ଅନ୍ତର୍ଜାତୀୟ ପ୍ରକୃତି ସୁରକ୍ଷା ସଂଘର ରେଡ୍ ତାଲିକାରେ ଏହି କଇଁଛମାନଙ୍କ ବଂଶ ‘ସଙ୍କଟାପନ୍ନ' ଶ୍ରେଣୀରେ ଅନ୍ତର୍ଭୁକ୍ତ । ବିଲୁପ୍ତିପ୍ରାୟ ବନ୍ୟଜନ୍ତୁ ଓ ବନସ୍ପତିର ଅନ୍ତର୍ଜାତୀୟ ବ୍ୟାପାର ସମ୍ବନ୍ଧୀୟ ସମ୍ମିଳନୀ ଅନୁଯାୟୀ ଏହାକୁ ମଧ୍ୟ ଅନୁସୂଚୀ-୧ରେ ସ୍ଥାନିତ କରାଯାଇଛି । ଏହାର ଅର୍ଥ, ନିଜ ପ୍ରାନ୍ତରେ ଅତ୍ୟନ୍ତ ଉଚ୍ଚ ବିପଦ ଶ୍ରେଣୀରେ ପହଞ୍ଚିଗଲେଣି, ତେଣୁ ଏମାନଙ୍କ ସୁରକ୍ଷା ଶୀର୍ଷରେ ରହିବା ଅନିବାର୍ଯ୍ୟ । ଓଡ଼ିଶା ରାଜ୍ୟ ବିଶ୍ୱରେ ଏହି ପ୍ରଜାତିର ବଂଶବୃଦ୍ଧିରେ ଯେ ସବୁଠାରୁ ପ୍ରମୁଖ ଭୂମିକା ଗ୍ରହଣ କରୁଛି, ସତରେ ଏହା ଆମ ପାଇଁ ଗୌରବର ବିଷୟ ନିଶ୍ଚୟ ।
ମହାରାଷ୍ଟ୍ର ସରକାର ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ସୁରକ୍ଷା ନିମନ୍ତେ ପ୍ରକୃତିଭିତ୍ତିକ ବାଲିବନ୍ତର ସୁରକ୍ଷା ପାଇଁ ତାଙ୍କ ରାଜ୍ୟରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି, ଯାହା ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କର ଆର୍ଥିକ ସହାୟତା ପ୍ରାପ୍ତ ଏବଂ ମୁଁ ଏହାର ଜଣେ ବିଶେଷଜ୍ଞ । ଜୈବବିବିଧତାର ସର୍ଭେ କରିବାକୁ ଯେତେବେଳେ ଉତ୍ତର ମହାରାଷ୍ଟ୍ରରୁ ଦକ୍ଷିଣ ମହାରାଷ୍ଟ୍ରକୁ ଅଗ୍ରସର ହେଲି ସିନ୍ଧୁଦୁର୍ଗ ଜିଲ୍ଲାର କୁଙ୍କେଶ୍ୱର ସହ ତାମ୍ବେଲଡେଗ ସମୁଦ୍ରକୂଳରେ ମୃତ ଅଲିଭ ରିଡଲେ କଇଁଛ ଦେଖିଲି ଏବଂ ପ୍ରଦତ୍ତ ଫଟୋ ତା'ର ପ୍ରମାଣ ମଧ୍ୟ । କଚ୍ଛପ ଏବଂ କଇଁଛ ଦୁଇଟି ପ୍ରତିଶବ୍ଦ ହେଲେବି, ଉପରେ ଶୀର୍ଷକ ଶବ୍ଦକୁ ଅଲିଭ ରିଡଲେ କଇଁଛ ପାଇଁ ଲେଖାଯାଇଛି । ଏହି ଫଟୋରେ ଉଠାଯାଇଥିବା ସ୍ଥାନର ନାମ, ତାରିଖ, ଅକ୍ଷାଂଶ, ଦ୍ରାଘିମା ସହ ସମୁଦ୍ର ପତନରୁ ଏହାର ଉଚ୍ଚତା ମଧ୍ୟ ଉପଗ୍ରହ ଚିତ୍ର ମାଧ୍ୟମରେ ଲିପିବଦ୍ଧ । ଆଶ୍ଚର୍ଯ୍ୟର ସୀମା ଲଂଘିଥିଲା ମୋର । କାରଣ ସ୍ୱାଭାବିକ ମୋର ଜ୍ଞାନ ପରିସୀମା ଥିଲା ଯେ ଓଡ଼ିଶାରୁ ଏହି କଇଁଛ ଅଣ୍ଡାଦାନ ପରେ କୁଆଡ଼େ ଯାଆନ୍ତି ପ୍ରାୟତଃ ବିଶେଷଭାବରେ ଆମେ ଜାଣୁନା । ପୁରୁଣା ତଥ୍ୟ ଏଇଆ କହେ ଯେ ଓଡ଼ିଶାରୁ ସେମାନେ ଶ୍ରୀଲଙ୍କାର ଜାଫନା ଉପକୂଳ ଯାଆନ୍ତି । କିନ୍ତୁ ସେମାନଙ୍କ ନିର୍ଦ୍ଦିଷ୍ଟ ଗତିପଥ ସବୁ କ'ଣ, ଦୃଢ଼ଭାବରେ କେହି କହିପାରିବେନି ଏବଂ ସେଥିପାଇଁ ଗବେଷଣା ଆଜିବି ଚାଲିଛି । ଯେତେବେଳେ ମୁଁ ମହାରାଷ୍ଟ୍ର ବନ ବିଭାଗର "ହେନ୍ତାଳ ବନ ସୁରକ୍ଷା ଶାଖା’ ସହ ଯୋଗାଯୋଗ କଲି ଅଧିକାରୀଙ୍କ ସହ ଆଲୋଚନାରେ ଏଇଆ ଜଣାପଡ଼ିଲା ଯେ, ପ୍ରଥମ ଥର ପାଇଁ ଓଡ଼ିଶାରେ ଗୋଟିଏ ମାଈ କଇଁଛ, ଡେଣାରେ ବନ୍ଧାଯାଇଥିବା ଟ୍ୟାଗ ବା ଚିହ୍ନଟ ପଟି ୦୩୨୩୩ ସହ ରତ୍ନଗିରି ଜିଲ୍ଲାର ଗୁହାଗର ସମୁଦ୍ର ବେଳାଭୂମିରେ ପହଞ୍ଚି ସେଠାରେ ଅଣ୍ଡାଦାନ କରିଥିଲା । ଏହାକୁ ଗହୀରମଥା ସାମୁଦ୍ରିକ ବନ୍ୟ ଅଭୟାରଣ୍ୟରେ ୧୮ ମାର୍ଚ୍ଚ, ୨୦୧୧ ମସିହାରେ ପ୍ରାକ୍ତନ ହୁଇଲର ଦ୍ୱୀପରେ ଗୋଟିଏ ଡେଣାରେ ବନ୍ଧାଯାଇଥିଲା । ସେହି କଇଁଛ ଏହିବର୍ଷ ୨୭ ଜାନୁଆରୀ ୨୦୨୫ ଦିନ ଗୁହାଗର ବେଳାଭୂମିରେ ୧୨୦ଟି ଅଣ୍ଡା ଦେଇ ଫେରୁଥିବା ସମୟରେ ବେଳାଭୂମିର କର୍ତ୍ତୃପକ୍ଷମାନଙ୍କ ନଜରକୁ ଆସିଥିଲା ।
ସୂଚନାଯୋଗ୍ୟ, ଏହି ଟ୍ୟାଗଟିକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ବୃହତ ଟ୍ୟାଗ ବନ୍ଧା କାର୍ଯ୍ୟକ୍ରମରେ ଭାରତୀୟ ପ୍ରାଣୀ ସର୍ବେକ୍ଷଣ, ଭାରତ ସରକାରଙ୍କ ଦ୍ୱାରା ଲଗାଯାଇଥିଲା । ଆକଳନ ଅନୁସାରେ ସେହି ମାଈ କଇଁଛଟି ଓଡ଼ିଶାରୁ ତାମିଲନାଡୁ, ଶ୍ରୀଲଙ୍କାର ଜାଫନା ଏବଂ ଗୋଆ ଦେଇ ପ୍ରାୟ ୩୬୦୦ କିଲୋମିଟର ଅତିକ୍ରମ କରି ମହାରାଷ୍ଟ୍ରର ଏହି ସମୁଦ୍ର ବେଳାଭୂମିରେ ପହଞ୍ଚି ଅଣ୍ଡା ଦେଇଥିଲା । ତେଣୁ ମୋର ବ୍ୟକ୍ତିଗତ ସର୍ଭେ, ଉପରୋକ୍ତ ମାଈ କଇଁଛର ଗତିବିଧି ତଥା ଏହା ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ଥିବା "ହେନ୍ତାଳ ଫାଉଣ୍ଡେସନ’ ଦ୍ୱାରା ଲିପିବଦ୍ଧ ପରେ ପ୍ରଥମ ଥର କରି ଜଣାପଡିଥିଲା ଯେ ଅଲିଭ ରିଡଲେ କଇଁଛ କେବଳ ପୂର୍ବଭାରତରେ ଅଣ୍ଡା ଦିଅନ୍ତିନାହିଁ, ପଶ୍ଚିମ ଭାରତକୁ ମଧ୍ୟ ଯାଆନ୍ତି । ଓଡ଼ିଶାରେ ୨୦୨୫ ମସିହାରେ ପ୍ରାୟ ସାତଲକ୍ଷ କଇଁଛ ସାମୂହିକ ଅଣ୍ଡାଦାନ କରିଥିବାବେଳେ, ଚଳିତ ବର୍ଷ ମହାରାଷ୍ଟ୍ରରେ ବିକ୍ଷିପ୍ତ ଭାବରେ କେବଳ ୨୫୦୦ କଇଁଛ ଅଣ୍ଡାଦାନ କରିଥିଲେ, ଯାହା ଓଡ଼ିଶାର ଅଣ୍ଡାଦାନ ତୁଳନାରେ ୦.୩୫% ମାତ୍ର ।
ସମୁଦ୍ରରେ ମିଳୁଥିବା କଇଁଛମାନଙ୍କ ମଧ୍ୟରେ ଏହା ଦ୍ୱିତୀୟ କ୍ଷୁଦ୍ରତମ । ପୃଥିବୀରେ ମୋଟ୍ ଉପରେ ୮ଲକ୍ଷ ବାର୍ଷିକ ଅଣ୍ଡାଦାନ କରନ୍ତି, ଯାହା ମଧ୍ୟରେ କେବଳ ଓଡ଼ିଶାରେ ୭ଲକ୍ଷ ଅଣ୍ଡାଦାନ ହୁଏ । ସଂଖ୍ୟାରେ ଏହା ପୃଥିବୀର ସର୍ବାଧିକ ସାମୁଦ୍ରିକ କଇଁଛ । ଏମାନେ ସଦାସର୍ବଦା ଉଷ୍ମ ଏବଂ ବିଷୁବମଣ୍ଡଳୀୟ ସମୁଦ୍ର ଯଥା- ଭାରତ ମହାସାଗର, ପ୍ରଶାନ୍ତ ମହାସାଗରରେ ମିଳନ୍ତି । ଅଲିଭ ନାଁଟି ଅଲିଭ ରଙ୍ଗରୁ ଆସିଛି । କିନ୍ତୁ ରିଡଲେ ନାଁ’ଟି କେଉଁଠୁ ଆସିଛି ତାହା ଆଜିବି ଅସ୍ପଷ୍ଟ । ଅଣ୍ଡିରା କଇଁଛ ଟିକେ ଲମ୍ବାଳିଆ, କିନ୍ତୁ ମାଈ ଟିକେ ଗୋଲ ଯଦିଓ ଉଭୟର ଲମ୍ବା ପ୍ରାୟ ସମାନ । ପୂର୍ଣ୍ଣଭାବରେ ବଢ଼ିଥିବା କଇଁଛ, ଅଣ୍ଡିରା ଏବଂ ମାଈର ଓଜନ ଯଥାକ୍ରମେ ପ୍ରାୟ ୩୩ ଓ ୩୬ କିଲୋଗ୍ରାମ ଏବଂ ଏମାନେ ଅତିକମ୍ରେ ୬୦ବର୍ଷ ଯାଏଁ ବଞ୍ଚିଥାନ୍ତି । ଆପଣମାନେ ଆହୁରି କେତେଟା କଥା ଜାଣି ଆଶ୍ଚର୍ଯ୍ୟ ହେବେ । ଅଲିଭ ରିଡଲେ କଇଁଛ ଯେଉଁଠାରେ ଅଣ୍ଡାରୁ ଫୁଟି ଜନ୍ମିଥାନ୍ତି ସେଠାକୁ ପ୍ରାୟତଃ ଫେରିଥାନ୍ତି । ଏହାକୁ ଜନ୍ମସ୍ଥାନୀୟ ଘର ବୋଲି ଅଭିହିତ କରାଯାଇପାରିବ । ଯଦିଓ ସେହି ଏକା ବେଳାଭୂମିକୁ ଆସିଥାନ୍ତି, କିନ୍ତୁ ଏକା ବିନ୍ଦୁ ଉପରକୁ ଆସିବେ ବୋଲି ନିର୍ଦ୍ଦିଷ୍ଟ ଭାବରେ ବିବେଚନା କରିହେବନାହିଁ । କିନ୍ତୁ ସେହି ପାଖାପାଖି ବେଳାଭୂମିକୁ ନିଶ୍ଚୟ ଆସିବେ, ଏହା ପ୍ରମାଣିତ । ମାଈ କଇଁଛ ଦଶନ୍ଧି ଦଶନ୍ଧି ପୂର୍ବେ ଯେଉଁ ବେଳାଭୂମିରେ ଅଣ୍ଡାଦାନ କରିଥିବେ, ସେହିଠାକୁ ବି ସେମାନେ ଫେରି ଆସିବାର ପ୍ରମାଣ ଅଛି । କାରଣ, ଜନ୍ମ ସମୟରେ ଶାବକ କଇଁଛମାନଙ୍କର ମସ୍ତିଷ୍କରେ ସେତେବେଳର ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ଛାପ ଯୋଗୁଁ ଏହା ସମ୍ଭବ ହୋଇଥାଏ ।
ଏହି ଭୂ-ଚୁମ୍ବକୀୟ ଛାପ ତା'ର ମନେରହିଥାଏ ଏବଂ ତାକୁ ଠିକ୍ ସେହି ବେଳାଭୂମିକୁ ସଠିକତା ସହ ଟାଣିଆଣେ । ସେହି କାରଣରୁ କଇଁଛଗୁଡିକ ବଡ଼ ହେଲାପରେ ମଧ୍ୟ ସେହି ଏକା ସମୁଦ୍ରବେଳା ଭୂମିକୁ ଖୋଜି ଫେରିପାରନ୍ତି । ଯଦି ସେହି ଜନ୍ମିତ ମୂଳ ବେଳାଭୂମିର କ୍ଷୟ ବା ଅବକ୍ଷୟ ହୁଏ ତେବେ ସେଠାକାର ଆଖପାଖ ସମୁଦ୍ର ବେଳାଭୂମିକୁ ସେମାନେ ଫେରନ୍ତି । ଅଲିଭ ରିଡଲେ କଇଁଛ ଜନ୍ମ ସମୟରେ ଚୁମ୍ବକୀୟ କ୍ଷେତ୍ରର ଘନତା ଏବଂ ଭୂପୃଷ୍ଠକୁ ଭେଦ କରୁଥିବା ଚୁମ୍ବକୀୟ କୋଣକୁ ଠିକ୍ ଗୋଟିଏ ଦସ୍ତଖତ ରୂପେ ଅଣ୍ଡାରୁ ଫୁଟି ବାହାରିବା କିଛି ଘଣ୍ଟା ମଧ୍ୟରେ ମନେ ରଖିଦେଇଥାନ୍ତି । ପ୍ରାପ୍ତବୟସ୍କା ମାଈ ଏବଂ ଅଣ୍ଡିରା କଇଁଛ ଏକା ସ୍ଥାନରେ କିନ୍ତୁ ଟିକେ ଭିନ୍ନ ଉଦ୍ଦେଶ୍ୟରେ ଆସି ପହଞ୍ଚନ୍ତି । ଯେପରି ମାଈ ଅଣ୍ଡାଦେବାକୁ ଆସିବାବେଳେ, ଅଣ୍ଡିରା କଇଁଛ ସେମାନଙ୍କ ମିଳନ ସହ ଖାଦ୍ୟ, ଗଭୀର ସମୁଦ୍ରରେ ଦିଗହରା ନହେବା ତଥା ଶକ୍ତ ସାମୁଦ୍ରିକ ସ୍ରୋତରେ ମଧ୍ୟ ଦିଗ ନିର୍ଦ୍ଦେଶନ ନିମନ୍ତେ ଆସିଥାନ୍ତି । ଏହି କଇଁଛମାନଙ୍କ ମସ୍ତିଷ୍କରେ ଲୌହଧାତୁର ଏକ ଯୌଗିକ ମ୍ୟାଗନେଟାଇଟ କ୍ରିଷ୍ଟାଲ ଥିବାରୁ ଚୁମ୍ବକୀୟ କ୍ଷେତ୍ରକୁ ଚିହ୍ନିପାରନ୍ତି । ଏମାନଙ୍କ ଆଖିରେ କ୍ରିପ୍ଟକ୍ରୋମ ପ୍ରୋଟିନ ଆଲୋକ ପ୍ରତି ମଧ୍ୟ ସମ୍ବେଦନଶୀଳ । ଯେକୌଣସି ପ୍ରକାର ବେଳାଭୂମି ପ୍ରକଳ୍ପ, ବାଲି ଖନନ କିମ୍ବା ଅପ୍ରାକୃତିକ ଆଲୋକୀକରଣ ଏମାନଙ୍କୁ ନିଜର ଅଣ୍ଡାଦାନ କ୍ଷେତ୍ରକୁ ଚିହ୍ନିବାରେ ବ୍ୟତିକ୍ରମ କରାଏ । ତା' ସହିତ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ଦୁର୍ବଳତା ଏବଂ ମେରୁର ସାମାନ୍ୟ ସ୍ଥାନାନ୍ତରଣ ମଧ୍ୟ ସେମାନଙ୍କ ଗତିପଥକୁ ପ୍ରଭାବିତ କରିଥାଏ । ସୁତରାଂ, ସଂରକ୍ଷଣ କରିବାକୁ ଯୋଜନା କରିଲେ ସେମାନଙ୍କ ମୂଳ ଅଞ୍ଚଳରେ ହିଁ ଯୋଜନା କରିବା ବିଧେୟ ।
ଏତେ ଉପାଦେୟ କଥା ଲେଖିବା ପଛରେ ମୂଳ କାରଣ ହେଉଛି, ଏହା ଗୋଟିଏ ସମ୍ବେଦନଶୀଳ ପ୍ରାଣୀ । ଏମାନଙ୍କ ସଂଖ୍ୟା ବିଶ୍ୱସ୍ତରରେ ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ଅନୁକୂଳ ବେଳାଭୂମି ହେତୁ ଅଧିକରୁ ଅଧିକ କଇଁଛ ଓଡ଼ିଶାକୁ ଅଣ୍ଡାଦାନ ଦେବାକୁ ଆସୁଛନ୍ତି, ଯାହା ବାର୍ଷିକ ୨୦୨୨ ମସିହାରେ ୫.୫୦ ଲକ୍ଷରୁ ଆସି ୨୦୨୫ ମସିହାରେ ୭.୦୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଲାଣି । ଏହା ଭାରତୀୟ ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ, ୧୯୭୨ ଅନୁଯାୟୀ ଅନୁସୂଚୀ-୧ରେ ଅନ୍ତର୍ଭୁକ୍ତ । ଯଦି କୌଣସି ବ୍ୟକ୍ତି ଅଣ୍ଡିରା, ମାଈ, ଶାବକ ଓ କିଶୋର ଅଲିଭ ରିଡଲେ କଇଁଛକୁ ଶିକାର କରେ, ଧରି ରଖେ, ଜାଲ ପକାଏ, କ୍ଷତି ପହୁଞ୍ଚାଏ, କ୍ରୟ ବିକ୍ରୟ କରେ, ଚାଲାଣ କରେ କିମ୍ବା ସେମାନଙ୍କ ପରିସଂସ୍ଥାନ ତଥା ପ୍ରଜନନ ଅଞ୍ଚଳକୁ ଏବଂ ସେମାନଙ୍କ ଅଣ୍ଡାକୁ ଅନୁରୂପ ଭାବରେ କ୍ଷତି ପହୁଞ୍ଚାଏ, ତେବେ ଏହି ଅଧିନିୟମ ଅନୁଯାୟୀ ଅନ୍ତତଃ ୩ରୁ ୭ବର୍ଷ କାରାବାସ ସହ ଭାରତୀୟ ମୁଦ୍ରାରେ ୫୦,୦୦୦ ଟଙ୍କାର ଜରିମାନା ମଧ୍ୟ ହୋଇପାରିବ ।
ସେହିପରି ଅନ୍ତର୍ଜାତୀୟ ପ୍ରକୃତି ସୁରକ୍ଷା ସଂଘର ରେଡ୍ ତାଲିକାରେ ଏହି କଇଁଛମାନଙ୍କ ବଂଶ ‘ସଙ୍କଟାପନ୍ନ' ଶ୍ରେଣୀରେ ଅନ୍ତର୍ଭୁକ୍ତ । ବିଲୁପ୍ତିପ୍ରାୟ ବନ୍ୟଜନ୍ତୁ ଓ ବନସ୍ପତିର ଅନ୍ତର୍ଜାତୀୟ ବ୍ୟାପାର ସମ୍ବନ୍ଧୀୟ ସମ୍ମିଳନୀ ଅନୁଯାୟୀ ଏହାକୁ ମଧ୍ୟ ଅନୁସୂଚୀ-୧ରେ ସ୍ଥାନିତ କରାଯାଇଛି । ଏହାର ଅର୍ଥ, ନିଜ ପ୍ରାନ୍ତରେ ଅତ୍ୟନ୍ତ ଉଚ୍ଚ ବିପଦ ଶ୍ରେଣୀରେ ପହଞ୍ଚିଗଲେଣି, ତେଣୁ ଏମାନଙ୍କ ସୁରକ୍ଷା ଶୀର୍ଷରେ ରହିବା ଅନିବାର୍ଯ୍ୟ । ଓଡ଼ିଶା ରାଜ୍ୟ ବିଶ୍ୱରେ ଏହି ପ୍ରଜାତିର ବଂଶବୃଦ୍ଧିରେ ଯେ ସବୁଠାରୁ ପ୍ରମୁଖ ଭୂମିକା ଗ୍ରହଣ କରୁଛି, ସତରେ ଏହା ଆମ ପାଇଁ ଗୌରବର ବିଷୟ ନିଶ୍ଚୟ ।