ଭୁବନେଶ୍ବର,୨୬/୦୪: ଏଥର ଦେଶରେ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହୋଇପାରେ । କିନ୍ତୁ ଓଡ଼ିଶାରେ ବର୍ଷା ସ୍ୱାଭାବିକ ରହିବ । ସମୁଦ୍ରର ଶୀତଳୀକରଣ (ସବ୍ ସର୍ଫେସ କୁଲିଂ) ଯୋଗୁ ଏଲ୍ ନିନୋ ଶୀଘ୍ର ଶେଷ ହେବ । ମେ ୩୧ରୁ ଜୁନ୍ ୨ ତାରିଖ ଭିତରେ କେରଳରେ ମୌସୁମୀ ପହଞ୍ଚିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ପ୍ରଫେସର ପଶୁପାଳକ ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ଆଧାରରେ ପୂର୍ବାନୁମାନ କରି କହିଛନ୍ତି, ଓଡ଼ିଶାରେ ଅଗଷ୍ଟ ମାସରେ ବର୍ଷାର ପ୍ରକୋପ ଅଧିକ ରହିପାରେ । କିନ୍ତୁ ହାରାହାରି ମୌସୁମୀ ବର୍ଷା ପରିମାଣ ସ୍ୱାଭାବିକ ଭିତରେ ରହିବ । ଏଲ୍ ନିନୋ ଶୀଘ୍ର ଶେଷ ହେବାର ସମ୍ଭାବନା ଅଛି ।

ସମୁଦ୍ରର ଗଭୀରରେ ଥିବା ଥଣ୍ଡା ଜଳର ସ୍ରୋତ ଦ୍ରୁତ ଗତିରେ ଉପରିଭାଗକୁ ଆସୁଛି । ଫଳରେ ଏଲ୍ ନିନୋ ପ୍ରଶମିତ ହୋଇ ଲା- ନିନା ପାଇଁ ବାଟ ଫିଟାଇବ ବୋଲି ସେ କହିଛନ୍ତି । ସେପଟେ ଇସିଏମଡବ୍ଲୁଏଫ୍ (ୟୁରୋପିଆନ ସେଣ୍ଟର ଫର ମିଡିଅମ ରେଞ୍ଜ ୱେଦର ଫୋରକାଷ୍ଟ) ଆକଳନ କହୁଛି, ସି-ସର୍ଫେସ୍ ଟେମ୍ପରେଚର(ଏସ୍ଏସ୍ଟି) ବା ସମୁଦ୍ର ଗଭୀରର ତାପମାତ୍ରା ନିଉଟ୍ରାଲରୁ ନେଗେଟିଭ୍ ରେଞ୍ଜ ଭିତରେ ରହିବ । ସମୁଦ୍ର ଗଭୀରରେ ଥିବା ଥଣ୍ଡା ଜଳର ତାପମାତ୍ରା -୦.୪ଡିଗ୍ରୀ ସେଲସିୟସ୍ରୁ -୦.୬ ଡିଗ୍ରୀ ରହିପାରେ । ଫଳରେ ମୌସୁମୀର ଦ୍ୱିତୀୟାର୍ଦ୍ଧରେ ଏଲ୍ ନିନୋ ଶେଷ ହୋଇ ଲା-ନିନା ସ୍ଥିତି ରହିପାରେ ।

ପାଣିପାଗ ସମ୍ପର୍କିତ ଖବର ପଢ଼ନ୍ତୁ: ୪୦ଡିଗ୍ରୀ ଉପରେ ୧୭ ସହର; ଦୁଇଦିନ ପରେ ସାମାନ୍ୟ କମିବ ତାତି

ଲା-ନିନା ସ୍ଥିତି ରହିଲେ ମୌସୁମୀ ଶକ୍ତିଶାଳୀ ରହିବ । ଏଥିପାଇଁ ଭାରତରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଅଗଷ୍ଟ ମାସ ବେଳକୁ ନିଉଟ୍ରାଲ ଇଏନଏସ୍ଓ ତ୍ୱରିତ୍ ବେଗରେ ଲା-ନିନା ସ୍ଥିତିକୁ ବଦଳିବ । ଏହା ପ୍ରଭାବରେ ମୌସୁମୀ ବଳୁଆ ହେବା ସହ ବଙ୍ଗୋପସାଗରରେ ଅଧିକ ଅବପାତ ସୃଷ୍ଟି ହୋଇପାରେ । ପୁଣି ଭାରତ ମହାସାଗରରେ ଏବେ ଇଣ୍ଡିଆନ ଓସେନ ଡାଏପୋଲ(ଆଇଓଡି) ନିଉଟ୍ରାଲ ସ୍ଥିତିରେ ଅଛି । କିନ୍ତୁ ଅଗଷ୍ଟସେପ୍ଟେମ୍ବର ବେଳକୁ ଏହା ପଜିଟିଭ୍ ରହିପାରେ । ଆଇଓଡି ପଜିଟିଭ୍ ରହିଲେ ଓଡ଼ିଶାରେ ମୌସୁମୀର ଦ୍ୱିତୀୟାର୍ଦ୍ଧ ଅଧିକ ଶକ୍ତିଶାଳୀ ହେବା ସହ ଅଧିକ ପରିମାଣର ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ମୌସୁମୀ ସମୟରେ ଦେଶରେ ଲଙ୍ଗ ପିରିଅଡ ଆଭରେଜ୍ ବା ଏଲପିଏ ୧୦୪% ରହିପାରେ । ସ୍ୱାଭାବିକ ଠାରୁ ଅଧିକ ଅର୍ଥାତ ୧୦୪% ବର୍ଷା ହୋଇପାରେ । କିନ୍ତୁ ଓଡ଼ିଶାରେ ବର୍ଷା ସ୍ୱାଭାବିକ ରହିବ । ଜୁନ୍ ମାସରେ ଦେଶରେ ଏଲ୍ପିଏ ବା ସମ୍ଭାବ୍ୟ ବର୍ଷା ୯୬% ଓ ରାଜ୍ୟରେ ୯୮% ହୋଇପାରେ । ଜୁଲାଇରେ ଦେଶରେ ଏଲ୍ପିଏ ୧୦୪% ଓ ରାଜ୍ୟରେ ୧୦୫% ରହିପାରେ । ଅଗଷ୍ଟରେ ଦେଶରେ ଏଲ୍ପିଏ ୧୦୮% ଏବଂ ଓଡ଼ିଶାରେ ୧୧୦%, ସେପ୍ଟେମ୍ବରରେ ଦେଶରେ ଏଲ୍ପିଏ ୧୦୫% ଓ ରାଜ୍ୟରେ ୧୦୨% ରହିପାରେ ବୋଲି ପ୍ରଫେସର ପଶୁପାଳକ ବିଭିନ୍ନ ମଡେଲ ଆଧାରରେ କହିଛନ୍ତି । ଏଥର ମୌସୁମୀ ଶୀଘ୍ର ଆସିବ ବୋଲି ଇସିଏମଡବ୍ଲୁଏଫ୍ ଆକଳନ କରିଥିଲେ ବି ଜିଏଫଏସ୍ ମଡେଲ ଭିନ୍ନ ଆକଳନ ଦେଖାଇଛି । ମଡେଲରେ କୁହାଯାଇଛି, ପ୍ରାରମ୍ଭିକ ପର୍ଯ୍ୟାୟରେ କେନ୍ଦ୍ରୀୟ ଭାରତରେ ମୌସୁମୀ ଆଗମନରେ ସାମାନ୍ୟ ଅସ୍ଥିରତା ଦେଖା ଦେଇପାରେ ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ବିନା ନେଟୱର୍କରେ କିଭଳି ହେବ ସମର ଲର୍ଣ୍ଣିଂ, ରାଜ୍ୟର ୧୨୩୭ ଗାଁରେ ନାହିଁ ମୋବାଇଲ ଟାୱାର