ନୂଆଦିଲ୍ଲୀ,୧୨/୦୭; ବିନା ଡାଟାଯୁକ୍ତ ମୋବାଇଲ ରିଚାର୍ଜ ପ୍ଲାନ୍ ଶସ୍ତା ହୋଇପାରେ । ଭାରତୀୟ ଟେଲିକମ୍ ନିୟାମକ (ଟ୍ରାଇ) ଏହା ଉପରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଟ୍ରାଇ ପକ୍ଷରୁ ‘ଦୂରସଞ୍ଚାର ଉପଭୋକ୍ତା ସଂରକ୍ଷଣ ବିନିୟମ,୨୦୨୬’ ନାମରେ ଏକ ନୂଆ ଚିଠାନୀତି ଜାରି କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘ଡାଟା ଦରକାର ନ ଥିଲେ, ଏହା ପାଇଁ ପେମେଣ୍ଟ କାହିଁକି କରାଯିବ ?’ ତାହା ଉପରେ ମତାମତ ଲୋଡ଼ିବା । ଟ୍ରାଇ ପକ୍ଷରୁ ସମସ୍ତ ପକ୍ଷଙ୍କଠାରୁ ପରାମର୍ଶ ଲୋଡ଼ାଯାଇଛି । ଏହା ପରେ ଯାଇ ନିୟମକୁ ଅନ୍ତିମ ରୂପ ଦିଆଯିବ ।
ଏବେ କମ୍ପାନିଗୁଡ଼ିକ ସୀମିତ ସମୟ ପାଇଁ ହିଁ ‘କେବଳ କଲ୍ ଏବଂ ଏସ୍ଏମ୍ଏସ୍’(ଭଏସ୍ କଲ୍ ଆଣ୍ଡ୍ ଏସ୍ଏମ୍ଏସ୍ ଓନ୍ଲି ) ପ୍ୟାକ୍ ଦେଉଛନ୍ତି । ଫଳରେ କେତେକ ଗ୍ରାହକଙ୍କୁ ବାଧ୍ୟ ହୋଇ ଡାଟାଯୁକ୍ତ ମହଙ୍ଗା ପ୍ଲାନ୍ ନେବାକୁ ପଡୁଛି । ଏବେ ଟ୍ରାଇ ପ୍ରସ୍ତାବ ଦେଇଛି ଯେ, କମ୍ପାନିଗୁଡ଼ିକ ଯେତେ ଦିନର ବୈଧତା ଯେପରି ୭, ୨୮, ୫୬ ଅବା ୮୪ ଦିନର ପ୍ଲାନ୍ ଆଣୁଛନ୍ତି, ଉକ୍ତ ଅବଧିର ‘କେବଳ ଭଏସ୍ କଲ୍ ଏବଂ ଏସ୍ଏମ୍ଏସ୍’(ଭଏସ୍ କଲ୍ ଆଣ୍ଡ୍ ଏସ୍ଏମ୍ଏସ୍ ଓନ୍ଲି) ପ୍ଲାନ୍ ବି ଆଣିବେ । ଯେହେତୁ ମୋବାଇଲ ପ୍ଲାନ୍ଗୁଡ଼ିକରେ ୫୦%-୭୦% ଖର୍ଚ୍ଚ ଡାଟା ପାଇଁ ହୋଇଥାଏ ତେଣୁ ନୂଆ ନିୟମ ଲାଗୁ ହେବା ଦ୍ୱାରା କଲ୍ ଆଣ୍ଡ୍ ଏସ୍ଏମ୍ଏସ୍ ଓନ୍ଲି ପ୍ଲାନ୍ଗୁଡ଼ିକର ଦାମ ଅଧାରୁ ଅଧିକ କମିଯିବ । ଉଦାହରଣସ୍ୱରୂପ, ୩୦୦ ଟଙ୍କାର ପ୍ଲାନ୍ ୧୦୦ରୁ ୧୫୦ ଟଙ୍କାରେ ମିଳିପାରେ । ଫିଚର ଫୋନ୍ ୟୁଜର ଏବଂ ବୟୋବୃଦ୍ଧ ଯେଉଁମାନେ ଡାଟା ବ୍ୟବହାର କରି ନ ଥାନ୍ତି ସେମାନେ ଲାଭରେ ରହିବେ ।
ଯେଉଁମାନେ କେବଳ କଲ୍ ପାଇଁ ଦ୍ୱିତୀୟ ସିମ୍ ରଖିଥାନ୍ତି ସେମାନଙ୍କ ଖର୍ଚ୍ଚ କମିଯିବ । ଏହାବ୍ୟତୀତ ଯେଉଁମାନଙ୍କ ଘରେ ୱାଇଫାଇ ରହିଛି, ସେମାନଙ୍କ ପାଇଁ ବି ଏହା ଲାଭପ୍ରଦ ରହିବ । ଚୂଡ଼ାନ୍ତ ଦର ଟେଲିକମ୍ କମ୍ପାନି ଧାର୍ଯ୍ୟ କରିବେ । ନିୟମ ହେବା ପରେ କମ୍ପାନିଗୁଡ଼ିକୁ ଲାଗୁ କରିବା ପାଇଁ ସମୟ ଦିଆଯିବ । ଏହାଦ୍ୱାରା ଦୂରସଞ୍ଚାର କମ୍ପାନିଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବଢ଼ିବ ଏବଂ ୟୁଜରମାନଙ୍କ ପାଇଁ ସୁଲଭ ବିକଳ୍ପ ମିଳିବ । ଏହି ଚିଠାନୀତିରେ ସ୍ପଷ୍ଟ କରାଯାଇଛି ଯେ, ଗ୍ରାହକଙ୍କୁ ଉପଯୁକ୍ତ ରିଚାର୍ଜ ବିକଳ୍ପ ମିଳୁ ନ ଥିଲା । ଏଥିପାଇଁ ସରକାର ଏବଂ ନିୟାମକକୁ ହସ୍ତକ୍ଷେପ କରିବାକୁ ପଡ଼ିଲା ।
ଏବେ କମ୍ପାନିଗୁଡ଼ିକ ଗ୍ରାହକଙ୍କୁ ଲମ୍ବା ଅବଧି ଏବଂ ମହଙ୍ଗା ପ୍ଲାନ୍ କିଣିବା ପାଇଁ ବାଧ୍ୟ କରୁଛନ୍ତି । କିନ୍ତୁ ନୂଆ ନିୟମ ଲାଗୁ ହେବା ପରେ ବରିଷ୍ଠ ନାଗରିକ ଏବଂ ଗ୍ରାମୀଣ କ୍ଷେତ୍ର ଉପଭୋକ୍ତାଙ୍କ ଉପରେ ଅକାରଣରେ ଆର୍ଥିକ ବୋଝ ପଡ଼ିବ ନାହିଁ । ଟ୍ରାଇ ଏହି ନିୟମ ଲାଗୁ ହେବା ପରେ ୬ ମାସ ପରେ କମ୍ପାନିଗୁଡ଼ିକର କାର୍ଯ୍ୟକୁ ସମୀକ୍ଷା କରିବ । ଟ୍ରାଇ ସ୍ପଷ୍ଟ କରିଛି ଯେ, ଟ୍ରୁକଲର ଭଳି କଲ୍ ମ୍ୟାନେଜ୍ମେଣ୍ଟ ଆପ୍ ୧୬୦୦ ଏବଂ ୧୪୦ ସିରିଜ୍ କଲ୍ସ ବ୍ଲକ୍ କରିପାରିବେ ନାହିଁ । ୧୬୦୦ ସିରିଜ୍ ବ୍ୟାଙ୍କ୍, ବିତ୍ତୀୟ ପ୍ରତିଷ୍ଠାନ(ଆର୍ବିଆଇ, ସେବି ଆଦି) ଏବଂ ସରକାରୀ କାର୍ଯ୍ୟ ପାଇଁ ଉପଲବ୍ଧ, ଯଦ୍ଦ୍ୱାରା ନାଗରିକ ଜରୁରୀ ଟ୍ରାଞ୍ଜାକ୍ସନ ସହ ଜଡ଼ିତ କୌଣସି କଲ୍କୁ ଚିହ୍ନଟ କରିପାରିବେ । ସେହିଭଳି ୧୪୦ ସିରିଜ୍ କମ୍ପାନିଗୁଡ଼ିକର ବିଜ୍ଞାପନ ପାଇଁ ରହିଛି । ଗ୍ରାହକ ନିଜେ ଡିଏନ୍ଡି ସେବା ଜରିଆରେ ଏହାକୁ ବ୍ଲକ୍ କରିପାରିବେ ।