ଭୁବନେଶ୍ୱର, ୨୫/୦୫ : ଭୁବନେଶ୍ୱରରେ ଗ୍ୟାସ୍ ସଙ୍କଟ ଜଟିଳ ହେବାରେ ଲାଗିଛି । ପ୍ରତିଦିନ ଯେତିକି କମରସିଆଲ ଗ୍ୟାସ୍ ଆବଶ୍ୟକତା ପଡୁଥିଲା ତାର ଗୋଟିଏ ଭାଗ ମିଳିବା କଷ୍ଟ । ଏହା ସହ ଡୋମେଷ୍ଟିକ ଗ୍ୟାସ୍ ୩ ଗୁଣା ଦରରେ ବ୍ଲାକ୍ରେ ବିକ୍ରି ହେଉଛି । ଏପରିକି ବିଭିନ୍ନ ହଷ୍ଟେଲ, କଲେଜ ମେସ୍ରେ ରୋଷେଇ ବନ୍ଦ ହେଲାଣି । ହୋଟେଲ ବନ୍ଦ ହେଲାଣି । କର୍ମଚାରୀ ଛଟେଇ ହେଲେଣି । ଆଉ ଯେଉଁ ହାତ ଗଣତି ହୋଟେଲ ରହିଛି ସେମାନେ ଦର ବଢ଼ାଇ ଦେଇଛନ୍ତି । ଫଳରେ ଏବେ ଶ୍ରମିକ ଏବଂ ଛାତ୍ରଛାତ୍ରୀମାନେ ଆହାର କେନ୍ଦ୍ର ମୁହାଁ ହେଲେଣି ।

କିଛି କଲେଜ୍କୁ ବିଏମ୍ସି ଯୋଗାଣ ବିଭାଗ ପକ୍ଷରୁ ଗ୍ୟାସ୍ ଯୋଗାଇ ଦିଆଯାଉଛି। ହେଲେ ସର୍ବାଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମେସ୍ରେ ରହୁଥିବା ଛାତ୍ରଛାତ୍ରୀ। ଗ୍ୟାସ୍ ସଙ୍କଟ ଯୋଗୁ ଛୋଟ ୫ କିଗ୍ରା ଗ୍ୟାସ୍ ଭର୍ତ୍ତି କରିବାରେ ଅସୁବିଧା ଉପୁଜୁଛି । ତେଣୁ ଛାତ୍ରଛାତ୍ରୀମାନେ ଏବେ ଆହାର କେନ୍ଦ୍ର ମୁହାଁ ହେଲେଣି। ଖାଲି ଛାତ୍ରଛାତ୍ରୀ ନୁହେଁ, ଶ୍ରମିକ ଏବଂ ଅନ୍ୟ ଛୋଟ ଚାକିରି କରିଥିବା ଲୋକେ ଏବେ ସିଧା ଆହାର କେନ୍ଦ୍ରରେ ମାଡ଼ ହେଉଛନ୍ତି । ରାଜଧାନୀରେ ବିଏମ୍ସିର ୧୪ଟି ଆହାର କେନ୍ଦ୍ର ରହିଛି । ପ୍ରତିଦିନ ଏହି ଆହାର କେନ୍ଦ୍ରରେ ୯୬୦୦ ମିଲ୍ ପରିବେଷଣ କରାଯାଉଛି । ଏବେ ଲୋକ ସଂଖ୍ୟା ବଢ଼ି ଗଲେଣି । ଏମ୍ସ୍, ବରମୁଣ୍ଡା ବସ୍ଷ୍ଟାଣ୍ଡ ଏବଂ ଅନ୍ୟ ସ୍ଥାନମାନଙ୍କରେ ଥିବା ଆହାର କେନ୍ଦରେ ବି ଲୋକଙ୍କ ସଂଖ୍ୟା ବଢ଼ିଛି । ପ୍ରତିଦିନ ୧୧ଟା ରେ ଖାଇବା ମିଳୁଥିବା ବେଳେ ମାତ୍ର ଘଣ୍ଟାକ ଭିତରେ ମିଲ୍ ସରୁଛି । ପ୍ରତି ଆହାର କେନ୍ଦ୍ରରୁ ଦୈନିକ ଏବଂ ୨୦୦ରୁ ଉର୍ଦ୍ଧ୍ୱ ଲୋକେ ଫେରୁଛନ୍ତି । ସେପଟେ ଗ୍ୟାସ୍ ସଙ୍କଟରୁ ବର୍ତ୍ତିବା ପାଇଁ ବିଭିନ୍ନ କାଠ ଗୋଲା ଏବଂ କୋଇଲା ଡିପୋରେ ବେଶ୍ ଭିଡ଼ ଜମୁଛି।

ଏହି ଖବରଟିକୁ ପଢନ୍ତୁ- ଏଲପିଜି ବୁକିଂ ନିୟମରେ ବଡ଼ ପରିବର୍ତ୍ତନ; ନୂଆ ସର୍ତ୍ତ, ୩୫ ଦିନ ପୂର୍ବରୁ ବୁକ୍ ହେବନି ସିଲିଣ୍ଡର