା ତୁଳନାରେ  ମୃତ୍ୟୁହାର ପାଖାପାଖି ୩ରୁ ୪.୫  ପ୍ରତିଶତ ଭିତରେ ରହୁଛି ।  ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ  ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ  (ଆଇଆଇଏସ୍‌) ବର୍ଷେ ତଳେ  ହାତୀଙ୍କ ସଂରକ୍ଷଣ ଉପରେ ଗବେଷଣା  କରିଥିଲା । ଏହାର ତଥ୍ୟ ଅନୁସାରେ  ଓଡ଼ିଶାର ୫୨ ହଜାର ୪୩୩.୫୬  ବର୍ଗ କିମି ଅଞ୍ଚଳରେ ଜଙ୍ଗଲ ବ୍ୟାପିଛି ।  ଯାହାକି, ରାଜ୍ୟର ସମୁଦାୟ ଭୌଗଳିକ  ଆୟତନର ୩୩.୬୭ ପ୍ରତିଶତ ।  ଏସବୁ ଜଙ୍ଗଲରେ ସର୍ବାଧିକ ୧୭୦୦  ହାତୀ ରହିପାରିବେ । କିନ୍ତୁ ଗତବର୍ଷ  ହୋଇଥିବା ରାଜ୍ୟ ହାତୀଗଣନା ତଥ୍ୟ  ଅନୁସାରେ ୨୦୯୮ଟି ହାତୀ ରାଜ୍ୟରେ  ଚଳପ୍ରଚଳ କରୁଛନ୍ତି । ମୋଟ ୩୮ଟି  ବନଖଣ୍ଡରେ ଉପସ୍ଥିତି ଜାହିର୍‌ କରିଛନ୍ତି  ଗଜରାଜ । ଅନୁଗୁଳ, ଆଠଗଡ଼,  ଢ଼େଙ୍କନାଳ, ବାରିପଦା, ଚନ୍ଦକା,  ଖୋର୍ଦ୍ଧା, ବଣାଇ, କେନ୍ଦୁଝର ବନଖଣ୍ଡରେ ହାତୀ ସଂଖ୍ୟା ଅପ୍ରତ୍ୟାଶିତ  ଭାବେ ବଢ଼ିଛି । ୧୩ ବନଖଣ୍ଡ ହାତୀଶୂନ୍ୟ । ଶିମିଳିପାଳ  ଉତ୍ତର, ଶିମିଳିପାଳ ଦକ୍ଷିଣ, ବାଲେଶ୍ୱର, ରାଇରଙ୍ଗପୁର,  ବଲାଙ୍ଗିର, ପାରଳାଖେମୁଣ୍ଡି ଭଳି ବନଖଣ୍ଡରେ ପୂର୍ବାପେକ୍ଷା  କମିଛନ୍ତି ହାତୀ । 

ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ପୂର୍ବତନ  ପିସିସିଏଫ୍‌ ବିଜୟ କେତନ ପଟ୍ଟନାୟକଙ୍କ କହିବା ମୁତାବକ,  ହୁ ହୁ ହୋଇ ମାଡ଼ି ଚାଲିଥିବା ଜନବସତି ହାତୀ ବଂଶ  ପାଇଁ କାଳ ପାଲଟିଛି । ଖାଦ୍ୟ ଅଭାବ ଯୋଗୁ ହାତୀଙ୍କ ରୋଗ  ପ୍ରତିରୋଧକ ଶକ୍ତି ବି କମୁଛି । ଛୁଆ ହାତୀ, ରୋଗିଣା ହାତୀ  ହିଁ ଅଧିକ ମାତ୍ରାରେ ମରୁଛନ୍ତି । ବିଦ୍ୟୁତ୍‌ ଆଘାତ ଓ ଟ୍ରେନ୍‌ ଦୁର୍ଘଟଣାରେ ମଧ୍ୟ ହାତୀଙ୍କ ଜୀବନ ଯାଉଛି । ୨୦୧୦ରେ ସର୍ଭେ  ବେଳେ ବନ ବିଭାଗ ୧୪ଟି ହାତୀ କରିଡର ଚିହ୍ନଟ କରିଥିଲା ।  ୧୫ଟି ଡିଭିଜନ୍‌ରେ ଏସବୁ ହାତୀ କରିଡ଼ର ସମୁଦାୟ ୮୭୦.୬୧  ବର୍ଗ କିଲୋମିଟର ଯାଏଁ ଲମ୍ବିଛି । ହେଲେ ଆଜି ପର୍ଯ୍ୟନ୍ତ ଏହି  ହାତୀ କରିଡ଼ର ବିଧିବଦ୍ଧ ଘୋଷଣା ହୋଇନାହିଁ । ହାଇକୋର୍ଟରେ  ଏନେଇ ମାମଲା ବିଚାରାଧୀନ ଅଛି ।  

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ତଥା ମୁଖ୍ୟ  ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ କୁମାର ଝା କହିଛନ୍ତି,  ଗୋଟିଏ ହାତୀ ଅତିକମ୍‌ରେ ଦିନକରେ ୨୫/୩୦ କିମି ଯାଏଁ  ଚାଲିକି ଯାଇପାରିବ । ହାତୀଙ୍କ ଚଳପ୍ରଚଳ ପାଇଁ ପର୍ଯ୍ୟାପ୍ତ  ଜାଗା ଦରକାର । ରାଜ୍ୟରେ ୮୫୦୮.୯୫ ବର୍ଗ କିମି ଯାଏଁ  ୩ଟି ବିଧିବଦ୍ଧ ହାତୀ ସଂରକ୍ଷଣ ଅଞ୍ଚଳ ବ୍ୟାପିଛି । ମହାନଦୀ  ହାତୀ ସଂରକ୍ଷଣ, ମୟୁରଭଞ୍ଜ ହାତୀ ସଂରକ୍ଷଣ, ସମ୍ବଲପୁର  ହାତୀ ସଂରକ୍ଷଣ ଅଞ୍ଚଳରେ ହାତୀ ଉପସ୍ଥିତି ଜାହିର୍‌ କରିଛନ୍ତି ।  ମହାନଦୀ ଓ ସମ୍ବଲପୁର ସଂରକ୍ଷଣସ୍ଥଳକୁ ୨୫୧୩.୩୬ ବର୍ଗକିମି  ଯାଏଁ ବଢ଼ାଇବାକୁ ଯୋଜନା ରହିଛି । ଇଣ୍ଟରନ୍ୟାସନାଲ  ୟୁନିୟନ ଫର୍‌ କନଜରଭେସନ ଅଫ୍‌ ନେଚର (ଆଇୟୁସିଏନ୍‌) ର ମାର୍ଗଦର୍ଶିକା ଆଧାରରେ ଜୈବ ବିବିଧତା ବଜାୟ ରଖିବା  ପାଇଁ ଚନ୍ଦକା ବନଖଣ୍ଡର ଗୋଡି଼ବାରୀରେ ଏକ ସ୍ଥାୟୀ ହାତୀ  ଗବେଷଣା କେନ୍ଦ୍ର କରାଯିବ । ଭାରତୀୟ ବନ୍ୟଜନ୍ତୁ ଟ୍ରଷ୍ଟ  (ଡବ୍ଲୁଟିଆଇ) ଓ ଓଡ଼ିଶା ବନ ବିଭାଗ ମିଳିତ ଭାବେ ଏହି  କେନ୍ଦ୍ରର ପରିଚାଳନା କରିବେ । ହାତୀ ସଂରକ୍ଷଣ ବାବଦରେ  ବିଶେଷଜ୍ଞମାନେ ଗବେଷଣା କରିବେ।