ନୂଆଦିଲ୍ଲୀ, ୪।୭: ବାଂଲାଦେଶରେ ଚୀନର ବଢ଼ୁଥିବା ଅନୁପ୍ରବେଶକୁ ନେଇ ଏବେ ଭାରତ ସତର୍କ ହୋଇଯାଇଛି । ବାଂଲାଦେଶର ‘ତିସ୍ତା ନଦୀ ପ୍ରକଳ୍ପ’ ଏବଂ ‘ଚୀନ୍-ବାଂଲାଦେଶ-ମ୍ୟାଁମାର ଅର୍ଥନୈତିକ କରିଡର’ ରେ ବେଜିଂର ସହଯୋଗକୁ ନେଇ ନୂଆଦିଲ୍ଲୀ କଡ଼ା ନଜର ରଖିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ପଡ଼ୋଶୀ ଦେଶରେ ଘଟୁଥିବା ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ ଭାରତର ନଜର ରହିଛି ଏବଂ ଆବଶ୍ୟକ ସ୍ଥଳେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ । ନିକଟରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଚୀନ୍ ଗସ୍ତ ସମୟରେ ‘ତିସ୍ତା ରିଭର କମ୍ପ୍ରିହେନ୍ସିଭ୍ ମ୍ୟାନେଜମେଣ୍ଟ ଆଣ୍ଡ ରିଷ୍ଟୋରେସନ ପ୍ରକଳ୍ପ’ ପାଇଁ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏହା ସହିତ ଚୀନ୍ ସରକାର ସିଧାସଳଖ ଭାବେ CBMEC କରିଡର ଯୋଜନାକୁ ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ଭାରତର ପ୍ରତିକ୍ରିୟା: ‘ଆମେ ସବୁ ଦେଖୁଛୁ’

ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ, "ଭାରତ ନିଜ ପଡ଼ୋଶୀ ଆଞ୍ଚଳିକ ସୁରକ୍ଷା ଏବଂ ସେଠାରେ ଚାଲିଥିବା ସମସ୍ତ ଗତିବିଧି ପ୍ରତି ସମ୍ପୂର୍ଣ୍ଣ ସଚେତନ । ଆମର ଜାତୀୟ ସ୍ୱାର୍ଥ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ସମୟ ଅନୁସାରେ ରଣନୀତି ପ୍ରସ୍ତୁତ କରାଯିବ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିସ୍ତା ପ୍ରକଳ୍ପ ବାବଦରେ ଭାରତ ପୂର୍ବରୁ ହିଁ ବାଂଲାଦେଶ ନିକଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଚୀନର ଏହି ପଦକ୍ଷେପ ଭାରତ ପାଇଁ ରଣନୈତିକ ଦୃଷ୍ଟିରୁ ଚିନ୍ତାଜନକ । ତିସ୍ତା ପ୍ରକଳ୍ପ ବାଂଲାଦେଶର ଯେଉଁ ଅଞ୍ଚଳରେ ହେବାକୁ ଯାଉଛି, ତାହା ଭାରତର ସବୁଠାରୁ ସମ୍ବେଦନଶୀଳ ‘ଚିକେନ୍ ନେକ୍’ ନିକଟବର୍ତ୍ତୀ । ଏହି ସଂକୀର୍ଣ୍ଣ ଭୂଭାଗ ହିଁ ପୂର୍ବୋତ୍ତର ଭାରତକୁ ବାକି ଦେଶ ସହ ଯୋଡ଼ିଥାଏ । ଏଠାରେ ଚୀନ୍ ବିଶେଷଜ୍ଞଙ୍କ ଉପସ୍ଥିତି ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ । ଯଦି CBMEC ପ୍ରକଳ୍ପ ସଫଳ ହୁଏ, ତେବେ ଚୀନ୍ ସିଧାସଳଖ ଭାବେ ବଙ୍ଗୋପସାଗରରେ ପହଞ୍ଚିବାକୁ ସୁଯୋଗ ପାଇବ, ଯାହା ଭାରତୀୟ ନୌସେନା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ।

ଏହା ବି ପଢ଼ନ୍ତୁ... BLA attack in Blochistan: ବେଲୁଚିସ୍ତାନରେ BLAର ଭୟଙ୍କର ବିସ୍ପୋରଣ; ୩୦ରୁ ଅଧିକ ସୁରକ୍ଷାକର୍ମୀ ମୃତ

ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୨୦୨୪ରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିସ୍ତା ନଦୀର ସଂରକ୍ଷଣ ଓ ପରିଚାଳନା ପାଇଁ ଭାରତ ପକ୍ଷରୁ ବୈଷୟିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଭାରତ ଓ ବାଂଲାଦେଶ ମଧ୍ୟରେ ୫୪ଟି ବହୁମୁଖୀ ନଦୀ ରହିଛି, ହେଲେ ତିସ୍ତା ନଦୀର ଜଳବଣ୍ଟନକୁ ନେଇ ଦୀର୍ଘ ଦିନ ହେବ କୌଣସି ଆନୁଷ୍ଠାନିକ ଚୁକ୍ତି ହୋଇପାରିନାହିଁ । ଏହାର ସୁଯୋଗ ନେଇ ଚୀନ୍ ଏବେ ବାଂଲାଦେଶର ନୂତନ ବାଂଲାଦେଶ ସରକାର ସହ ମିଶି ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି ।