ମୃତ୍ତିକା
ନିଗିଡ଼ା, ମଟାଳ, ଦୋରସା ଓ ବାଲି ଦୋରସା ମାଟି ଅଳସୀ ଚାଷ ପାଇଁ ଉପଯୁକ୍ତ । ୫.୫ରୁ ୬.୫ ଅମ୍ଲ ପରିମାପକ ମଧ୍ୟରେ ଏହା ଭଲ ହୁଏ । କାଦୁଆ ଓ କୃଷ୍ଣକାର୍ପାସ ମାଟିରେ ଚାଷ ହୁଏ ନାହିଁ ।
କିସମ
କିଏ-୧୦(ଦେଓମାଳି), ଜିଏ୧୧(ଶିବ), ଜିଏ୫(ଭବାନୀ), ଆଇଜିପି୭୬(ସାହେଦ୍ରୀ), ଓଜେଏସ୮, ଅଳସୀ୧,କେନ୍ଦୁଝର ଲୋକାଲ, ଫୁଲବାଣୀ ଲୋକାଲ, ସିମିଳିଗୁଡ଼ା ଲୋକାଲ, ବିଶ୍ରା ନାଇଜର, ଉତ୍କଳ ନାଇଜର(ପଦ୍ମା) ।
ଚାଷ ପ୍ରଣାଳୀ
ପରୀକ୍ଷା କରି ଦେଖାଯାଇଛି ମକା, ମାଣ୍ଡିଆ, ଚିନା, ସୁଆଁ ଆଦି ଶସ୍ୟଜାତୀୟ ଫସଲ, ମୁଗ, ବିରି ତଥାବରଗୁଡ଼ି ଆଦି ଡାଲିଜାତୀୟ ଫସଲ ପରେ ଅଳସୀକୁ ଦ୍ୱିତୀୟ ଫସଲ ଭାବେ ଚାଷ କରି ବର୍ଷକ ମଧ୍ୟରେ ଗୋଟିଏ ଜମିରୁ ଅଧିକ ଆଦାୟ ଓ ଅଧିକ ଲାଭ ମିଳିପାରିବ । ଅଳସୀକୁ ଏକାକି ଚାଷ ନକରି ସୋୟାବିନ, ହରଡ଼,ମାଣ୍ଡିଆ, ଜଡ଼ା, ଚିନାବାଦାମ ଅଥବା ବିରି ସହ ମିଶାଇ ଚାଷ କରିବା ଅଧିକ ଲାଭଜନକ । ଅଳସୀ ଫସଲକୁ ପ୍ରତି ବର୍ଷ ଗୋଟିଏ ଜମିରେ ଚାଷ ନକରି ମାଣ୍ଡିଆ, ମକା, ସୋୟାବିନ ଓ ବରଗୁଡ଼ି ଆଦି ଫସଲ ସହିତ ପର୍ଯ୍ୟାୟ କ୍ରମେ ଚାଷ କରିବା ଉଚିତ୍ ।
ବୁଣିବା ସମୟ
ବର୍ଷାଦିନିଆ ଫସଲକୁ ଜୁଲାଇ ମାସ ଶେଷ ସପ୍ତାହରୁ ଅଗଷ୍ଟ ୨୦ ତାରିଖ ମଧ୍ୟରେ ଓ ଶୀତଦିନିଆ ଫସଲକୁ ସେପ୍ଟେମ୍ବର ଓ ଅକ୍ଟୋବର ମାସ ମଧ୍ୟରେ ବୁଣିବା ଉଚିତ । ବର୍ଷାଦିନିଆ ଫସଲକୁ ଆଗତୁରା ବୁଣିଲେ ଫୁଲ ଧରିବା ବେଳକୁ ଅଧିକ ବର୍ଷା ହେଉଥିବାରୁ ଆଦାୟ କମ୍ ମିଳେ । ଶୀତଦିନିଆ ଫସଲକୁ ଡେରିରେ ବୁଣିଲେ ଜଳାଭାବରୁ ଆଦାୟ କମ୍ ମିଳେ ।
ବିହନ ବିଶୋଧନ
ବିହନ ଜନିତ ରୋଗରୁ ଫସଲକୁ ରକ୍ଷା କରିବା ପାଇଁ ବୁଣିବା ପୂର୍ବରୁ ୧ କିଗ୍ରା ବିହନ ସହିତ ୩ଗ୍ରାମ ଥିରାମ ମିଶାଇ ବିହନ ବିଶୋଧନ କରିବା ଉଚିତ୍ ।
ବୁଣିବା ପ୍ରଣାଳୀ
ଅଳସୀକୁ ସାଧାରଣତଃ ଛଟାବୁଣା କରାଯାଇଥାଏ । କିନ୍ତୁ ଛଟାବୁଣା ନକରି ବିହନ ବୁଣା ଯନ୍ତ୍ର ଦ୍ୱାରା ଧାଡ଼ିରେ ବୁଣିବା ଭଲ । ଧାଡ଼ିରେ ବୁଣିଲେ କମ୍ ବିହନ ଲାଗେ, ଜମିର ସବୁଆଡେ ସମାନ ଭାବେ ଓ ଆବଶ୍ୟକ ମୁତାବକ ଗଛ ରହେ । ସଅଳ ଏବଂ ଅଳ୍ପ ଖର୍ଚ୍ଚରେ କୋଡ଼ାଖୁସା କରି ଘାସ ବାଛି ହୁଏ । ସମାନ ଭାବରେ ଖାଦ୍ୟସାର ମିଳିବା ଫଳରେ ଜମିରେ ସବୁଆଡେ ଗଛ ସମାନ ଭାବରେ ବଢେ ଓ ଅଧିକ ଆଦାୟ ମିଳେ । ଧାଡ଼ିକୁ ଧାଡ଼ି ୨୦ ସେ.ମି ଓ ଗଛକୁ ଗଛ ୨୦ ସେ.ମି ବ୍ୟବଧାନ ରଖାଯାଏ । ଏଥିପାଇଁ ବିହନ ଓ ବାଲି ୧:୧୦ ଅନୁପାତରେ ମିଶାଇ ବୁଣିବାକୁ ହୁଏ । ବିହନ ପରିମାଣ, ବୁଣିବା ପ୍ରଣାଳୀ ଉପରେ ନିର୍ଭର କରେ । ହେକ୍ଟର ପ୍ରତି ସାଧାରଣତଃ ୫-୮ କି.ଗ୍ରା ବିହନ ଆବଶ୍ୟକ ହୁଏ । ଧାଡ଼ିକୁ ଧାଡ଼ି ବର୍ଷାଦିନିଆ ଫସଲ ପାଇଁ ୩୦ ସେ.ମି ଓ ଶୀତଦିନିଆ ଫସଲ ପାଇଁ ୨୫ ସେ.ମି ବ୍ୟବଧାନ ରଖି ୨-୩ ସେ.ମି ଗଭୀରରେ ବିହନ ବୁଣିବା ଉଚିତ୍ ।
ଖତ ଓ ସାର
ଅଳସୀକୁ ବିନା ଖତ ସାରରେ ଚାଷ କରାଯାଇଥାଏ । କିନ୍ତୁ ଖତସାର ପ୍ରୟୋଗ କଲେ ଅଧିକ ଆଦାୟ ଓ ଅଧିକ ଲାଭ ମିଳେ । ହେକ୍ଟର ପ୍ରତି ୫ଟନ୍ ସଢା ଗୋବର ଖତ ଜମି ପ୍ରସ୍ତୁତି ସମୟରେ ପ୍ରୟୋଗ କରିବା ଉଚିତ୍ । ଏହା ବାଦ୍ ହେକ୍ଟର ପ୍ରତି ୨୦ କି.ଗ୍ରା ଯବକ୍ଷାରଜାନ ଓ ୨୦ କି.ଗ୍ରା ଫସଫରସ ସାର ପ୍ରୟୋଗ କରିବା ଉଚିତ୍ । ଉନ୍ନତ କିସମ ଅଳସୀ ପାଇଁ ୪୦ କି.ଗ୍ରା ଯବକ୍ଷାରଜାନ, ୨୦ କି.ଗ୍ରା ଫସଫରସ ଓ ୨୦ କି.ଗ୍ରା ପଟାସ ସାର ପ୍ରୟୋଗ କରିବା ଉଚିତ୍ । ବର୍ଷାଦିନିଆ ଫସଲ ପାଇଁ ଅର୍ଦ୍ଧେକ ଯବକ୍ଷାରଜାନ ଓ ସବୁତକ ଫସଫରସ ଓ ପଟାସକୁ ବୁଣିବା ପୂର୍ବରୁ ଶେଷ ଓଡ଼ ଚାଷ ବେଳେ ଏବଂ ଅବଶିଷ୍ଟ ଅର୍ଦ୍ଧେକ ଯବକ୍ଷାରଜାନକୁ ବୁଣିବାର ୩ ସପ୍ତାହ ପରେ ପ୍ରୟୋଗ କରିବା ଉଚିତ୍ । ଶୀତଦିନିଆ ଫସଲ ପାଇଁ ସବୁତକ ଯବକ୍ଷାରଜାନ ଓ ଫସଫରସକୁ ମୂଳସାର ଭାବେ ପ୍ରୟୋଗ କରିବା ଉଚିତ୍ ।