ଭୁବନେଶ୍ୱର, ୧୪/୧୧: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମାଇବାକୁ ଆସନ୍ତା ୧୬ରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ‘ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ’ । ଏହି ଅଭିଯାନରେ ୪ଟି "ଇ' ଅର୍ଥାତ ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ଗୁରୁତ୍ୱ ଦିଆଯିବ । ଉଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସଡ଼କ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ବଣ୍ଟାଯିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ।

ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ ଚାଲିବ । ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ବନ କରାଯିବ । ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ଅନ୍ୟ ବିଭାଗ ସହ ମିଳିତ ଭାବରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ବ୍ୟାପକ ଧରପଗଡ଼ ଚାଲିବ । ବିଶେଷକରି, ଜନଗହଳି ସ୍ଥାନ, ଟ୍ରାଫିକ ପଏଣ୍ଟ, ଶିକ୍ଷାନୁଷ୍ଠାନ, ମଲ, ବଜାର ଆଦି ଜାଗାରେ ଏନ୍ଫୋର୍ସମେଣ୍ଟ ଟିମ୍ ଜଗିବେ । ବେପରୁଆ ଗାଡ଼ିଚାଳନା ସହ ଅନ୍ୟାନ୍ୟ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ସାରା ରାଜ୍ୟରେ ଦୁର୍ଘଟଣାପ୍ରବଣ ରାସ୍ତା ଉପରେ ବିଶେଷ ନଜର ରହିବ । ସେଠାରେ ଦୁର୍ଘଟଣାକୁ କିଭଳି କମାଯାଇପାରିବ, ସେଥିପାଇଁ ମଧ୍ୟ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନଙ୍କୁ କୁହାଯାଇଛି । ବ୍ଲାକ ସ୍ପଟ୍ରେ ତ୍ରୁଟିଗୁଡ଼ିକୁ ସଂଶୋଧନ କରିବା ସହ ରାସ୍ତା ସାଇନେଜ୍ ଲଗାଇବାକୁ ଗୁରୁତ୍ୱ ଦିଆଯାଇଛି । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ସହଭାଗିତାରେ ସଚେତନତା ଅଭିଯାନ ଚାଲିବ । ସଡ଼କ ଦୁର୍ଘଟଣାଗ୍ରସ୍ତ ଆହତମାନଙ୍କୁ ତ୍ୱରିତ ସହାୟତା ପହଞ୍ଚାଇ ଜୀବନ ରକ୍ଷା ପାଇଁ ଜନତାଙ୍କୁ ଆହ୍ୱାନ ଦିଆଯିବ । ସୂଚନାଯୋଗ୍ୟ, ପ୍ରତିଟି ଜୀବନ ମୂଲ୍ୟବାନ । ଗୋଟିଏ ବି ମୃତ୍ୟୁ, ବହୁତ ଅଧିକ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ "ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ' ବା "କମ୍ ହୋମ୍ ସେଫ୍'କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଉଛି । ପ୍ରଥମେ ନଭେମ୍ବର ୧ରୁ ୧୫ ଯାଏଁ ଏହି ଅଭିଯାନ ପାଳିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଏହାକୁ ନଭେମ୍ବର ୧୬ରୁ ୩୦ ଯାଏଁ ପାଳିବାକୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି ।