ଭୁବନେଶ୍ଵର, ୧୪/୦୭ : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ଆବେଦନ ତାରିଖ ଘୋଷଣା। ଏଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହୋଇ ୧୪ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ବରିଷ୍ଠ ନାଗରିକମାନଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ଓ ତୀର୍ଥଯାତ୍ରାର ଅଭିଳାଷକୁ ପୂରଣ କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 'ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭' ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି।
ଓଡ଼ିଶା ଟୁରିଜିମ୍ ଏବଂ IRCTCର ସହଯୋଗରେ ଚଳିତ ବର୍ଷ ବରିଷ୍ଠ ନାଗରିକମାନଙ୍କୁ ବାରାଣସୀ-ଅଯୋଧ୍ୟା, ରାମେଶ୍ୱରମ୍-ମଦୁରାଇ ଏବଂ ହରିଦ୍ୱାର-ଋଷିକେଶ ଭଳି ପବିତ୍ର ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରାଯିବ। ଯାତ୍ରା ସମୟରେ ପରିବହନ, ରହଣି, ଖାଦ୍ୟପେୟ, ଯାତ୍ରୀ ବୀମା ଓ ଚିକିତ୍ସା ଆଦି ବ୍ୟବସ୍ଥା କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ୪୫,୫୫୫ ରୁ ଅଧିକ ବରିଷ୍ଠ ନାଗରିକ ଏହି 'ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା'ର ଲାଭ ଉଠାଇ ଭାରତର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିସାରିଛନ୍ତି।
* ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଆସନ୍ତା ୧୫ ଜୁଲାଇ ୨୦୨୬ ରୁ ୧୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଖୋଲା ରହିବ।
* ଯୋଗ୍ୟ ବରିଷ୍ଠ ନାଗରିକମାନେ ୱେବସାଇଟ୍ yatra.odisha.gov.in ମାଧ୍ୟମରେ ଅନଲାଇନରେ କିମ୍ବା ମାର୍ଗଦର୍ଶିକା ଅନୁଯାୟୀ ନିର୍ଦ୍ଧାରିତ ଅଫଲାଇନ୍ ମୋଡ୍ ମାଧ୍ୟମରେ ସେମାନଙ୍କର ଆବେଦନ ପତ୍ର ଦାଖଲ କରିପାରିବେ।
* ଏହି ମାର୍ଗଦର୍ଶିକାରେ ଯୋଜନାର ଯୋଗ୍ୟତା ମାପଦଣ୍ଡ, ଆବେଦନ ପ୍ରକ୍ରିୟା, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।
ଆହୁରି ପଢନ୍ତୁ- insect-infested medicine : ରୋଗୀଙ୍କ ସ୍ଵାସ୍ଥ୍ୟ ସହ ସାଙ୍ଘାତିକ ଖେଳ, ମେଡିକାଲରେ ମିଳୁଛି ପୋକରା ଔଷଧ
ଆଜି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଦୀର୍ଘ ୧୪ଦିନ ପରେ ମିଳିବ ଦର୍ଶନ ..