ଭୁବନେଶ୍ଵର, ୪/୭ : ୨୦୨୫-୨୬ ରବି ଧାନ ସଂଗ୍ରହରେ ରେକର୍ଡ। ୩ ଜୁଲାଇ ୨୦୨୬ ସୁଦ୍ଧା ୨୦.୨୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। ଏଥିରେ ୩.୫୯ ଲକ୍ଷରୁ ଅଧିକ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି। ଚାଷୀଙ୍କୁ ୪,୦୬୯.୩୧ କୋଟି ଟଙ୍କା MSP ଓ ୧,୨୫୫.୬୬ କୋଟି ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ଏପର୍ଯ୍ୟନ୍ତ ୧୯.୦୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ମିଲରଙ୍କ ଦ୍ୱାରା ଉଠାଯାଇଥିବା ବେଳେ, ପ୍ରାୟ ୧.୫୧ ଲକ୍ଷ ମେଟ୍ରିକ୍ ଟନ୍ ଧାନର ଗ୍ରହଣ ପ୍ରକ୍ରିୟା ବାକି ରହିଛି।
ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦ ଲକ୍ଷ ମେଟ୍ରିକ ଟନର ଟାର୍ଗେଟ୍ ପୂରଣ ହେଲା। ରବିରେ ଚାଷୀ ଅସୁବିଧାର ସମ୍ମୁଖୀନ ହେଲେନି। ସରକାର ପ୍ରଶୃତି ରକ୍ଷା କରିଛନ୍ତି। ବିରୋଧୀଙ୍କ ପାଖରେ ଆଉ କିଛି କହିବାକୁ ନାହିଁ। ଆଉ ଧାନ ବଳିନି, ତେଣୁ ଧାନ କିଣା ସମୟ ବଢିବ ନାହିଁ।
ସୂଚନା ଥାଉକି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ୩୦ ତାରିଖରେ ୩ ଜୁଲାଇ ପର୍ଯ୍ୟନ୍ତ ରବି ଧାନ କିଣା ଅବଧି ବଢ଼ାଯାଇଥିଲା। ରାଜ୍ୟର ୫ଟି ଜିଲ୍ଲାରେ ଚାଷୀଙ୍କ ଧାନ ପଡ଼ି ରହିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ସରକାର ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ତେଣୁ ୩ ଦିନ ମଧ୍ୟରେ ସବୁ ଧାନ ଉଠିଯିବ, ଆଉ ଅବଧି ବଢେଇବାର ଆବଶ୍ୟକତା ନାହିଁ ବୋଲ ଯୋଗାଣ ମନ୍ତ୍ରୀ କହିଥିଲେ।
ଆହୁରି ପଢନ୍ତୁ- ଜୁଲାଇ ୩ ପର୍ଯ୍ୟନ୍ତ ବଢିଲା ରବି ଧାନ କିଣା ଅବଧି : ଯୋଗାଣ ମନ୍ତ୍ରୀ
ସେପଟେ ଚଳିତ ବର୍ଷ ସାରା ସାରର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବରୁ ୟୁରିଆ ସାର ସବୁ ପାକ୍ସରେ ମହଜୁଦ ରଖାଯାଇଛି। ଆଜି ସୁଦ୍ଧା ୮୧ ହଜାର ଟନ୍ ଷ୍ଟକ୍ ଅଛି। ଆହୁରି ସାର ଆସୁଛି। ଗତ ବର୍ଷ ବି ସାରର ଅଭାବ ନଥିଲା। ଗତ ସରକାର ୧୦୦ ଟଙ୍କା ବି ବୋନସ ଦେଇନଥିଲେ। ଯେଉଁଥିପାଇଁ ବିଜେପି ସରକାର ୮୦୦ ଟଙ୍କା ଦେବନି ବୋଲି ଲୋକେ ଭୟ କଲେ। ହେଲେ ବିଜେପି ସରକାର ୮୦୦ ଟଙ୍କା ଇନପୁଟ ସବସିଡି ଦେବା ପରେ ଚାଷୀ ଧାନ ଚାଷ କଲେ। ଗତ ବର୍ଷ ଚାଷ ଅନୁକୂଳ ପାଗ ହୋଇଥିଲା। ୨୦୨୪ରେ ଯେତିକି ୟୁରିଆ ଦିଆଯାଇଥିଲା, ୨୦୨୫ରେ ତାଠାରୁ ୪ ଲକ୍ଷ ୧୩ ହଜାର ଟନ ଅଧିକ ସାର ଦେବା ପରେ ଅଭାବ ରହିଲା। ଏଥିରେ ସରକାରଙ୍କ ଭୁଲ ନାହିଁ, ଅଧିକ ଚାଷ ହେଲା। ନିଜ ଜମି ସମେତ ସରକାରୀ ଜମି ଦଖଲ କରି ବି ଚାଷ ହେଲା। ଚଳିତ ବର୍ଷ ୮୦ ହଜାର ୬୬୯ ଟନ୍ ୟୁରିଆ ଅଛି, ୯ ହଜାର ଟନ୍ MOP ଅଛି, ୧୭ ହଜାର ଟନ୍ DAP ଅଛି, ୨୯ ହଜାର ଟନ NPKS ଅଛି, ୨୮୫ ଟନ SSP ଅଛି। ସବୁ ପ୍ରକାର ସାର ମହଜୁଦ ଅଛି। ସେପ୍ଟେମ୍ବର ଶେଷ ଆଡ଼କୁ ଧାନ ବାହାରିଲେ ସାର ଦରକାର ହେବ।