ବିଜେପିର ବଲ୍ଲେ ବଲ୍ଲେ । ବିରୋଧୀ ମାଟି କାମୁଡ଼ିଲେ । ଚମତ୍କାର ଦେଖାଇଲା ମୋହନ-ମନମୋହନ ଯୋଡ଼ି । ନୂଆପଡ଼ା ଉପନିର୍ବାଚନର ଐତିହାସିକ ବିଜୟରେ ପଦ୍ମ ଦଳ ଗାମୁଛା ଉଡ଼ାଇଲେ । ବିଜେଡିଠାରୁ ନୂଆପଡ଼ାବାସୀ ଏମିତି ମୁହଁ ମୋଡ଼ିଲେ, ଦଳକୁ ୩ ନମ୍ବରକୁ ଖସାଇ ଦେଲେ । ବର୍ଷ ତମାମ ବିଜେପି ବଳ ବଢ଼ି ଚାଲିଲା । ବିଜେଡି ହାତରୁ ଗୋଟିଏ ପରେ ଗୋଟିଏ ବ୍ଲକ ଖସି ବିଜେପି ହାତକୁ ଗଲା । ଦୁର୍ଗ ଦଖଲ କରି ଚାଲିଲା ବିଜେପି । କେବେ ୱାକଫ ବିଲ୍ ଆଉ କେବେ ଉତ୍ତରାଧିକାରୀ ଚର୍ଚ୍ଚା, ଦଳ ଭିତରୁ ଘନଘନ ଆତ୍ମଘାତୀ ବୟାନବାଜିରେ ଦୋହଲିଲା ଶଙ୍ଖ ସଂଗଠନ । ନବୀନଙ୍କ କାର୍ଯ୍ୟାନୁଷ୍ଠାନ ଖଣ୍ଡା ବୁଲିଲା । ତଥାପି ଥମିଲାନି କନ୍ଦଳ । ବିଜେପିର ଉତ୍ଥାନ, ବିଜେଡିର ପତନ ଭିତରେ କଂଗ୍ରେସ ଦଳ ସାପ ସିଡିର ବିଚିତ୍ର ଖେଳରେ ଫସି ଘାଣ୍ଟି ହେଲା । ଓଡ଼ିଶାରେ କଂଗ୍ରେସକୁ ସଞ୍ଜୀବନୀ ଦେବା ପାଇଁ ବରିଷ୍ଠ ଭକ୍ତ ଦାସ ମଙ୍ଗ ଧରିଲେ । କଂଗ୍ରେସ କିଛି ବାଟ ଆଗେଇଲା । ବିଧାନସଭାରେ ଦମ୍ ଦେଖାଇଲା । ନୂଆପଡ଼ାରେ ରନର୍ସ ଅପ୍ ହେଲା । କିନ୍ତୁ, ଗୋଡ଼ ଟଣା ରୋଗ ପାଇଁ ଯେତିକି ଆଗେଇଥିଲା, ସେତିକି ପଛକୁ ଫେରିଲା । ରାଜନୀତିର ଏ ପଶାପାଲି ଆରପଟେ ରାଜ୍ୟ ପ୍ରଶାସନ ସବୁ ପ୍ରତିବନ୍ଧକ ଡେଇଁ ଦୁଇ ଗୁଣା ଗତିରେ ଆଗକୁ ଧାଇଁଥିଲା ବର୍ଷ ତମାମ ।(ମୁକେଶ ପରିଡ଼ା, ରାମଜୀବନ ଗୋଚ୍ଛାୟତ, ସ୍ମୃତି ରଞ୍ଜନ ବିଶ୍ୱାଳ)
ମନ ଜିତିଲେ ମୋହନ
ସରକାରରୁ ସଂଗଠନ, ଜନତାରୁ କର୍ମକର୍ତ୍ତା, ସବୁ ମହଲର ମନ ଜିତିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୫ ଥିଲା ମୋହନଙ୍କ ପାଇଁ ପ୍ରଥମ ପରୀକ୍ଷାର ବର୍ଷ । ବର୍ଷ ପୂର୍ତ୍ତିରେ ପ୍ରଶଂସା ପ୍ରମାଣପତ୍ର ଦେଲେ ପ୍ରଧାନମନ୍ତ୍ରୀ । ନୂଆପଡ଼ା ଉପନିର୍ବାଚନ ଜନାଦେଶ ଦେଲା ଦକ୍ଷତା, ଲୋକପ୍ରିୟତାର ପ୍ରମାଣପତ୍ର । ୨୦୨୫ ଆରମ୍ଭବେଳକୁ ସରକାର ଥିଲେ ଶିଶୁ । ମୋହନ ସରକାର ଆଗରେ ସବୁଠାରୁ ବଡ଼ ଆହ୍ୱାନ ଥିଲା ୨୪ ବର୍ଷର ନବୀନ ସରକାରଙ୍କ ସହ ତୁଳନା । ସବୁ ଆଶଙ୍କା, ସନ୍ଦେହକୁ ପାର୍ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସରଳତା, ଦକ୍ଷତା, ନୀତି, କାମରେ ଲୋକଙ୍କ ମନ ଜିତିଲେ । ସବୁ କ୍ଷେତ୍ରରେ ପ୍ରଦର୍ଶନ ଦମଦାର । ବର୍ଷ ତମାମ ବିନା ଛୁଟିରେ ମୁଖ୍ୟମନ୍ତ୍ରୀ ଅବିଶ୍ରାନ୍ତ କାମ କରି ଚାଲିଲେ । ଜନତା କହିଲେ- ଇଏ ଲୋକଙ୍କ ମୁଖ୍ୟମନ୍ତ୍ରୀ । ପ୍ରତି ଜିଲ୍ଲା ଗସ୍ତ କଲେ । ଜିଲ୍ଲା ସ୍ତରରେ ଜନଅଭିଯୋଗ ଶୁଣାଣି କରି ଉଦାହରଣ ସୃଷ୍ଟି କଲେ । ନିବେଶରୁ ନିଯୁକ୍ତି, ସବୁ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କଲେ । କେନ୍ଦ୍ରରେ ମୋଦି ଓ ରାଜ୍ୟରେ ମୋହନଙ୍କ ନିରନ୍ତର ପ୍ରୟାସରେ ଦୁଇ ଗୁଣା ବେଗରେ ଦୌଡ଼ିଲା ଡବଲ୍ ଇଞ୍ଜିନ ସରକାରର ବିକାଶ ଏକ୍ସପ୍ରେସ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସଡ଼କ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ପର୍ଯ୍ୟଟନ, ଐତିହ୍ୟ, କ୍ରୀଡ଼ା, ପରିବହନ, ପଞ୍ଚାୟତିରାଜ, ସହରୀ ବିକାଶ କ୍ଷେତ୍ରରେ ଅନେକ ନୂଆ ପରିକଳ୍ପନାର ଶୁଭ ପଡ଼ିଲା । ଦୁର୍ନୀତି, ନକ୍ସଲର ମୂଳୋତ୍ପାଟନ ନେଇ ମୋହନ ସରକାର ଜାରି ରଖିଲେ ଅଭିଯାନ । କେବଳ ପ୍ରଶାସନିକ ସଂସ୍କାର ନୁହେଁ, ରାଜନୈତିକ ମଇଦାନରେ ବି ଦକ୍ଷତା ଦେଖାଇଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ । ମୁଖ୍ୟମନ୍ତ୍ରୀଙ୍କ କାମ ଓ ପ୍ରତିଶ୍ରୁତିକୁ ଭରସିଲେ ନୂଆପଡ଼ାବାସୀ । ବିଜେପିକୁ ଦେଲେ ଐତିହାସିକ ବିଜୟ।
ମୋଦିଙ୍କ ମିଶନ ଓଡ଼ିଶା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍ରେ ଥିଲା ଓଡ଼ିଶା । ବର୍ଷକ ଭିତରେ ସେ ଚାରି ଥର ଓଡ଼ିଶା ଆସିଥିଲେ । ଓଡ଼ିଶା ପାଇଁ ଅନେକ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିଥିଲେ । ବର୍ଷ ଆରମ୍ଭରୁ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ । ଏହାର ଦୁଇ ସପ୍ତାହ ପରେ ଉତ୍କର୍ଷ ଓଡ଼ିଶାରେ ଯୋଗ ଦେବାକୁ ସେ ପୁଣି ଥରେ ଓଡ଼ିଶା ଆସିଲେ । ଜନତା ମଇଦାନରେ ‘ମେକ ଇନ୍ ଓଡ଼ିଶା’ ସମ୍ମେଳନରେ ଯୋଗ ଦେଲେ । ଏଥିରେ ଦେଶ ବିଦେଶର ଅନେକ ଉଦ୍ୟୋଗୀ ସାମିଲ ହୋଇଥିଲେ । ଜୁନ୍ ମାସରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ରାଜ୍ୟ ପାଇଁ ୧୮ହଜାର ୬୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ଯାଏ ରୋଡ୍ ସୋ’ କରିଥିଲେ ମୋଦି । ସେବା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁରରେ ମୋଦିଙ୍କ ବିରାଟ ସଭା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଖରାପ ପାଗ କାରଣରୁ ଏହା ବାତିଲ ହେଲା । ଏହାପରେ ଝାରସୁଗୁଡ଼ାରେ ସମାବେଶ କରିଥିଲେ ପ୍ରଧାନମନ୍ତ୍ରୀ । ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ରାଷ୍ଟ୍ରୀୟ ସାଂଗଠନିକ ମନ୍ତ୍ରୀ ବିଏଲ୍ ସନ୍ତୋଷ ପ୍ରମୁଖ ଏକାଧିକ ବାର ଓଡ଼ିଶା ଆସିଥିଲେ।
ଧର୍ମେନ୍ଦ୍ରଙ୍କ ଯାଦୁ
ଜାତୀୟ ରାଜନୀତିରେ ପୁଣି ଥରେ ଚମକିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜର ସାଂଗଠନିକ ଦକ୍ଷତା ଓ ବିଚକ୍ଷଣ ରଣନୀତି ଯୋଗୁ ସାରା ଦେଶରେ ଚର୍ଚ୍ଚିତ ଚେହେରା ହୋଇ ପାରିଛନ୍ତି ଧର୍ମେନ୍ଦ୍ର । ଏ ବର୍ଷ ତାଙ୍କ ପାଇଁ ସବୁଠୁ ବଡ଼ ସଫଳତା ଥିଲା ବିହାର ବିଜୟ । ସେ ବିହାରରେ ବିଜେପି ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ନେଇ ଦଳକୁ ବିଜୟ ମୁକୁଟ ପିନ୍ଧାଇବାରେ ବଡ଼ ଭୂମିକା ନେଇଥିଲେ । ସେ ବିଜେପି ଓ ଜେଡିୟୁ ଭିତରେ ଉତ୍ତମ ସମନ୍ୱୟ ରଖି ଏନଡିଏକୁ ଶକ୍ତିଶାଳୀ କରାଇଥିଲେ । ସେପ୍ଟେମ୍ବର ମାସରେ ସେ ପ୍ରଭାରୀ ନିଯୁକ୍ତ ହେବା ପରେ ପ୍ରାୟ ଦେଢ଼ ମାସ ଧରି ବିହାରରେ ରହି ଦଳକୁ ମଜବୁତ କରାଇଥିଲେ । ଘନ ଘନ ବୈଠକ କରିବା ସହ କ୍ଷେତ୍ରରୁ ଫିଡବ୍ୟାକ୍ ନେଉଥିଲେ । କ୍ୟାଡର ମ୍ୟାନେଜମେଣ୍ଟ କରି ଏନଡିଏକୁ ବିଜୟୀ କରାଇଥିଲେ । ବିହାର ବିଜୟ ପରେ ଜାତୀୟ ଗଣମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ ନୂଆ ଚାଣକ୍ୟ ଆଖ୍ୟା ଦିଆଯାଉଛି । ବିହାର ସଫଳତା ପରେ ଓଡ଼ିଶା ଫେରିବା ବେଳେ ଧର୍ମେନ୍ଦ୍ରଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ମୋଦିଙ୍କ ଭଳି କର୍ମୀଙ୍କ ଉଦ୍ଦେଶ୍ୟରେ ସେ ଗାମୁଛା ବୁଲାଇ ବିଜୟର ଖୁସି ମନାଇଥିଲେ । କେବଳ ବିହାର ବିଜୟ ନୁହେଁ, ୨୦୨୪ରେ ଓଡ଼ିଶା ଓ ହରିଆଣା ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ସାଂଗଠନିକ ଦକ୍ଷତା ଦେଖିବାକୁ ମିଳିଥିଲା । ଧର୍ମେନ୍ଦ୍ର ସମ୍ବଲପୁରର ସାଂସଦ ହେବା ପରେ ଏଠାରେ ଦଳର ସଂଗଠନ ଆହୁରି ବଳୁଆ ହୋଇଛି । କେବଳ ସାଙ୍ଗଠିନକ ଦକ୍ଷତା ନୁହେଁ, ଦେଶର ଶିକ୍ଷାକ୍ଷେତ୍ରକୁ ନୂଆ ଦିଶା ଦେବାକୁ ୨୦୨୫ରେ ମାରାଥନ କାର୍ଯ୍ୟକ୍ରମ ଜାରି ରଖିଥିଲେ ଧର୍ମେନ୍ଦ୍ର । ଓଡ଼ିଶା ପାଇଁ ଶିକ୍ଷା ମନ୍ତ୍ରାଣାଳୟ ଏବର୍ଷ ୬ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ରାଜ୍ୟର ୭୩୫ଟି ସ୍କୁଲକୁ ପିଏମଶ୍ରୀ ସ୍କୁଲ ଯୋଜନାରେ ସାମିଲ କରାଯାଇଛି।
ଅଶ୍ୱିନୀଙ୍କ ପ୍ୟାକେଜ
ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ହାତ ଖୋଲି ଦେଇଥିଲେ ରେଳମନ୍ତ୍ରୀ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ବଜେଟ୍ରେ ଓଡ଼ିଶାକୁ ୧୦ ହଜାର ୫୯୯ କୋଟି ଟଙ୍କାର ଅନୁଦାନ ମିଳିଥିଲା । ୨୦୦୯ ଓ ୨୦୧୪ ବଜେଟର ଅନୁଦାନ ତୁଳନାରେ ଏହା ପ୍ରାୟ ୧୩ ଗୁଣା ଅଧିକ । ଅଶ୍ୱିନୀଙ୍କ ପ୍ରୟାସରେ ରାଜ୍ୟର ୪୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା । ୭୬ଟି ପ୍ରକଳ୍ପର ସର୍ଭେକୁ ଅନୁମୋଦନ ଦେଇଥିଲେ । ରେଳ ଟ୍ରାକ୍ ନିର୍ମାଣ ହାର ସାଢ଼େ ତିନି ଗୁଣା ବଢ଼ିଥିଲା । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ୩୦୬ କିମିରୁ ୨୨୬ କିମି ରେଳ ଲାଇନ୍ରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ଅମୃତ ଭାରତ ଷ୍ଟେସନ ଯୋଜନାରେ ରାଜ୍ୟର ୫୯ଟି ଷ୍ଟେସନକୁ ନବକଳେବର ପାଇଁ ଯୁଦ୍ଧକାଳୀନ କାମ ଚାଲିଲା । ନିଜେ କେନ୍ଦ୍ରମନ୍ତ୍ରୀ କ୍ଷେତ୍ରକୁ ଯାଇ ମାରାଥନ୍ ସମୀକ୍ଷା କଲେ । ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ କରିବାକୁ ମଧ୍ୟ ସେ ଯୋଜନା କରିଛନ୍ତି । ୨୦୦ ଏକର ଅଞ୍ଚଳରେ ସେମିକଣ୍ଡକ୍ଟର ଓ ଇଏସ୍ଡିଏମ ପାର୍କ ହେବ । ଏଥିରେ ୪ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।
ନୂଆପଡ଼ାରେ ପଦ୍ମ ସୁନାମି
ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ବାହାରିଲା । ସାଧାରଣ ନିର୍ବାଚନର ପରେ ପ୍ରଥମ ଥର ପାଇଁ ଉପନିର୍ବାଚନ ହେଉଥିଲା । ସବୁ ଦଳ ପାଇଁ ଥିଲା ‘ସମ୍ମାନର ପ୍ରଶ୍ନ’ । ଏହି ଉପନିର୍ବାଚନ ଉପରେ ପୂରା ରାଜ୍ୟର ନଜର ଥିଲା । ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଏକପ୍ରକାର ନିଷ୍ପତ୍ତି ନେଇ ସାରିଥିଲା । କେବଳ ଘୋଷଣା ବାକି ଥିଲା । କିନ୍ତୁ, ପ୍ରାର୍ଥୀ ଘୋଷଣାର କିଛି ଦିନ ଆଗରୁ ବିଜେଡି ଛାଡି ସେ ହଠାତ୍ ବିଜେପିରେ ମିଶିଲେ । ବିଜେପି ତାଙ୍କୁ ନୂଆପଡ଼ା ଯୋଦ୍ଧା କରି ମଇଦାନକୁ ଓହ୍ଲାଇଲା । ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ତାଙ୍କ ପୁଅ ଅଭିନନ୍ଦନଙ୍କୁ ମନାଇବାରେ ଦଳ ସକ୍ଷମ ହୋଇଥିଲା । ବିଜେଡିକୁ ବଡ଼ ଝଟ୍କା ଲାଗିଲା । କିଏ ପ୍ରାର୍ଥୀ ହେବ, ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲା ବିଜେଡି । ବହୁ କସରତ ପରେ ଜିଲ୍ଲା ବାହାରୁ ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କଲା ।
ଗତ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ିଥିବା ଘାସିରାମ ମାଝୀ କଂଗ୍ରେସରୁ ପ୍ରାର୍ଥୀ ହେଲେ । ସବୁ ଦଳର ନେତା, କର୍ମୀ ଯାଇ ନୂଆପଡ଼ାରେ ଡେରା ପକାଇଲେ । ଚାଲିଲା ହାଇପ୍ରୋଫାଇଲ୍ ପ୍ରଚାର। ଏଭଳି ନିର୍ବାଚନ ନୂଆପଡ଼ା କେବେ ଦେଖିନଥିଲା । ଖାଲି ନୂଆପଡ଼ା କାହିଁକି ଆଖପାଖ ଅଞ୍ଚଳରେ ରହିବା ପାଇଁ ଘର ଭଡ଼ା ମିଳିଲାନି । ଛତିଶଗଡ଼ ନେତାମାନେ ଆସି ବି ଡେରା ପକାଇଲେ । ଆଚରଣ ବିଧି ଲାଗୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ପାଇଁ ୧୦୦୦ କୋଟିର ପ୍ରକଳ୍ପ ଘୋଷଣା କରିଥିଲେ । ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ମାରାଥନ ପ୍ରଚାର କରୁଥିଲେ । ପିସିସି ସଭାପତି ଭକ୍ତ ଦାସ ଗଡ଼ ଜଗିଲେ । ଚାଲିଲା ଘମାଘୋଟ ପ୍ରଚାର । ନୂଆପଡ଼ାରେ କାଣ୍ଟେ କି ଟକ୍କର ହେବ ବୋଲି ସବୁ ରାଜନୈତିକ ବିଶ୍ଲେଷକ କହୁଥିଲେ । କିନ୍ତୁ, ନୂଆପଡ଼ାବାସୀ ଏକପାଖିଆ ରାୟ ଦେଇଥିଲେ । ବିଜେପି ପ୍ରାୟ ୮୩ ହଜାର ଭୋଟ ବ୍ୟବଧାନରେ ବଡ଼ ବିଜୟ ପାଇଲା ।
କଂଗ୍ରେସ ଓ ବିଜେଡି ଏହାର ଆଖପାଖରେ ରହିଲେନି । ତଥାପି କଂଗ୍ରେସ ଦ୍ୱିତୀୟ ଆସନକୁ ଉଠିବାକୁ ସକ୍ଷମ ହେଲା । କିନ୍ତୁ, ନିଜ ଆସନ ହରାଇବା ସହ ବିଜେଡି ତୃତୀୟ ସ୍ଥାନକୁ ଖସିଗଲା । ଉପନିର୍ବାଚନରେ ବିଜୟ ଟିକା ପିନ୍ଧି ହିରୋ ସାଜିଥିଲେ ଜୟ ଢୋଲକିଆ । ମୋହନ ଓ ମନମୋହନଙ୍କ ରଣନୀତିକୁ ଯାଇଥିଲା ବିଜୟର ଶ୍ରେୟ । ଦଳ ନୂଆପଡ଼ାରୁ ଭୁବନେଶ୍ୱର ପର୍ଯ୍ୟନ୍ତ କରିଥିଲା ବିଜୟ ସେଲିବ୍ରେସନ ।
ବିଜେପିର ବଲ୍ଲେ ବଲ୍ଲେ
୨୦୨୫ ବିଜେପି ପାଇଁ ଥିଲା ଖୁସିର ବର୍ଷ । ମନମୋହନ ସାମଲ ପୁଣି ଧରିଲେ ରାଜ୍ୟ ବିଜେପିର ମଙ୍ଗ । ସମସ୍ତଙ୍କୁ ସାଙ୍ଗରେ ନେଇ ଟିମ୍ ଗଢ଼ିଲେ । ଦଳ ଆଗେଇଲା, ବଳୁଆ ହେଲା । ବର୍ଷ ତମାମ ବିଜେଡି ହାତରୁ ବ୍ଲକ ଛଡ଼ାଇ ଚାଲିଲା ବିଜେପି । ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡି ଗଡ଼ ଚୂରମାର କରିଥିଲା ବିଜେପି । ବିଜେଡିକୁ ସବୁଠୁ ବଡ଼ ଝଟ୍କା ଲାଗିଥିଲା ଭଦ୍ରକ ଜିଲ୍ଲାରେ । ଜିଲ୍ଲାର ୪ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ସମିତିସଭ୍ୟ ବିଜେପିରେ ମିଶିଲେ । ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ବିଜେପିରେ ମିଶିବା ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା । ତାଳଚେର ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ବହୁ କାଉନସିଲର ପଦ୍ମ ଶିବିରକୁ ଆସିଲେ । ବିଜେଡି ପତିଆରା ଭାଙ୍ଗି ଧର୍ମଶାଳାରେ ପଦ୍ମ ଗଡ଼ ଛିଡ଼ା ହେଲା । ନୂଆପଡ଼ାରେ ବିଜେପିର ରାଜନୈତିକ ଚକ୍ମାରେ ମାଟି କାମୁଡ଼ିଲେ ବିରୋଧୀ । ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଜୟ ଢୋଲକିଆ ବିଜେପିରେ ମିଶି ପଦ୍ମ ଟିକଟରେ ଲଢ଼ିଲେ । ତାଙ୍କୁ ଜିତାଇବାକୁ ମନମୋହନ ନିଜ ଟିମ୍ ସହ ଡେରା ପକାଇ ରହିଲେ । ବିଜେପିର ମାଇକ୍ରୋ ମ୍ୟାନେଜମେଣ୍ଟ ଓ ମୋହନ-ମନମୋହନ ଯୋଡ଼ି ବିରୋଧୀ ଦଳର ନିଦ ହଜାଇ ଦେଇଥିଲା । ୮୩ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେପି ଜିତିଲା । ବଧେଇ ଜଣାଇଲେ ପ୍ରଧାନମନ୍ତ୍ରୀ । ବର୍ଷ ଶେଷ ଆଡ଼କୁ ଯୁବ, ମହିଳା, କୃଷକ ମୋର୍ଚ୍ଚା ଓ ଓବିସି ମୋର୍ଚ୍ଚାର ସଭାପତି ନିଯୁକ୍ତ ହେଲେ । ବିଜେପିର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ରାଜ୍ୟକୁ ଘନ ଘନ ଗସ୍ତ କରି ଦଳର ସାଂଗଠନିକ ସ୍ଥିତିକୁ ପରଖୁଥିଲେ । ସରକାର ଓ ସଂଗଠନ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି କାମ କରୁଥିଲେ । ଏହି ଢାଞ୍ଚାରେ ସଂଗଠନକୁ ବଳୁଆ କରିଥିଲା ବିଜେପି ।
'ସୁନାର ଓଡ଼ିଶା' ପାଇଁ ଭିଜନ ଡକ୍ୟୁମେଣ୍ଟ
୨୦୩୬ ବେଳକୁ ସୁନାର ଓଡ଼ିଶା ଗଢ଼ିବୁ । ଏବେ ବର୍ଷକୁ ମୁଣ୍ଡପିଛା ଆୟ ଅଛି ଲକ୍ଷେ ୮୮ ହଜାର ଟଙ୍କା । ଏହାକୁ ୭ଲକ୍ଷ ୭୦ ହଜାରରେ ପହଞ୍ଚାଇବୁ । ଏଭଳି ଅବିଶ୍ୱସନୀୟ ସ୍ୱପ୍ନକୁ ସତରେ ପରିଣତ କରିବାକୁ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ତିଆରି କରିଛନ୍ତି ମୋହନ ସରକାର । ୨୦୩୬ ଓ ୨୦୪୭ ପାଇଁ ଏହି ଭିଜନ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ଏବେ ଲୋକଙ୍କ ହାରାହାରି ଆୟୂଷ ୭୦ ବର୍ଷ ଅଛି । ୨୦୩୬ ସୁଦ୍ଧା ଏହାକୁ ୭୫ ବର୍ଷକୁ ବଢ଼ାଇବା ପାଇଁ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରୁ ନେଇ ବାୟୁର ଗୁଣବତ୍ତା ମାନ(ଏୟାର କ୍ୱାଲିଟି ଇଣ୍ଡେକ୍ସ)କୁ ଭଲ କରିବେ । କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବଢ଼ାଇବା, ଉଚ୍ଚଶିକ୍ଷା ହାର ବୃଦ୍ଧି, କ୍ୱାଲିଟି ଅଫ ଲାଇଫ୍ ବୃଦ୍ଧି କରିବା ସହ ରାଜ୍ୟର ନିର୍ମାଣ ଓ ଡିଜିଟାଲ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଭିଜନ ଡକ୍ୟୁମେଣ୍ଟରେ ଲକ୍ଷ୍ୟ ରଖିଛନ୍ତି ।
ନିବେଶ, ନିଯୁକ୍ତିର ସୁଅ
ନିଯୁକ୍ତି ଓ ନିବେଶକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ମୋହନ ସରକାର । ସରକାରୀ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ମେଳା ହୋଇଥିଲା । ବର୍ଷକରେ ୨୦ ହଜାର ନିଯୁକ୍ତି ପତ୍ର ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ । ୧୮ ମାସରେ ୧୩ଟି ନିଯୁକ୍ତି ମେଳା ଜରିଆରେ ୩୮ ହଜାର ସରକାରୀ ପଦରେ ନିଯୁକ୍ତି ଦିଆଯାଇଛି । ଆସନ୍ତା ୫ ବର୍ଷରେ ୫ ଲକ୍ଷ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବର୍ଷ ଆରମ୍ଭରୁ "ଉତ୍କର୍ଷ ଓଡ଼ିଶା: ମେକ୍ ଇନ ଓଡ଼ିଶା' ସମ୍ମେଳନ କରିଥିଲେ ସରକାର । ଏଥିରୁ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଲା । ରାଜ୍ୟକୁ ନିବେଶକଙ୍କୁ ଟାଣିବାକୁ ଦେଶ ଓ ବିଦେଶରେ ସମ୍ମିଳନୀ ହେଲା । ହାଇଦ୍ରାବାଦ, ଦିଲ୍ଲୀ ଓ ମୁମ୍ବାଇରେ ସମ୍ମିଳନୀ କରି ନିବେଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଲେ ସରକାର ।
ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତାରେ କଇଁଚି
ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତାରେ ଲାଗିଲା କଇଁଚି । ସଙ୍କୁଚିତ ହେଲା କ୍ଷମତା । କୌଣସି ପ୍ରକଳ୍ପର ବିଲ୍ ପାସ୍ ପାଇଁ ବ୍ଲକ୍ ଅଧ୍ୟକ୍ଷଙ୍କୁ ଗୌଣ କରି ବିଡିଓଙ୍କୁ କ୍ଷମତାଶାଳୀ କଲେ ସରକାର । ଜିଲ୍ଲା ପରିଷଦରେ କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ଙ୍କୁ ଅଧିକ କ୍ଷମତା ମିଳିଲା । ଏ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । ପୂର୍ବରୁ ୨ ଲକ୍ଷ ଟଙ୍କାରୁ କମ୍ ଫାଇଲ୍ରେ ବିଡିଓ ଦସ୍ତଖତ କରୁଥିଲେ । ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ ବ୍ଲକ ଅଧ୍ୟକ୍ଷଙ୍କ କାଉଣ୍ଟର ସାଇନ୍ ବା ଦସ୍ତଖତ ବାଧ୍ୟତାମୂଳକ ଥିଲା । ଏହି ବ୍ୟବସ୍ଥାକୁ ବଦଳାଇ ଦେଲେ ନୂଆ ସରକାର । ଏବେ ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ଫାଇଲ୍ରେ ବ୍ଲକ୍ ଅଧ୍ୟକ୍ଷ ନୁହେଁ, ବରଂ ବିଡିଓ ଦସ୍ତଖତ କରିବେ । ସେହିଭଳି ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆର୍ଥିକ କ୍ଷମତା ବଢ଼ିଛି । ଏଣିକି ସେମାନେ ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଫାଇଲରେ ଦସ୍ତଖତ କରିବେ । ଜନପ୍ରତିନିଧିଙ୍କ ଏଭଳି କ୍ଷମତା ସଙ୍କୁଚିତ ଉଦ୍ୟମକୁ ଜୋରଦାର ବିରୋଧ କରିଥିଲା ବିଜେଡି ।
ବିଶ୍ୱ ଦେଖିଲା
ଡବଲ୍ ଇଞ୍ଜିନ ଗଡ଼ିଲା, ଓଡ଼ିଶା ବିଶ୍ୱ ଦରବାରରେ ଚମକିଲା । ଚଳିତବର୍ଷ ଓଡ଼ିଶା ପାଲଟିଥିଲା ଜାତୀୟ ସମ୍ମିଳନୀର କେନ୍ଦ୍ର । ଜାନୁଆରୀରେ ସାରା ବିଶ୍ୱରୁ ପ୍ରବାସୀ ଭାରତୀୟ ଆସି ପହଞ୍ଚିଲେ ଭୁବନେଶ୍ୱରରେ । ପ୍ରବାସୀ ଭାରତୀୟ ଦିବସ ସମାରୋହ ଜନତା ମଇଦାନରେ ହେଲା । ଖାଲି ସେତିକି ନୁହେଁ, ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀ, ବିକଶିତ କୃଷି ସଂକଳ୍ପ ଅଭିଯାନ, ଜାତୀୟ ଲକ୍ଷପତି ଦିଦି ସମ୍ମିଳନୀ, ଜାତୀୟ ଖଣି ସମ୍ମିଳନୀ ଓ ଭାରତୀୟ ସଡ଼କ କଂଗ୍ରେସର ସଫଳ ଆୟୋଜନ ଓଡ଼ିଶାର ଗୌରବ ବଢ଼ାଇଥିଲା ।
ନିଗମ, ମନ୍ତ୍ରୀ ଅଙ୍କ ଛିଣ୍ଡିଲାନି
ବୋର୍ଡ, ନିଗମ ପାଇଁ ମାଳମାଳ ଆଶାୟୀ ଅନାଇ ରହିଲେ । ବର୍ଷତମାମ ଅଙ୍କକଷା ଚାଲିଲା । ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ବୋଲି ଚର୍ଚ୍ଚା ବୁଲିଲା । ଖୁବଶୀଘ୍ର ହେବ ବୋଲି ଶୀର୍ଷ ନେତୃତ୍ୱ କହି ବୁଲିଲେ । ହେଲେ ହିସାବ ଛିଣ୍ଡିଲାନି । ବର୍ଷ ସରିଲା ପଛେ ନିଗମ ଓ ମନ୍ତ୍ରୀ ଅଦଳବଦଳ ଚର୍ଚ୍ଚାରେ ବିରାମ ଲାଗିଲାନି । ନିର୍ବାଚନ ପରଠାରୁ ବୋର୍ଡ ଓ ନିଗମରେ ନିଯୁକ୍ତି ପାଇଁ ଆଲୋଚନା ଚାଲିଥିଲା । ଦଳର ସଂଗଠନ ପାଇଁ କାମ କରିଥିବା ନେତା, ଅସନ୍ତୁଷ୍ଟ ଓ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଥଇଥାନ ପାଇଁ ଯୋଜନା ହୋଇଥିଲା । କିନ୍ତୁ, ପଦଠାରୁ ଆଶାୟୀଙ୍କ ସଂଖ୍ୟା ବହୁଗୁଣା ହେଉଥିବାରୁ କାହାକୁ ସନ୍ତୁଷ୍ଟ କରାଯିବ, ତାକୁ ନେଇ ଦଳୀୟ ନେତୃତ୍ୱ ଅକଳରେ ପଡ଼ିଥିଲେ । ଏକାଧିକ ବାର ତାଲିକା ହୋଇଥିଲେ ବି ଏହା ଚୂଡ଼ାନ୍ତ ହୋଇନଥିଲା ।
ସଂରକ୍ଷଣ ରାଜନୀତି
୨୦୨୫ରେ ସଂରକ୍ଷଣ ରାଜନୀତି ତେଜିଥିଲା । ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ପାଇଁ ସବୁ ଦଳର ଦରଦ ଉଛୁଳିଥିଲା । ରାଜ୍ୟ ସରକାର ଉଚ୍ଚଶିକ୍ଷାରେ ସାମାଜିକ ଓ ଆର୍ଥିକ ପଛୁଆ(ଏସଇବିସି)ଙ୍କ ପାଇଁ ୧୧.୨୫% ସଂରକ୍ଷଣ ଘୋଷଣା କଲେ । ମେଡିକାଲ, ଇଞ୍ଜିନିୟରିଂ ସମେତ ବିଭିନ୍ନ ବୃତ୍ତିଗତ ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ଦାବି ଉଠାଇ ସରକାରଙ୍କୁ ଘେରିଥିଲେ ବିଜେଡି ଓ କଂଗ୍ରେସ । ଏ ପ୍ରସଙ୍ଗ ବିଧାନସଭାରୁ ରାଜରାସ୍ତା ଯାଏଁ ଉଠିଥିଲା । ଯେଉଁ ବର୍ଗର ସଂଖ୍ୟା ଯେତିକି, ସେଇ ଜାତିକୁ ସେତିକି ସଂରକ୍ଷଣ ଦେବାକୁ ବିରୋଧୀ ଦଳ ବାରମ୍ବାର ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ନିଗମର ପୁର୍ନଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଓଡ଼ିଶାର ୧୦୮ଟି ଏସଇବିସି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ମଧ୍ୟ ଧର୍ମେନ୍ଦ୍ର ଚିଠି ଲେଖିଥିଲେ ।
ରାଜଭବନରୁ ଲୋକଭବନ
ବର୍ଷ ଆରମ୍ଭରୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଡ. ହରିବାବୁ କମ୍ଭମ୍ପାଟି । ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥପାଠ କରାଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜଭବନ ନାଁ ବଦଳାଇବାକୁ ବିଜ୍ଞପ୍ତି ବାହାର କଲା । କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ପୁରୀ ଓ ଭୁବନେଶ୍ୱରରେ ରାଜଭବନ ନାଁ ବଦଳି ଲୋକଭବନ ରଖାଗଲା ।
ନିଜ ଦରମା ବଢ଼ାଇ ହଟହଟା
ବର୍ଷ ଶେଷବେଳକୁ ଆସିଲା ବିଧାନସଭାର ଶୀତ ଅଧିବେଶନ । ଏହି ବିଦାୟୀ ଅଧିବେଶନରେ ସବୁ ଦଳ, ବିଧାୟକ ଏକ୍ ହୋଇଗଲେ । ଯେତେ ଯାହା ପ୍ରସଙ୍ଗ ଥିଲା, ସେଗୁଡ଼ିକୁ ଗୌଣ କରି ନିଜ ଦରମା ବୃଦ୍ଧି ପାଇଁ ଲାଗି ପଡ଼ିଲେ । ସର୍ବସମ୍ମତିରେ ବିଧାୟକଙ୍କ ଦରମା ବୃଦ୍ଧି ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ନେଇ ବିଲ୍ ପାରିତ ହେଲା । ହେଲେ ବିଧାୟକଙ୍କ ଦରମା ଓ ଭତ୍ତା ରାଶି ଏକକାଳୀନ ୩ ଗୁଣାରୁ ଅଧିକ ବଢ଼ିବାରୁ ଛିଡ଼ା ହେଲା ବିବାଦ । ସାଧାରଣ ଜନତା, ବିଭିନ୍ନ ଅନୁଷ୍ଠାନ, ସଂଗଠନ, ଆନ୍ଦୋଳନରେ ବସିଥିବା ବିଭିନ୍ନ ବର୍ଗର କର୍ମଚାରୀ ସଂଘ ରାଜନୈତିକ ଦଳଗୁଡ଼ିକୁ ପ୍ରଶ୍ନରେ ଘେରିଲେ । ଏହାକୁ ନେଇ ଲୋକଙ୍କ ନଜରରେ ଖସିଗଲେ ସମସ୍ତ ରାଜନୈତିକ ଦଳ । ଏମିତି ସ୍ଥିତି ହେଲା, ଉଭୟ ଶାସକ ଓ ବିରୋଧୀ ଦଳ ଦରମା ବୃଦ୍ଧିର ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ । ଏହା ପୂର୍ବରୁ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବର୍ଦ୍ଧିତ ଦରମାକୁ ନାପସନ୍ଦ କରିଥିଲେ । ବର୍ଦ୍ଧିତ ଦରମା ନେବେନି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀଙ୍କୁ।
ପ୍ରଥମ ମହିଳା ମୁଖ୍ୟ ସଚିବ
ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ପରେ ଅନୁ ଗର୍ଗ ହେବେ ରାଜ୍ୟ ପ୍ରଶାସନର ମୁଖ୍ୟ । ଉନ୍ନୟନ କମିଶନର ଥିବା ଶ୍ରୀମତୀ ଗର୍ଗଙ୍କୁ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବାର ଗୌରବ ପାଇଥିଲେ । ଆଇଏଏସ, ଆଇପିଏସ ସ୍ତରରେ ବଡ଼ ଅଦଳବଦଳ ହୋଇଥିଲା । ବର୍ଷ ଶେଷକୁ ବିଭିନ୍ନ ଜିଲ୍ଲାରେ ନୂଆ ସରକାରୀ ଓକିଲ ନିଯୁକ୍ତ ହୋଇଥିଲେ ।
ନବୀନଙ୍କ କଠିନ ପରୀକ୍ଷା
ବର୍ଷ ତମାମ କଠିନ ରାସ୍ତାରେ ସଂଘର୍ଷ ଭରା ଯାତ୍ରା କରିବାକୁ ପଡ଼ିଲା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ । ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟ ସମସ୍ୟାରୁ ଆରୋଗ୍ୟ ପାଇଲେ ସତ, କିନ୍ତୁ ଦଳର ଆଭ୍ୟନ୍ତରୀଣ କନ୍ଦଳ ଓ ସମସ୍ୟା ସାରା ବର୍ଷ ଯନ୍ତ୍ରଣା ଦେଲା । ନବମ ଥର ପାଇଁ ବିଜେଡିର ସଭାପତି ସିଂହାସନରେ ବସିଲେ ନବୀନ । ହେଲେ ସଭାପତି ଭାବେ ଏହି ଇନିଂସରେ ବିରୋଧୀଙ୍କଠାରୁ ବେଶି ନାକେଦମ କରିଛନ୍ତି ନିଜ ଦଳର ନେତା ଓ ଅନୁଗତ । ୱାକଫ ବିଲ୍ ବିଜେଡି ଓ ନବୀନଙ୍କ ପାଇଁ ଝଡ଼ ହୋଇ ଆସିଲା । ପ୍ରଥମ ଥର ପାଇଁ ନେତୃତ୍ୱଙ୍କ ନିଷ୍ପତ୍ତିକୁ ହେଲା ଖୋଲା ବିରୋଧ । ସାଂସଦ-ସାଂସଦ କଥା କଟାକଟି, ବୟାନବାଜି ଚାଲିଲା । ଦଳର ପରିଚାଳନାକୁ ନେଇ ଅନେକ ବରିଷ୍ଠ ଓ ଯୁବ ନେତା ଅସନ୍ତୋଷ ଝାଡ଼ିଲେ । ମେଳି କଲେ । ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ବରିଷ୍ଠଙ୍କୁ ବାହାର ରାସ୍ତା ଦେଖାଇଲେ ନବୀନ । ପ୍ରଭାତ ତ୍ରିପାଠୀଙ୍କ ପାଇଁ ବି କଠୋର ବାଣୀ ଶୁଣାଇଲେ । ହେଲେ ନାଲି ଆଖି କାଟୁ କଲାନି । ବର୍ଷ ଶେଷ ଯାଏ ବୟାନବାଜି, ମେଳି ବିଜେଡି ପିଛା ଛାଡ଼ିଲାନି । ବିଜେଡି ଦଖଲରୁ ବହୁ ବ୍ଲକ ଖସିଯିବା, ନେତା ଦଳ ଡେଇଁବା ଢେର ନାକେଦମ କରିଥିଲା । ନୂଆପଡ଼ା ନବୀନଙ୍କୁ ଶକ୍କ ଧକ୍କା ଦେଲା । ତାଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନ ଉଠିଲା । ବିଧାନସଭାରେ କମ୍ ଉପସ୍ଥିତି ନେଇ ଶାସକ ଦଳର ଟାର୍ଗେଟରେ ରହିଲେ ନବୀନ । ବିଜେଡିର ଅସ୍ତିତ୍ୱ ଓ ଉତ୍ତରାଧିକାରୀ ଚର୍ଚ୍ଚା ନବୀନଙ୍କୁ ବେଶ୍ ବ୍ୟଥିତ କରିଥିଲା । ବର୍ଷ ଶେଷରେ ପ୍ରତିଷ୍ଠା ଦିବସ ମଞ୍ଚରୁ ନବୀନ ତାଙ୍କ ବିରୋଧୀଙ୍କୁ ଜବାବ ଦେଇ କହିଥିଲେ, ବିଜେଡି ଅଛି, ଆହୁରି ଶହେ ବର୍ଷ ଯାଏ ରହିବ ।
ଦଳୀୟ କନ୍ଦଳରେ ବର୍ଷ ସାରା ଘାଣ୍ଟି ଚକଟି
ହେଲା ବିଜେଡି । ୱାକଫ ବିଲ୍କୁ ନେଇ ଦଳ ଭିତରେ ଖୋଲା ବିଦ୍ରୋହ ସ୍ଥିତି ଉପୁଜିଲା । ଦଳର ନିଷ୍ପତ୍ତି ବିରୋଧରେ ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ ଖୋଲାଖୋଲି ଅସନ୍ତୋଷ ଝାଡ଼ିଲେ । ନବୀନ ନିବାସରେ ପ୍ରଥମ ଥର ପାଇଁ ପ୍ରତିବାଦର ନାରାବାଜି ଶୁଭିଲା । ସସ୍ମିତ ପାତ୍ର ଏ ପ୍ରସଙ୍ଗରେ ବରିଷ୍ଠଙ୍କ ଟାର୍ଗେଟରେ ରହିଲେ । ସାଂସଦଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଲା । ଏ ପ୍ରସଙ୍ଗ ଥମିବା ପରେ ଦଳର ସାଂଗଠନିକ ପଦପଦବୀକୁ ନେଇ ବି ଅସନ୍ତୋଷ ଲାଗି ରହିଲା । ପ୍ରଭାବଶାଳୀ ପରାଜିତ ନେତାଙ୍କୁ ପୁଣି ସଂଗଠନରେ ଗୁରୁତ୍ୱ ଦେବାରୁ ବିଜେଡିରେ ଅସନ୍ତୋଷ ବଢ଼ିଲା । ମୁନ୍ନା ଖାଁ ସଂଖ୍ୟା ଲଘୁ ସେଲ୍ ପଦ ଓ ଦେବାଶିଷ ସାମନ୍ତରାୟ ଦଳର ଉପସଭାପତି ପଦ ଛାଡ଼ିଲେ । ଛାମୁଆ ନେତାଙ୍କ ଚୟନରେ ବି ଦଳରେ ବିବାଦ ଉଠିଥିଲା । ବାରମ୍ବାର ଦଳରେ ମେଳି, ବୟାନବାଜି ନବୀନ ନିବାସକୁ ଅକଳରେ ପକାଇଥିଲା । ସମାଲୋଚନା ସୀମା ଡେଇଁବାରୁ ପ୍ରଫୁଲ୍ଲ ମଲ୍ଲିକ, ପ୍ରଭାତ ତ୍ରିପାଠୀ, ଶ୍ରୀମୟୀ ମିଶ୍ର ଦଳରୁ ହଟିଲେ । ଅମର ଶତପଥୀ ଦଳରୁ ଦୂରେଇ ଗଲେ । ତଥାପି ଭୂପିନ୍ଦର ସିଂ ଓ ଦେବାଶିଷ ସାମନ୍ତରାୟ ଦଳୀୟ ପରିଚାଳନା ନେଇ ବାରମ୍ବାର ଅସନ୍ତୋଷ ଝାଡ଼ିଥିଲେ । ବଦ୍ରି ପାତ୍ର, ଶଶୀ ବେହେରା, ଅରୁଣ ସାହୁ, ରାଜା ସ୍ୱାଇଁଙ୍କ ପରି ବରିଷ୍ଠ ମଝିରେ ମଝିରେ ତେର୍ଛା ତୀର ମାରି ଦଳର ଅଡ଼ୁଆ ବଢ଼ାଇଥିଲେ । ଏନ୍.ଭାସ୍କର ରାଓ ଦଳ ଛାଡ଼ିବା ବଡ଼ ଝଟକା ଦେଇଥିଲା ରାୟଗଡ଼ାରେ । ଭଦ୍ରକରେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅଙ୍କ ସମେତ ୪ ବ୍ଲକ ଅଧ୍ୟକ୍ଷ ଏକାବେଳକେ ବିଜେଡ ଛାଡ଼ି ପଳାଇଲେ । ପୂର୍ବତନ ସାଂସଦ ଅମର ପଟ୍ଟନାୟକ ବି ନୂଆପଡ଼ା ଉପନିର୍ବାଚନ ସମୟରେ ଦଳକୁ ଝଟକା ଦେଇ ପଦ୍ମ ଧରିଲେ । ରାଜ୍ୟ ଶାସନରୁ କ୍ଷମତାଚ୍ୟୁତ ହେବା ପରେ ବିଜେଡି ହାତରୁ ଗୋଟିଏ ଗୋଟିଏ କରି ପ୍ରାୟ ୧୮ଟି ବ୍ଲକ ଖସି ବିଜେପି ହାତକୁ ପଳାଇବା ଚିନ୍ତା ବଢ଼ାଇଥିଲା । ବର୍ଷ ଶେଷରେ ପ୍ରତିଷ୍ଠା ଦିବସ ମଞ୍ଚରୁ ପ୍ରଭାତ ବିଶ୍ୱାଳ, ବଦ୍ରି ପାତ୍ର ଯେଉଁଭଳି ବୟାନ ରଖିଲେ, ତାହା ଦଳର କନ୍ଦଳକୁ ପୁଣି ହାଟରେ ପକାଇଲା । ବିଦାୟ ନେବାବେଳେ ୨୦୨୫ ସଙ୍କେତ ଦେଖାଇଥିଲା, ୨୦୨୬ରେ ଆଉ କିଛି ବଡ଼ ନେତା ଶଙ୍ଖ ଦଳ ଛାଡ଼ିବାକୁ ପ୍ରସ୍ତୁତି ଚଳାଇଛନ୍ତି ।
କଂଗ୍ରେସର ସାପ, ସିଡି ଖେଳ
ବରିଷ୍ଠ ଭକ୍ତ ଦାସଙ୍କୁ ଭରସିଲେ କେନ୍ଦ୍ରୀୟ ନେତୃତ୍ୱ । ଫେବ୍ରୁଆରୀରେ ଭକ୍ତ ଧରିଲେ ଓଡ଼ିଶା କଂଗ୍ରେସ ମଙ୍ଗ । ପୁରୀକୁ ପଦଯାତ୍ରା, ବିଧାନସଭାରେ କଂଗ୍ରେସର ଦମଦାର ପ୍ରଦର୍ଶନ, ଓଡ଼ିଶା ବନ୍ଦ, ଜୁଲାଇରେ ରାହୁଲ ଗାନ୍ଧିଙ୍କ ବରମୁଣ୍ଡା ସମାବେଶ ଦଳରେ ଭରିଲା ନୂଆ ଉତ୍ସାହ । ସରକାରଙ୍କୁ ବିରୋଧ କରିବାରେ ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ବି ପଛରେ ପକାଇ ଦେଲା କଂଗ୍ରେସ । ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ଲଢ଼େଇ ଓ ବିଧାନସଭାରେ ସମସ୍ତ ୧୪ ବିଧାୟକ ନିଲମ୍ବନ ରାଜ୍ୟ ରାଜନୀତିରେ ହଟଚମଟ ଆଣିଲା । ରାହୁଲଙ୍କ ସମାବେଶରେ ବରମୁଣ୍ଡା ପଡ଼ିଆ ଯେତେବେଳେ ଉଛୁଳିଲା, କଂଗ୍ରେସ କର୍ମୀ ଓ ନେତାଙ୍କ ଉତ୍ସାହ ଶୀର୍ଷ ଛୁଇଁଲା ।
ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଲା- ରାଜ୍ୟରେ କଂଗ୍ରେସ ବଢ଼ୁଛି । ପିସିସି ସଭାପତି ବି ଠିକ୍ ଟ୍ରାକରେ ଯିବା ଭଳି ମନେ ହେଉଥିଲା । ମାତ୍ର ନୂଆପଡ଼ା ଉପନିର୍ବାଚନ ଆସିଲାବେଳକୁ କଂଗ୍ରେସରେ ଆରମ୍ଭ ହୋଇଗଲା ଗୋଡ଼ଟଣା, ବୟାନବାଜି । ସଂଗଠନରେ ଯିଏ ଅଣଦେଖା ହେଲେ, ସିଧା ଭକ୍ତଙ୍କୁ ଟାର୍ଗେଟ କଲେ । ନୂଆପଡ଼ା ଉପନିର୍ବାଚନରେ ଦଳ ଦୁଇ ନମ୍ବରକୁ ଆସିଲେ ମଧ୍ୟ ଭୋଟ ହାରରେ ବହୁ ପଛରେ ରହିଲା । ଏଇଠୁ ଆରମ୍ଭ ହେଲା କଂଗ୍ରେସର ସାପ ସିଡ଼ି ଖେଳ । ଯେତିକି ବାଟ ଆଗେଇଥିଲେ, ପରସ୍ପର ଗୋହି ଖୋଳା ଓ ଟଣାଓଟରାରେ ସେତିକି ତଳକୁ ଖସି ଆସିଲେ । ପିସିସି ସଭାପତିଙ୍କ ବିଭୀଷଣ ମନ୍ତବ୍ୟରୁ ବିବାଦ ତେଜିଲା । ନେତୃତ୍ୱ ବିରୋଧରେ ଖୋଲା ଯୁଦ୍ଧକୁ ଓହ୍ଲାଇ ଦଳରୁ ବିଦା ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଛାତ୍ର ସଭାପତି ଉଦିତ ପ୍ରଧାନ ଏକ ବିବାଦୀୟ ମାମଲାରେ ଗିରଫ ଗିରଫ ହେବା ଦଳର ଅଡ଼ୁଆ ବଢ଼ାଇଥିଲା ।
ନୂଆ ଆଞ୍ଚଳିକ ଦଳ ଚର୍ଚ୍ଚା
ବଢ଼ିଲା ଭେଟଘାଟ । ଚାଲିଲା ଚର୍ଚ୍ଚା- ରାଜ୍ୟରେ ଗଢ଼ା ହେବ ନୂଆ ଆଞ୍ଚଳିକ ଦଳ । ବର୍ଷ ଶେଷବେଳକୁ ଏ ଚର୍ଚ୍ଚା ଘନେଇଲା । ବିଜେଡିରୁ ଦୂରେଇ ଯାଇଥିବା କିମ୍ବା କୋଣଠେସା ନେତା, କଂଗ୍ରେସରୁ ବାଦ୍ ପଡ଼ିଥିବା ନେତା ଏବଂ ଦୀର୍ଘବର୍ଷରୁ ସୁଯୋଗ ଅପେକ୍ଷାରେ ଥିବା ନେତାମାନେ ପୃଥକ ପୃଥକ ସମୟରେ ଏକାଠି ହେବା ପରେ ଏମିତି ଆଲୋଚନାକୁ ବଳ ମିଳିଥିଲା । ବିଶେଷ କରି ବିଜୟ ମହପାତ୍ରଙ୍କ ଘରକୁ ମହମ୍ମଦ ମୋକିମ ଯିବା, ଅମର ଶତପଥି ଓ ପ୍ରଭାତ ତ୍ରିପାଠୀଙ୍କ ଏକାଠି ହେବା ନେଇ ଏଭଳି ଚର୍ଚ୍ଚା ବଢ଼ିଥିଲା । ବିଜେଡିର କିଛି ନେତା ମେଳି ବାନ୍ଧିବା, ଯାଜପୁରରେ ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ ପରେ ଏମିତି ଖବର ଆହୁରି ବଢ଼ିଥିଲା ।
ମହାନଦୀ ବିବାଦର ସମାଧାନ ଆଶା
ମହାନଦୀ ଜଳ ବିବାଦର ସମାଧାନ ପାଇଁ ସବୁ ସ୍ତରରେ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା-ଛତିଶଗଡ଼ ସରକାର ମଧ୍ୟରେ ଆପୋଷ ବୁଝାମଣା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗେଇ ଆସିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏ ନେଇ ଆଲୋଚନା କରିବା ପରେ ଉଭୟ ରାଜ୍ୟ ବୁଝାମଣା ଦିଗରେ ଆଗେଇଛନ୍ତି । ଅନ୍ୟପଟେ ରାଜ୍ୟରେ ସବୁ ଦଳକୁ ନେଇ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି । ସରକାରଙ୍କ ଏହି ଉଦ୍ୟମ ଲୋକଙ୍କ ମନରେ ଆଶା ସଞ୍ଚାର କରିଛି ।
ଯୋଜନା ଘୋଷଣା
ଅନେକ ନୂଆ ଯୋଜନା, କାର୍ଯ୍ୟକ୍ରମ ଓ ଘୋଷଣା ନେଇ ଆସିଥିଲେ ମୋହନ ସରକାର । ସରକାରଙ୍କ ବର୍ଷପୂର୍ତ୍ତି ଉପହାର ବାକ୍ସରୁ ବାହାରିଲା ଅନ୍ତ୍ୟୋଦୟ ଗୃହ ଯୋଜନା । ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ଏଥିରେ ଉପକୃତ ହେବେ ଭିନ୍ନକ୍ଷମ, ବିଧବା, ସହିଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ କ୍ଷତିଗ୍ରସ୍ତ ଓ ବନ୍ୟା କ୍ଷତିଗ୍ରସ୍ତ ପରିବାର । ୮୦ ବର୍ଷରୁ ଅଧିକ ବୟସ୍କ, ୮୦%ରୁ ଅଧିକ ଶାରିରୀକ ଅକ୍ଷମଙ୍କ ସହାୟତା ପାଇଁ ଭତ୍ତା ହେଲା ୩୫୦୦ ଟଙ୍କା । ଏ ବର୍ଷର ମାଇଲଖୁଣ୍ଟ ଥିଲା ଆୟୁଷ୍ମାନ ଯୋଜନା । ପ୍ରଥମଥର ପାଇଁ ଓଡ଼ିଶାରେ ଏହା ଲାଗୁ ହେଲା । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ମିଶାଇ ନୂଆ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ହେଲା । ଏଥିରେ ପରିବାର ପିଛା ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଓ ମହିଳାଙ୍କୁ ଅତିରିକ୍ତ ୫ଲକ୍ଷ ଟଙ୍କାର ଚିକିତ୍ସା ସେବା ବ୍ୟବସ୍ଥା କରିଛନ୍ତି ସରରକାର । ୭୦ ବର୍ଷରୁ ଅଧିକ ବୟସ୍କ ପାଇଲେ ଆୟୁଷ୍ମାନ ବୟୋବନ୍ଦନା ଯୋଜନା । କନ୍ୟା ସନ୍ତାନଙ୍କ ଜନ୍ମ ସହାୟତା ରାଶି ବଢ଼ି ୧୨ହଜାର ହେଲା । ବଢ଼ିଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପ୍ରୋତ୍ସାହନ ରାଶି । ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବଢ଼ି ୪୨ ହେଲା । କନ୍ୟା ବିବାହ ପାଇଁ ୫୧ ହଜାର ଟଙ୍କାର ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ଏସ୍ସି , ଏସ୍ଟି, ଦିବ୍ୟାଙ୍ଗ, ଆର୍ଥିକ ଅନଗ୍ରସର, ବିଧବା ମହିଳାଙ୍କ କନ୍ୟା ବିବାହ ପାଇଁ ଏହି ସହାୟତା ମିଳିବ । ୧୭ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରି ଓଡ଼ିଶା ଦେଶରେ ଉଦାହରଣ ସୃଷ୍ଟି କଲା । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀ ଉପକୃତ ହେଲେ । ‘ଆମ ଶାସନ’ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଫୋନ ଯୋଗେ ସିଧାସଳଖ ଲୋକ ସହ ଯୋଡ଼ି ହେଲେ । ପଞ୍ଚାୟତସ୍ତରରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଆଦର୍ଶ ବିଦ୍ୟାଳୟ ଯୋଜନା । ବିକଶିତ ଗାଁ ବିକଶିତ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ଆଣିଲେ ସରକାର । ଏକ୍ସପ୍ରେସୱେ, ରିଙ୍ଗରୋଡ୍, ନୂଆ ରାଜପଥ ନିର୍ମାଣ ଯୋଜନା ହେଲା । ସମ୍ପ୍ରସାରିତ ହେଲା ମୁଖ୍ୟମନ୍ତ୍ରୀ ବସ ସେବା । ବିମାନ ଚଳାଚଳରେ ଆଗକୁ ବଢ଼ିବାକୁ ଆସିଲା ‘ବିମାନ’ ଯୋଜନା । ସବୁ ବର୍ଗ ପାଇଁ ଆସିଥିଲା ଯୋଜନା ।