କଟକ/ଭୁବନେଶ୍ୱର,୨୨/୦୧: ପୂର୍ବରୁ କିଛି ନିଲାମଧାରୀଙ୍କୁ ବାହାର ରାଜ୍ୟକୁ ବାଲି ଚାଲାଣ ପାଇଁ ଅନୁମତି ମିଳିଥିଲା । ଏହାଦ୍ୱାରା ରାଜ୍ୟ ସରକାରଙ୍କୁ କିଛି ରାଜସ୍ୱ ମିଳୁଥିଲା । କିନ୍ତୁ ଏବେ କୌଣସି ଜଣେ ବି ବାଲିଘାଟ ନିଲାମଧାରୀଙ୍କୁ ବାହାର ରାଜ୍ୟକୁ ବାଲି ଚାଲାଣ ପାଇଁ ଅନୁମତି ଦିଆଯାଇନାହିଁ । ଏହା ସତ୍ତେ୍ୱ ପୂର୍ବଭଳି ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ (ୟୁପି) ଓ ଅନ୍ୟ କେତେକ ପଡ଼ୋଶୀ ରାଜ୍ୟକୁ ବେଆଇନ ଭାବେ ବାଲି ଚାଲାଣ କରାଯାଉଛି । ଏଭଳି ବେଆଇନ ଚାଲାଣ ଉପରେ ବିଭିନ୍ନ ଜିଲ୍ଲା ଖଣି ଅଧିକାରୀଙ୍କ କୌଣସି ପ୍ରକାର ନିୟନ୍ତ୍ରଣ ନାହିଁ ।

ମିଳିଥିବା ସୂଚନା ଅନୁସାରେ, ବାହାର ରାଜ୍ୟକୁ ବାଲି ଚାଲାଣ ପାଇଁ ଜିଲ୍ଲା ଖଣି ବିଭାଗ ଅନୁମତି ପ୍ରଦାନ କରିଥାଏ । ପ୍ରାୟ ଦୁଇବର୍ଷ ତଳେ ଜିଲ୍ଲାରେ ବାହାର ରାଜ୍ୟକୁ ବିଧିବଦ୍ଧ ଭାବେ ବାଲି ଚାଲାଣ ପାଇଁ ଜିଲ୍ଲା ଖଣି ବିଭାଗ ପକ୍ଷରୁ ୭/୮ ଜଣ ନିଲାମଧାରୀଙ୍କୁ ଅନୁମତି ଦିଆଯାଇଥିଲା ।ଯେଉଁମାନେ ଏହି ଅନୁମତି ପାଉଥିଲେ ସେମାନେ ଜଗତପୁର ଏବଂ ମଙ୍ଗୁଳିରେ ଡିପୋ କରି ବାଲି ଠୁଳ କରୁଥିଲେ । ସେହିସବୁ ସ୍ଥାନରୁ ଟ୍ରେନ୍ ଅବା ଟ୍ରକ୍ ଯୋଗେ ବାଲି ଚାଲାଣ କରାଯାଉଥିଲା । କିନ୍ତୁ ଏବେ ପ୍ରାୟ ଦୁଇ ବର୍ଷ ଧରି କଟକ ଜିଲ୍ଲାରେ ଆଉ କୌଣସି ଜଣେ ବି ବାଲିଘାଟ ନିଲାମଧାରୀଙ୍କୁ ବାହାର ରାଜ୍ୟକୁ ବାଲି ଚାଲାଣ ପାଇଁ ଅନୁମତି ଦିଆଯାଇ ନାହିଁ । ଏହାସତ୍ତେ୍ୱ କଟକରୁ ବାହାର ରାଜ୍ୟକୁ ବାଲି ଚାଲାଣ ଚାଲିଛି । ଯଦିଓ ଟ୍ରେନ୍ରେ ବାଲି ଚାଲାଣ ହେଉଥିବାର ଆଉ କୌଣସି ସୂଚନା ମିଳିନାହିଁ କିନ୍ତୁ ଏବେ ବି ଆନ୍ଧ୍ର ତଥା ଅନ୍ୟାନ୍ୟ ରାଜ୍ୟରୁ ବିଭିନ୍ନ ସାମଗ୍ରୀ ନେଇ ଆସୁଥିବା ଟ୍ରକ୍‌ ଗୁଡ଼ିକରେ ବାଲି ଚାଲାଣ ହେଉଥିବାର ଜଣାପଡ଼ିଛି । କଟକ ହେଉଛି ବ୍ୟବସାୟୀକ ପେଣ୍ଠସ୍ଥଳୀ । ଏଠାକୁ ଜାମ୍ମୁକାଶ୍ମୀରରୁ ସେଓଠାରୁ ଆରମ୍ଭ କରି ଆନ୍ଧ୍ରରୁ କଦଳୀ, ମାଛ ଆଦି ଆସିଥାଏ । ଏହିସବୁ ଟ୍ରକ୍ ଗୁଡ଼ିକ ସେମାନଙ୍କ ରାଜ୍ୟକୁ ଫେରିବା ବେଳେ ବାଲି ନେଇ ଯାଉଥିବା ଅଭିଯୋଗ ହେଉଛି ।

କେବଳ କଟକ ଜିଲ୍ଲା ନୁହେଁ, ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖାକୁ ତାଡ଼ିନେଲେଣି । ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଯାଉଛି ପଶ୍ଚିମବଙ୍ଗ । ଏହି ଚୋରା ବାଲି ଚାଲାଣ ପାଇଁ ପ୍ରତିମାସ ଜିଲ୍ଲା ପ୍ରଶାସନ ପାଖାପାଖି ୫୦ କୋଟିରୁ ଅଧିକ ଟଙ୍କାର ରାଜସ୍ୱ ହରାଉଛି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧୀନରେ ଜମ୍ଭିରା ନଦୀ ସୈରାତ୍ରୁ ଦୀର୍ଘ ବର୍ଷ ଧରି ବାଲି ଚୋରା ଚାଲାଣ ହେଉଛି ପଶ୍ଚିମବଙ୍ଗକୁ । ବାରିପଦାରୁ ଖଣି ବିଭାଗର ଅଧିକାରୀ ଆସି ଚୋରା ବାଲି ଚାଲାଣ ରୋକିବାରେ ବିଫଳ ହେଉଛନ୍ତି ।

ଛତିଶଗଡ଼ରେ ବରଗଡ଼ ବାଲିର ପ୍ରବଳ ଡ଼ିମାଣ୍ଡ । ସେଥି ପାଇଁ ଦିନରାତି ଏକ କରି ଶହ ଶହ ଟ୍ରିପ ହାଇୱାରେ ବାଲି ଛତିଶଗଡକୁ ଚାଲାଣ ହେଉଛି । ପଦ୍ମପୁର ଉପଖଣ୍ଡର ସୀମାନ୍ତ ଝାରବନ୍ଧ, ପାଇକମାଳ ଓ ରାଜବୋଡାସମ୍ୱର ବ୍ଲକରେ ପ୍ରବାହିତ ଅଙ୍ଗ ଓ ଜୋଙ୍କ ନଦୀର ବାଲି ଆଜି ମୁକ୍ତା ପାଲଟିଯାଇଛି । ଛତିଶଗଡରେ ନିର୍ମାଣ କାର୍ଯ୍ୟ ପାଇଁ ଝାରବନ୍ଧ-ଜଗଦଲପୁର, ପଦ୍ମପୁର-ଲଖମରା, ପାଇକମାଳ-କୁଞ୍ଜାରୀ ସୀମାନ୍ତ ରାସ୍ତା ଦେଇ ବାଲି ଚାଲାଣ କରାଯାଉଛି ।

ନବରଙ୍ଗପୁର ଜିଲ୍ଲାରେ ଓଡିଶା-ଛତିଶଗଡ ସୀମାରେ ପ୍ରବାହିତ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀରୁ ବାଲି ଉତ୍ତୋଳନ ଚାଲିଛି । ଛତିଶଗଡର ବାଲି ମାଫିଆ ବାଲି ଉତ୍ତୋଳନ କରୁଛନ୍ତି । ରାୟଗଡ଼ା ଜିଲ୍ଲାର ଚିରସ୍ରୋତା ନାଗାବଳୀ ନଦୀରେ ମାଳମାଳ ଚୋରା ବାଲିଘାଟ ରହିଛି । ସରକାରଙ୍କ ଆଖିରେ ପୁଟୁଳି ବାନ୍ଧି ଏଠାରୁ ବାଲି ଚୋରାଚାଲାଣ ହେଉଛି । ବିଭିନ୍ନ ଟିପର ଓ ଟ୍ରକ୍ ଯୋଗେ ଶତାଧିକ ଟ୍ରିପ ବାଲି ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଚାଲାଣ କରାଯାଉଛି । ବିଶାଖାପଟ୍ଟନମ ଓ ବିଜୟନଗରମ ସହରକୁ ଏହି ବାଲି ପ୍ରତିଦିନ ଚାଲାଣ କରାଯାଉଥିବା ନଜରକୁ ଆସିଛି ।

୨୦୧୬ ମସିହାରେ ଟ୍ରେନ୍ରେ କଟକରୁ ଉତ୍ତରପ୍ରଦେଶକୁ ବାଲିଚାଲାଣ ହେଉଥିଲାବେଳେ ତତ୍କାଳୀନ ଜିଲ୍ଲାପାଳ ଏହି ବାଲିକୁ ଜବତ କରିଥିଲେ । ଏହି ଘଟଣା ସେତେବେଳେ ଚର୍ଚ୍ଚା ସୃଷ୍ଟି କରିଥିଲା । କଟକରୁ କେବଳ ୟୁପି ନୁହେଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବାର ଅନେକ ପ୍ରମାଣ ରହିଥିଲା । ସେତେବେଳେ ଏହି ଘଟଣାକୁ ନେଇ ତତ୍କାଳୀନ ଜିଲ୍ଲାପାଳ ଏହି ଚୋରା ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ଚଢ଼ଉ ପରେ କିଛିଦିନ ପାଇଁ ପଡ଼ୋଶୀ ରାଜ୍ୟକୁ ବାଲି ଚାଲାଣ ସିନା ବନ୍ଦ ହୋଇଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ପୁଣି ଏହି ର୍ୟାକେଟ୍ ସକ୍ରିୟ ହୋଇଯାଇଛି ।

ଏଭଳି ବେଆଇନ ବାଲିଚାଲାଣ ଦ୍ୱାରା ରାଜ୍ୟ ସରକାରଙ୍କୁ ବିପୁଳ ରାଜସ୍ୱ କ୍ଷତି ସହିବାକୁ ପଡ଼ୁଛି । ଯଦି ଖଣି ବିଭାଗ କିଛି ବାଲିଘାଟ ନିଲାମଧାରୀଙ୍କୁ ବାହାର ରାଜ୍ୟକୁ ବାଲି ବିକ୍ରି ପାଇଁ ଅନୁମତି ଦେଇଥାନ୍ତେ ତାହେଲେ ଏହାଦ୍ୱାରା ରାଜ୍ୟ ସରକାରଙ୍କୁ ରାଜସ୍ୱ ମିଳିଥାନ୍ତା । କିନ୍ତୁ ଏବେ ବାହାର ରାଜ୍ୟକୁ ବାଲି ଚାଲାଣ ପାଇଁ କୌଣସି ନିଲାମଧାରୀଙ୍କୁ ଅନୁମତି ମିଳିନାହିଁ । ଫଳରେ ଗୋଟେ ପଟେ ରାଜ୍ୟ ସରକାରଙ୍କ ରାଜସ୍ୱ ହାନି ହେଉଥିବାବେଳେ ଅନ୍ୟପଟେ ବାଲି ମାଫିଆମାନେ ମାଲାମାଲ୍ ହେଉଛନ୍ତି ।

ଆହୁରି ପଢ଼ନ୍ତୁ:-ଫେବ୍ରୁଆରୀରେ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ