ଭୁବନେଶ୍ୱର, ୨୫।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଆଗାମୀ ଦିନରେ ଏଲପିଜି ଗ୍ୟାସ୍ ଯୋଗାଣ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଏହି ସମ୍ଭାବ୍ୟ ଗ୍ୟାସ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏବେଠାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସମସ୍ତ ହୋଟେଲ ଓ ରେସ୍ତୋରାଁମାନଙ୍କୁ ପାରମ୍ପରିକ ଏଲପିଜି ଗ୍ୟାସ୍ ଉପରେ ନିର୍ଭରଶୀଳତା କମାଇବାକୁ କୁହାଯାଇଛି । ଏହା ବଦଳରେ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦିଆଯାଇଛି ।

ଏହା ବି ପଢ଼ନ୍ତୁୁ... LPG ସଙ୍କଟ ଇଫେକ୍ଟ: ଆହାର କେନ୍ଦ୍ର ମୁହାଁ ରାଜଧାନୀବାସୀ, ଘଣ୍ଟାକ ଭିତରେ ହାଣ୍ଡି ଖାଲି, ଫେରୁଛନ୍ତି ୨୦୦ରୁ ଅଧିକ ଲୋକ

ହୋଟେଲ ଓ ରେସ୍ତୋରାଁମାନଙ୍କୁ ପିଏନଜି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ବୈଦ୍ୟୁତିକ ଓଭେନ୍ ଏବଂ ଇଣ୍ଡକ୍ସନ୍ ର ବ୍ୟବହାର ବୃଦ୍ଧି । ବୃହତ୍ ରନ୍ଧନ କାର୍ଯ୍ୟ ପାଇଁ ଷ୍ଟିମ୍ କୁକିଂ ବ୍ୟବସ୍ଥା କରିବାକୁ କୁହାଯାଇଛି । ଗ୍ୟା ଅଭାବ ସମୟରେ ଅନେକ ସ୍ଥାନରେ ଅବୈଧ ଗଚ୍ଛିତ ବା କଳାବଜାରୀ ହେବାର ସମ୍ଭାବନା ଥାଏ । ଏହାକୁ ରୋକିବା ପାଇଁ ସରକାର ପ୍ରତ୍ୟେକ ଜିଲ୍ଲାରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରିଛନ୍ତି । ଏହି ସ୍କ୍ୱାଡ୍ ଗୁଡ଼ିକ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଏଲପିଜି ଗ୍ୟାସ୍‌ର ବେଆଇନ ସଂଗ୍ରହ ଉପରେ ତୀକ୍ଷ୍ଣ ନଜର ରଖିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସାଧାରଣ ଉପଭୋକ୍ତାମାନେ ଗ୍ୟାସର ଅଯଥା ଅପଚୟ ନକରିବାକୁ ଏବଂ ଆବଶ୍ୟକ ସ୍ଥଳେ ବିକଳ୍ପ ଶକ୍ତିର ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ଅନୌପଚାରିକ ଭାବେ ଅନୁରୋଧ କରାଯାଇଛି ।