ନୂଆଦିଲ୍ଲୀ ୦୪/୦୭: ଓସନ୍‌ ଇଞ୍ଜିନିୟରିଙ୍ଗ କମ୍ପାନି ‘ଡିପ୍‌’ ଫ୍ଲୋରିଡା କିଜ୍‌ ନ୍ୟାସନାଲ ମେରାଇନ ସାନ୍‌ଚୁଆରୀରେ ଟେନେସି ରିଫ୍‌ରେ ଏକ ନୂଆ ସାମୁଦ୍ରିକ ବାସସ୍ଥଳୀ ମୁତୟନ କରିଛି । ଏହାର ନାଁ ଭାନ୍‌ଗାର୍ଡ । ବିଗତ ୪୦ ବର୍ଷରେ ଆମେରିକୀୟ ଜଳରାଶିରେ ମୁତୟନ ହେବାକୁ ଯାଉଥିବା ଏହି ନୂଆ ବାସସ୍ଥଳୀ ସମୁଦ୍ର ତଳେ ସ୍ଥାୟୀ ମାନବ ଉପସ୍ଥିତିର ଲକ୍ଷ୍ୟ ଅଭିମୁଖେ ଏକ ବଡ଼ ପ୍ରୟାସ । ଏହି ପ୍ରୋଜେକ୍ଟ ପ୍ରଥମେ ୨୦୨୩ରେ ବ୍ରିଟେନରେ ‘ସେଣ୍ଟିନେଲ’ ନାମରେ ଆରମ୍ଭ ହୋଇଥିଲା । ଏହା ଏକ ମଡ୍ୟୁଲାର ବାସସ୍ଥଳୀ ବ୍ୟବସ୍ଥା ।

୨୦୨୫ରେ ଡିପ୍‌ କମ୍ପାନି ଆମେରିକାରେ ଏହାର ବିସ୍ତାର ଲାଗି ୧୦ କୋଟି ଡଲାର ନିବେଶ ଘୋଷଣା କରିଥିଲା । ଫ୍ଲୋରିଡ଼ାରେ ଏକ ଇଞ୍ଜିନିୟରିଙ୍ଗ ହବ୍‌ ଖୋଲିବା ସହିତ ଭାନ୍‌ଗାର୍ଡର ନିର୍ମାଣ ଓ ମୁତୟନକୁ ଗତିଶୀଳ କରିଥିଲା । ଦୀର୍ଘ ଦିନ ଧରି ପାଣି ତଳେ ରହି ଅଧ୍ୟୟନ କରିବାକୁ ବୈଜ୍ଞାନିକ ଓ ଅନ୍ୟ ବିଶେଷଜ୍ଞଙ୍କୁ ସକ୍ଷମ କରିବା ଏହି ସାମୁଦ୍ରିକ ବାସସ୍ଥଳୀର ଉଦ୍ଦେଶ୍ୟ । ପ୍ରବାଳ ପ୍ରାଚୀର ହେଉ ବା ଅନ୍ୟ ସାମୁଦ୍ରିକ ପରିବେଶ ସମ୍ବନ୍ଧୀୟ ଅଧ୍ୟୟନ, ବାରମ୍ବାର ସମୁଦ୍ରକୁ ଯିବା ବଦଳରେ ଏହି ବାସସ୍ଥଳୀ ଭିତରେ ରହି ଅଧ୍ୟୟନ କରିବା ସହଜ ହେବ ।

​​​​​​​

ଆହୁରି ପଢ଼ନ୍ତୁ...United Nation : ଜାତିସଂଘ ଅଫିସ ବାହାରେ ତିବ୍ଦତୀୟଙ୍କ ଆତ୍ମଦାହ, ଚୀନ ଠାରୁ ସ୍ଵାଧୀନତା ଦାବି କରି ନିଜକୁ ଜାଳିଦେଲେ

ଏହି ବାସସ୍ଥଳୀ ମୁତୟନ ଏକ ଜଟିଳ ସାମୁଦ୍ରିକ ଅଭିଯାନର ଅଂଶ ଥିଲା । ଏଥିରେ ସମୁଦ୍ରଶଯ୍ୟାରେ ଏକ ମୂଳଦୁଆ ନିର୍ମାଣ କରି ସେଥିରେ ଭାନ୍‌ଗାର୍ଡକୁ ସୁରକ୍ଷିତ ରୂପେ ଯୋଡ଼ାଯାଇଥିଲା । ଏବେ ଏହି ପୂର୍ଣ୍ଣ ପ୍ରଣାଳୀ ୧୭ ମିଟର ଗଭୀର ସମୁଦ୍ରଶଯ୍ୟାରେ ସ୍ଥାପିତ ହୋଇଛି । ଭାନ୍‌ଗାର୍ଡର ଲମ୍ବ ୧୦.୭ ମିଟର, ଚଉଡ଼ା ୨.୫ ମିଟର । ପ୍ରାୟ ୪ ଜଣ ଏଥିରେ ୫ ଦିନରୁ ଅଧିକ ସମୟ ବିତାଇପାରିବେ । ନରୱେର ଇଞ୍ଜିନିୟରିଙ୍ଗ ଆସ୍ୟୋରାନ୍ସ ଆଣ୍ଡ ମେରିଟାଇମ୍‌ କ୍ଲାସିଫିକେସନ୍‌ ସଂଗଠନ ଡିଏନ୍‌ଭି ଦ୍ୱାରା ଏହି ବାସସ୍ଥଳୀ ଏବେ ଚୂଡ଼ାନ୍ତ ପରୀକ୍ଷଣ ପର୍ଯ୍ୟାୟରେ ଅଛି । ପ୍ରମାଣପତ୍ର ପାଇବା ପରେ ଏଥିରେ ଅନୁସନ୍ଧାନ ଅଭିଯାନ ଆରମ୍ଭ ହେବ । ପ୍ରଥମ ମିଶନ ପୂର୍ବରୁ କମ୍ପାନି ମଧ୍ୟ ଅନୁସନ୍ଧାନକାରୀଙ୍କୁ ତାଲିମ ଦେବ ।