ଭୁବନେଶ୍ୱର,୧୭/୦୧: ଚଳିତ ଶିକ୍ଷାବର୍ଷ (୨୦୨୫-୨୬) ରେ ରାଜ୍ୟର ୧୦ କଲେଜରେ ଜଣେ ବି ଛାତ୍ରଛାତ୍ରୀ ନାମ ଲେଖାଇନାହାନ୍ତି । ଏହି ୧୦ କଲେଜ ମଧ୍ୟରୁ ଗଜପତି ଜିଲ୍ଲାର ଗୁମ୍ମା ସରକାରୀ ଡିଗ୍ରୀ କଲେଜ ରହିଛି । ସ୍ନାତକ ସ୍ତରରେ ଥିବା ସିଟ୍‌ରେ ଜଣେ ହେଲେ ଶିକ୍ଷାର୍ଥୀ ନାମଲେଖାଇ ନାହାନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । ଏସମସ୍ତ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ରାଜ୍ୟରେ ୧୦୪୯ଟି ଡିଗ୍ରୀ କଲେଜ ରହିଛି । ତନ୍ମଧ୍ୟରୁ ୪୯ଟି ସରକାରୀ ଶିକ୍ଷାନୁଷ୍ଠାନ ରହିଛି । ବାକି ସମସ୍ତ ଅନୁଦାନ, ଅଣଅନୁଦାନପ୍ରାପ୍ତ ସହ ଘରୋଇ କଲେଜ ରହିଛି । ଚଳିତବର୍ଷର ନାମଲେଖା ତଥ୍ୟ ଅନୁଯାୟୀ, ୧୦ଟି କଲେଜରେ ଶୂନ୍ୟ ନାମଲେଖା ହୋଇଛି । ଏହି ତାଲିକାରେ ଗଜପତି ଜିଲ୍ଲାର ଗୁମ୍ମା ସରକାରୀ ଡିଗ୍ରୀ କଲେଜ, ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ଗୋଟିଏ କଲେଜ ରହିଛି । ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ବ୍ଲକର ଗୋଟିଏ, କେନ୍ଦୁଝରର ମ୍ୟୁନିସ୍ପାଲିଟି ଅଞ୍ଚଳର ଗୋଟିଏ, ପୁରୀ ସଦର ଅଞ୍ଚଳରେ ଥିବା ଗୋଟିଏ କଲେଜରେ ଆଦୌ ନାମଲେଖା ହୋଇନି ।

କଟକର ବାରଙ୍ଗ ଅଞ୍ଚଳରେ ଦୁଇଟି ଓ ମହାନଗର ନିଗମ ଅଞ୍ଚଳ ଥିବା ଗୋଟିଏ କଲେଜ ଏହି ତାଲିକାରେ ରହିଛି । ସେହିପରି ଗଞ୍ଜାମ ଜିଲ୍ଲାର ଧରାକୋଟ, ଖୋର୍ଦ୍ଧାର ଭୁବନେଶ୍ୱରରେ ଥିବା ଏକ କଲେଜରେ ଚଳିତବର୍ଷ ମଧ୍ୟ ଆଦୌ ନାମଲେଖା ହୋଇନି । ଗୁମ୍ମା ସରକାରୀ ଡିଗ୍ରୀ କଲେଜରେ ମୋଟ ୯୬ଟି ସିଟ୍ ରହିଥିବା ବେଳେ ଏଠାରେ କେହି ନାମ ଲେଖାଇନାହାନ୍ତି । ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ଗୋଟିଏ କଲେଜ ରହିଛି । ଏଥିସହ ଯାଜପୁରର ବ୍ୟାସନଗର ଏହି କଲେଜର ୧୨୮, କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ବ୍ଲକର ଥିବା ଏହି କଲେଜରେ ୧୨୮, କେନ୍ଦୁଝରର ମ୍ୟୁନିସ୍ପାଲିଟି ଅଞ୍ଚଳର କଲେଜରେ ୫୬, ପୁରୀ ସଦର ଅଞ୍ଚଳରେ ଥିବା କଲେଜରେ ୧୨୮, କଟକର ବାରଙ୍ଗ ଅଞ୍ଚଳ ଗୋଟିଏ କଲେଜରେ ୧୨୮, ଆଉ ଏକ କଲେଜର ୬୪ ଓ ମହାନଗର ନିଗମ ଅଞ୍ଚଳ ଥିବା ଗୋଟିଏ କଲେଜରେ ୯୬ଟି ସିଟ୍ ରହିଛି । ଗଞ୍ଜାମ ଜିଲ୍ଲାର ଧରାକୋଟରେ ଥିବା କଲେଜରେ ୧୨୮ ଓ ଖୋର୍ଦ୍ଧାର ଭୁବନେଶ୍ୱରରେ ଥିବା କଲେଜରେ ୨୨୪ଟି ସିଟ୍ ରହିଛି । ମାତ୍ର ଏହି ସବୁ କଲେଜରେ ନାଁ ଲେଖା ହୋଇନି ।

ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ହୋଇଛି । ଚିଠିରେ କୁହାଯାଇଛି, ଏହି ସମସ୍ତ କଲେଜର ପିଲାଙ୍କ ନାମଲେଖା ନେଇ କୌଣସି ପ୍ରକାରର ଆଗ୍ରହ ଦେଖାଉନାହାନ୍ତି । ଏହି ସମସ୍ୟା ଗୁଣାତ୍ମକ ଶିକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ କାର୍ଯ୍ୟକ୍ଷମତା ନେଇ ପ୍ରଶ୍ନ ଉଠୁଛି । ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଏହି ଘଟଣାରେ ତଦନ୍ତ କରି ଉକ୍ତ କଲେଜମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭାଗ କହିଛି, ଅଣଅନୁଦାନପ୍ରାପ୍ତ ଓ ସେଲ୍ଫ ଫାଇନାନ୍ସ କଲେଜମାନେ ନାମଲେଖାରେ ସାମ୍ସରେ ଭାଗ ନେଉଛନ୍ତି । ପିଲାମାନେ ନାମ ଲେଖାଇବା ପାଇଁ ଆବେଦନ କରୁଛନ୍ତି । ସେମାନଙ୍କ ମେରିଟ୍ ଲିଷ୍ଟ ମଧ୍ୟ ପ୍ରକାଶ ପାଉଛି । ହେଲେ ଏହାପରେ ଉପରୋକ୍ତ ଶିକ୍ଷାନୁଷ୍ଠାନମାନେ ପିଲାଙ୍କ ନାମ ଲେଖାଇବାକୁ ମାନ କରୁଛନ୍ତି । ଏନେଇ କିଛି ଛାତ୍ରଛାତ୍ରୀ ବିଭାଗକୁ ଅଭିଯୋଗ କରିଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି । ଯାହା ଦ୍ୱାରା ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହିଭଳି ଶିକ୍ଷାନୁଷ୍ଠାନକୁ ଆସନ୍ତା ମାଷ୍ଟର ଡାଟା ଅପଡେଟ୍ସନ୍ରେ ସାମିଲ ନ କରିବାକୁ କୁହାଯାଇଛି।