ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୁଣି ପ୍ରକୃତି-ପର୍ଯ୍ୟଟକଙ୍କ ମିଳନ, ରାତି ରହଣୀ ୪ ହଜାରରୁ ଆରମ୍ଭ

Published By : Anindita Ratha | November 28, 2024 1:08 PM

ଭୁବନେଶ୍ବର,୨୮/୧୧: ଶୀତଦିନିଆ ପର୍ଯ୍ୟଟନର ଆକର୍ଷଣୀୟ ପର୍ବ ଇକୋ ରିଟ୍ରିଟ୍‌-୨୦୨୪ ହେବାକୁ ଯାଉଛି ଆରମ୍ଭ। ପୁଣି ପ୍ରକୃତି-ପର୍ଯ୍ୟଟକଙ୍କ ହେବ  ମିଳନ। ବ୍ୟସ୍ତବହୁଳ ଜୀବନରୁ ବାହାରି ପ୍ରକୃତି କୋଳରେ ମନକୁ ହାଲ୍‌କା କରିବେ ପର୍ଯ୍ୟଟକ । ସବୁବର୍ଷ ପରି ଏଥର ବି ଡିସେମ୍ବର ୧ରୁ ଆରମ୍ଭ ହେଉଛି ପର୍ଯ୍ୟଟନର ଏହି ମହାପର୍ବ । ଯାହା ଦୀର୍ଘ ୩ ମାସ ଧରି ରାଜ୍ୟର ୭ଟି ପର୍ଯ୍ୟଟନସ୍ଥଳୀରେ ଚାଲିବ । ଏଥିସହ ଚଳିତ ବର୍ଷ ଇକୋ ରିଟ୍ରିଟ୍‌ ଦର କମିଛି । ବିଳାସପୂର୍ଣ୍ଣ କଟେଜ୍‌ରେ ଗୋଟିଏ ରାତି ରହଣୀ ୪ ହଜାର ଟଙ୍କାରୁ ହେବ ଆରମ୍ଭ । ଯାହା ଇକୋ ରିଟ୍ରିଟ୍‌ ଇତିହାସରେ ପ୍ରଥମ । 

ତେବେ ଆରମ୍ଭ ଦିନଠାରୁ ଏତେ କମ୍‌ ଦର ନଥିଲା । ଗତବର୍ଷ ଦର ୭-୮ ହଜାରରୁ ଆରମ୍ଭ ହୋଇଥିଲା । ଏବେ ନୂଆ ସରକାର ଆସିବା ପରେ ସାଧାରଣ ପର୍ଯ୍ୟଟକଙ୍କୁ ସୁହାଇଲା ଭଳି ପୂର୍ବ ଦରଠୁ ୩-୪ ହଜାର ଟଙ୍କା କମାଇ ୪ ହଜାର ଧାର୍ଯ୍ୟ କରିଛନ୍ତି । ଏହାଛଡ଼ା ସୁବିଧା ଅନୁସାରେ ଅଧିକ ଟଙ୍କାର କଟେଜ୍‌ରେ ବି ପର୍ଯ୍ୟଟକ ମଜା ନେଇପାରିବେ । ମୋଟ୍‌ ୭ଟି ସ୍ଥାନରୁ ୬ଟି ସ୍ଥାନ ଯଥା ଭିତରକନିକା, ହୀରାକୁଦ, ଦାରିଙ୍ଗବାଡ଼ି, ସାତକୋଶିଆ, ଗଞ୍ଜାମର ସୁନାପୁର ଓ କୋରାପୁଟର ପୁଟସିଲ୍‌ରେ ଡିସେମ୍ବର ପହିଲାରୁ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ । ଏହା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ ଏବଂ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ସରିବା ପରେ ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍‌ ଉଦ୍‌ଘାଟିତ ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ଏଥର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ରହିଛି କୋଣାର୍କ ଓ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସ୍ଥଳ । ସେଥିପାଇଁ ପ୍ରଥମ ଦିନ ଲାଗି କୋଣାର୍କ ଓ ଦାରିଙ୍ଗବାଡ଼ିର ବୁକିଂ ଶେଷ ହୋଇଛି । 

ବହୁଦିନ ଆଗରୁ ଅନ୍‌ଲାଇନ୍‌ରେ ବୁକିଂ ଆରମ୍ଭ ହୋଇଥିଲାବେଳେ ପସନ୍ଦର ସ୍ଥାନ ପାଇଁ ପର୍ଯ୍ୟଟକମାନେ ଆଗୁଆ ବୁକିଂ କରିସାରିଛନ୍ତି । ପ୍ରତି ଇକୋ ରିଟ୍ରିଟ୍‌ ସ୍ଥଳରେ ଗୋଟିଏ କଟେଜ୍‌ ଭିତର ରୁମ୍‌ରେ ୨ ଜଣ ରହିପାରିବେ । ସେଠାରେ ମିଳୁଥିବା ସମସ୍ତ ସୁବିଧା ଏବଂ ଧାର୍ଯ୍ୟ ଦର ପର୍ଯ୍ୟଟକମାନେ ବୁକିଂ ସମୟରେ ହିଁ ଅନ୍‌ଲାଇନ୍‌ରେ ଦେଖିପାରିବେ ଓ ରିଭ୍ୟୁ ଦେଇପାରିବେ । ଏହା ସହିତ ଓଡ଼ିଶା ପର୍ଯ୍ୟଟନ ବିଭାଗର ୱେବ୍‌ସାଇଟ୍‌ରେ ବି ସବୁ ସୂଚନା ଉପଲବ୍ଧ । ଗତଥର ଅପେକ୍ଷା ଏଥର ବୁକିଂ ଭଲ ରହିଛି । ଚଳିତ ବର୍ଷ ଦେଶୀ ସହ ବେଶି ବିଦେଶୀ ପର୍ଯ୍ୟଟକ ଆସିବାର ସମ୍ଭାବନା ଅଛି । ଯେହେତୁ ଆସନ୍ତା ଜାନୁଆରୀ ମାସରେ ଉତ୍କର୍ଷ ଓଡ଼ିଶା ଏବଂ ପ୍ରବାସୀ ଭାରତୀୟ ଦିବସ ଭଳି ୨ଟି ଅନ୍ତର୍ଜାତୀୟସ୍ତରର ସମ୍ମିଳନୀ ହେବ, ତେଣୁ ଭିଭିଆଇପି ଅତିଥିମାନେ ଏହିସବୁ ସ୍ଥାନକୁ ଯାଇ ଓଡ଼ିଶାର ପର୍ଯ୍ୟଟନର ମଜା ନେବେ । ସେମାନଙ୍କୁ ଆକର୍ଷିତ କରିବା ଲାଗି ଇକୋ ରିଟ୍ରିଟ୍‌ର ଡିଜିଟାଲ୍‌ ପ୍ରମୋସନକୁ ବି ଗୁରୁତ୍ୱ ଦିଆଯାଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.