ନୂଆଦିଲ୍ଲୀ, ୨୯।୫: ଭାରତରେ ଆମ୍ବକୁ 'ଫଳର ରାଜା' କୁହାଯାଏ । ଖରାଦିନ ଆସିଲେ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି । ସାଧାରଣତଃ ବଜାରରେ ଆମ୍ବ କିଲୋ ପ୍ରତି ୬୦ ରୁ ୧୦୦ ଟଙ୍କା ମଧ୍ୟରେ ମିଳିଯାଏ । କିନ୍ତୁ ଆପଣ କେବେ କଳ୍ପନା କରିଛନ୍ତି କି, ଗୋଟିଏ କିଲୋ ଆମ୍ବର ଦାମ ୩ ଲକ୍ଷ ଟଙ୍କା ହୋଇପାରେ ? ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ଏକଦମ ସତ । ଓଡ଼ିଶାର ଜଣେ ସାଧାରଣ ଚାଷୀ ନିଜ ବିଲରେ ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ଚାଷ କରି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଓଡ଼ିଶାର ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ତମସା ଗ୍ରାମର ଆଦିବାସୀ ଚାଷୀ ଦେବା ପାଢ଼ିଆମୀ ଏହି ଅସାଧାରଣ ସଫଳତା ହାସଲ କରିଛନ୍ତି । ସେ ନିଜ ବଗିଚାରେ ଜାପାନର ପ୍ରସିଦ୍ଧ ଏବଂ ବିରଳ 'ମିୟାଜାକି ଆମ୍ବ' ସଫଳତାର ସହ ଉତ୍ପାଦନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ତେବେ ଏହି ବଡ଼ ସଫଳତା ପରେ ଏବେ ସେହି ଗରିବ ଚାଷୀଙ୍କ ସାମ୍ନାରେ ଏକ ଭିନ୍ନ ପ୍ରକାରର ଅସୁବିଧା ଉପୁଜିଛି ।

ଚୋରି ଭୟ: ଘର ଶେଯ ଛାଡ଼ି ଗଛ ମୂଳେ ଶୋଉଛନ୍ତି ଚାଷୀ

ଗୋଟିଏ ପଟେ ଦୁନିଆର ସବୁଠାରୁ ଦାମୀ ଫଳ ନିଜ ବାଡ଼ିରେ ଫଳିଥିବାରୁ ଦେବାଙ୍କ ଖୁସି କହିଲେ ନସରେ, କିନ୍ତୁ ଅନ୍ୟପଟେ ଏହି ଆମ୍ବ ତାଙ୍କ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମ୍ବର ଆକାଶଛୁଆଁ ଦାମ ଯୋଗୁଁ ଦେବାଙ୍କୁ ସବୁବେଳେ ଚୋରି ହେବାର ଭୟ ରହୁଛି । କାଳେ କେହି ରାତିଅଧରେ ଆସି ଏହି ଦାମୀ ଆମ୍ବକୁ ଚୋରି କରିନେବ, ସେହି ଆଶଙ୍କାରେ ସେ ଦିନରାତି ଆମ୍ବ ଗଛକୁ ଜଗି ରହିଛନ୍ତି । ସୁରକ୍ଷା ପାଇଁ ସେ ଘର ଭିତରର ବିଛଣା ଛାଡ଼ି ଏବେ ଆମ୍ବ ଗଛ ମୂଳେ ଖଟିଆ ପକାଇ ଶୋଉଛନ୍ତି । ଏହି ମୂଲ୍ୟବାନ ସମ୍ପତ୍ତିକୁ ରକ୍ଷା କରିବା ପାଇଁ ସେ ନିଜେ ଜଣେ ଜଗୁଆଳି ସାଜିଛନ୍ତି ।

୪ ବର୍ଷର କଠିନ ପରିଶ୍ରମର ମିଳିଲା ଫଳ:

ଚାଷୀ ଦେବା ପାଢ଼ିଆମୀଙ୍କ କହିବା ଅନୁସାରେ, ପ୍ରାୟ ୪ ବର୍ଷ ତଳେ ଜଣେ ସାମାଜିକ କର୍ମୀ ତାଙ୍କୁ ଏହି ବିରଳ ଆମ୍ବର ଏକ ଚାରା ଆଣି ଦେଇଥିଲେ । ଏହି ବିଦେଶୀ ଗଛକୁ ଅତି ଯତ୍ନର ସହ ଦେଖାରେଖା କରୁଛନ୍ତି । ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା କରି ଦୀର୍ଘ ୪ ବର୍ଷର କଠିନ ପରିଶ୍ରମ ଓ ଅକ୍ଳାନ୍ତ ସାଧନା ପରେ ଚଳିତ ବର୍ଷ ଗଛରେ ପ୍ରଥମ କରି ଫଳ ଆସିଛି ।

ବଡ଼ ସମସ୍ୟା: କେଉଁଠି ବିକ୍ରି ହେବ ଏହି ଆମ୍ବ ?

ଗଛରେ ଆମ୍ବ ତ ଫଳିଗଲା, କିନ୍ତୁ ଏବେ ଦେବାଙ୍କ ସାମ୍ନାରେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ଏହି ଅତ୍ୟନ୍ତ ମହଙ୍ଗା ଆମ୍ବକୁ ସେ କେଉଁଠି ଏବଂ କାହାକୁ ବିକ୍ରି କରିବେ ? ସ୍ଥାନୀୟ ବଜାରରେ ଏହାର ଉପଯୁକ୍ତ ମୂଲ୍ୟ ମିଳିବା ଅସମ୍ଭବ । ତେଣୁ ଏହି ଆମ୍ବର ସଠିକ୍ ମୂଲ୍ୟ ପାଇବା ଏବଂ ଏହାକୁ ଆନ୍ତର୍ଜାତୀୟ ବଜାରରେ ବିକ୍ରି କରିବା ପାଇଁ ସେ ଏବେ ସରକାର ଏବଂ କୃଷି ବିଶେଷଜ୍ଞମାନଙ୍କ ସାହାଯ୍ୟ ପ୍ରାର୍ଥନା କରିଛନ୍ତି ।

କାହିଁକି ଏତେ ଖାସ୍ ଏବଂ ମହଙ୍ଗା ଏହି 'ମିୟାଜାକି' ଆମ୍ବ ?

'ମିୟାଜାକି' ସହରରୁ ଆରମ୍ଭ ହୋଇଥିବା ଏହି ଆମ୍ବ ଦୁନିଆର ସବୁଠାରୁ ଲଗଜୁରିଅସ୍ ବା ବିଳାସପୂର୍ଣ୍ଣ ଫଳ ମଧ୍ୟରେ ଗଣାଯାଏ ।

ସ୍ୱତନ୍ତ୍ର ରଙ୍ଗ ଓ ଆକାର: ଭାରତୀୟ ଆମ୍ବ ସାଧାରଣତଃ ହଳଦିଆ କିମ୍ବା ସବୁଜ ରଙ୍ଗର ହୋଇଥାଏ, କିନ୍ତୁ ମିୟାଜାକି ଆମ୍ବ ପାଚିବା ପରେ ସମ୍ପୂର୍ଣ୍ଣ ଗାଢ଼ ନାଲି ବା ବାଇଗଣୀ ରଙ୍ଗ ହୁଏ । ଏହାର ଚମକଦାର ରଙ୍ଗ ଏବଂ ଭିନ୍ନ ଆକାର ଯୋଗୁଁ ଅନେକ ଲୋକ ଏହାକୁ 'ଡାଇନୋସରର ଅଣ୍ଡା' ବୋଲି ମଧ୍ୟ କହିଥାନ୍ତି ।

ଆକାଶଛୁଆଁ ଦାମ: ଆନ୍ତର୍ଜାତୀୟ ବଜାରରେ ଏହି ପ୍ରିମିୟମ୍ କ୍ୱାଲିଟି ଆମ୍ବର ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ପ୍ରାୟ ୨.୫ ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

ସ୍ୱାଦ ଏବଂ ଗୁଣବତ୍ତାରେ ନଂ ୧:

ଏହି ଆମ୍ବ କେବଳ ତା'ର ଦାମ ପାଇଁ ନୁହେଁ, ବରଂ ତା'ର ଅତୁଳନୀୟ ସ୍ୱାଦ ଏବଂ ସ୍ୱାସ୍ଥ୍ୟଗତ ଗୁଣ ପାଇଁ ମଧ୍ୟ ଜଣାଶୁଣା:

ଓଜନ: ଏହି ଗୋଟିଏ ଗୋଟିଏ ଆମ୍ବର ଓଜନ ପ୍ରାୟ ୩୫୦ ଗ୍ରାମରୁ ଅଧିକ ହୋଇଥାଏ ।

ଅତ୍ୟଧିକ ମିଠା: ଏହି ଆମ୍ବ ଅତ୍ୟନ୍ତ ରସାଳ ଏବଂ ଏଥିରେ ଶର୍କରାର ପରିମାଣ ପ୍ରାୟ ୧୫ ପ୍ରତିଶତ ବା ତା'ଠାରୁ ଅଧିକ ଥାଏ ।

'ସୂର୍ଯ୍ୟର ଅଣ୍ଡା': ଜାପାନରେ ଏହି ଆମ୍ବକୁ ବିକ୍ରି କରିବା ପୂର୍ବରୁ ଅତି କଡ଼ା ଗୁଣବତ୍ତା ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ । ଯେଉଁ ଆମ୍ବର ରଙ୍ଗ, ଆକାର ଏବଂ ମିଠା ସବୁଠାରୁ ପରଫେକ୍ଟ ଥାଏ, ତାକୁ ସେଠାରେ 'ଏଗ୍ସ ଅଫ୍ ଦି ସନ୍' ବା 'ସୂର୍ଯ୍ୟର ଅଣ୍ଡା' ଆଖ୍ୟା ଦିଆଯାଏ । ଓଡ଼ିଶାର ମାଲକାନଗିରି ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ଜଣେ ଗରିବ ଚାଷୀଙ୍କ ଏଭଳି ସଫଳତା ପ୍ରଶଂସନୀୟ । ଯଦି ସରକାର ଦେବାଙ୍କୁ ସଠିକ୍ ବଜାର ଯୋଗାଇ ଦିଅନ୍ତି, ତେବେ ଏହା ଓଡ଼ିଶା କୃଷି କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିପାରିବ ।

ଆହୁରି ପଢ଼ନ୍ତୁ... ୧୦୦,୧୦୧,୧୦୮ ନୁହେଁ...ଏଣିକି ଗୋଟିଏ ନମ୍ୱର ହିଁ ମିଳିପାରିବ ସମସ୍ତ ଜରୁକାଳୀନ ସେବା, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି