ନୂଆଦିଲ୍ଲୀ, ୯/୧୦ : ଜାର୍ଡନର ଅମ୍ମାନ ସହରର ଏକ ରିଫ୍ୟୁଜି ପରିବାର। ଏକ ଛୋଟ କୋଠରୀରେ ରହୁଥିଲେ ବାର ପ୍ରାଣୀ କୁଟୁମ୍ଵ। ମଣିଷ ଓ ଗୃହପାଳିତ ପଶୁ ସମସ୍ତେ ଏକାଠି। ଯେଉଁଠି ଖାଇବା, ସେଇଠି ଶୋଇବା। ଆଉ ଏହି ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବିସ୍ମୟ ବାଳକ ଓମାର ଏମ ୟାଘି। ମାତ୍ର ୧୦ ବର୍ଷ ବୟସରେ ସେ ଶିଖିଯାଇଥିଲେ ବିଜ୍ଞାନ ସହ ରୋମାନ୍ସ। ତାଙ୍କ ମନ ମସ୍ତିଷ୍କରେ ଗଭୀର ରୂପେ ଆଙ୍କି ହୋଇଯାଉଥିଲା ପରମାଣୁ ମଡେଲର ଛବି । ତାଙ୍କ ଆବିଷ୍କାର ବଳରେ ମରୁଭୂମିର ପବନରୁ ପାଣି ବାହାରି ପାରୁଛି । ଏହି ବିସ୍ମୟ ଆବିଷ୍କାର ପାଇଁ ଆଜି ସେ ନୋବେଲ ବିଜେତା। ହେଲେ ତାଙ୍କ ପାଇଁ ସହଜ ନଥିଲା ପାଲେଷ୍ଟିନୀୟ ରିଫ୍ୟୁଜିରୁ ନୋବେଲ ୱିନରର ଯାତ୍ରା।
ଏ ହେଉଛି ରସାୟନ ବିଜ୍ଞାନରେ ନୋବେଲ ବିଜେତା ଓମାର ଏମ୍ ୟାଘିଙ୍କ କାହାଣୀ। ୧୯୬୫ ମସିହାରେ ଜାର୍ଡନର ଏକ ପାଲେଷ୍ଟିନୀୟ ରିଫ୍ୟୁଜି ପରିବାରରେ ତାଙ୍କ ଜନ୍ମ। ୬୦ ଦଶକରେ ଯେତେବେଳେ ହିଂସାର ନିଆଁରେ ମଧ୍ୟପ୍ରାଚ୍ୟ ଜଳୁଥିଲା ସେତେବେଳେ ଏହି ବିସ୍ମୟ ବାଳକ ଜନ୍ମ ନେଇଥିଲେ। ବିଜୁଳି ଆଲୁଅ ଓ ନଳ ପାଣି ତାଙ୍କ ପାଇଁ ଥିଲା ସାତ ସପନ। ପିତା ଷଷ୍ଠ ଶ୍ରେଣୀ ଯାଏଁ ପଢିଥିଲେ। ମା ପଢାଲେଖା ଜାଣି ନଥିଲେ। ମାତ୍ର ୧୦ ବର୍ଷ ବୟସରେ ବିଜ୍ଞାନ ପ୍ରତି ସେ ଆକର୍ଷିତ ହୋଇଥିଲେ। ତାଙ୍କ ସ୍କୁଲରେ ଥିବା ଲାଇବ୍ରେରୀରେ ସେ ପ୍ରଥମ ଥର ପାଇଁ ଏକ ବହିରେ ପରମାଣୁ ସଂରଚନାର ମଡେଲ ଦେଖିଥିଲେ। ଏହି ସାଧାରଣ ଛବି ତାଙ୍କ ମନ ମସ୍ତିଷ୍କରେ ଆଙ୍କି ହୋଇଯାଇଥିଲା।
ପୁଅର ଚମତ୍କାର ଟ୍ୟାଲେଣ୍ଟ ଦେଖି ୟାଘିଙ୍କ ପିତା ତାଙ୍କୁ ୧୫ ବର୍ଷ ବୟସରେ ଆମେରିକା ପଠାଇଦେଲେ। ସେହି ସମୟରେ ୟାଘି ଆଣବିକ ସଂରଚନା ପ୍ରତି ଆକର୍ଷିତ ହୋଇଥିଲେ। ଆମେରିକା ସରକାରୀ ସ୍କୁଲିଂ ବେଳେ ଏହି ବାବଦରେ ସେ ଅଧିକ ଅଧ୍ୟୟନ କରିବାକୁ ସୁଯୋଗ ପାଇଲେ। ଏହାପରେ ନ୍ୟୁୟର୍କର ଅପଷ୍ଟେଟ ସ୍ଥିତ ଏକ କମ୍ୟୁନିଟି କଲେଜରେ ସେ ପାଠପଢା ଆରମ୍ଭ କଲେ। ପରେ ଅଲବାନି ସ୍ଥିତ ଷ୍ଟେଟ ୟୁନିଭରସିଟି ଅଫ ନ୍ୟୁୟର୍କରେ ସେ ଡିଗ୍ରୀ ଶେଷ କରିଥିଲେ। ସେତେବେଳେ ସେ କିରାନା ଜିନିଷପତ୍ର ପ୍ୟାକ୍ କରି ଓ ପର୍ସ ପୋଛି ଗୁଜୁରାଣ ମେଣ୍ଟାଉଥିଲେ। ୧୯୯୦ରେ ଅର୍ବାନା ଶ୍ୟାମ୍ପେନ ସ୍ଥିତ ଇଲିନୋଇସ୍ ବିଶ୍ଵବିଦ୍ୟାଳୟରେ ସେ ପିଏଚଡି ଶେଷ କରିଥିଲେ। ସେ ବହୁ ଆମେରିକୀୟ ବିଶ୍ଵବିଦ୍ୟାଳୟରେ କାମ କରିଥିଲେ। ୨୦୧୨ରେ ୟୁସି ବର୍କଲେରେ ବୈଜ୍ଞାନିକ ଭାବେ କାମ ଆରମ୍ଭ କଲେ।
୨୦୨୫ରେ ତାଙ୍କର ଅଦ୍ଭୁତପୂର୍ବ ଆବିଷ୍କାର ପାଇଁ ରସାୟନ ବିଜ୍ଞାନରେ ତାଙ୍କୁ ନୋବେଲ ପୁରସ୍କାର ମିଳିଛି। ଜାପାନର ସୁସୁମୁ କିତାଗାୱା ଓ ବ୍ରିଟେନର ରିଚର୍ଡ ରବସନଙ୍କ ସହ ମିଶି ସେ ଏହି ପୁରସ୍କାର ଜିତିଛନ୍ତି। ମେଟାଲ ଅର୍ଗାନିକ ଫ୍ରେମୱାର୍କରେ ସେ ଅଦ୍ଭୁତପୂର୍ବ ଆବିଷ୍କାର କରିଛନ୍ତି। ଜଳ ଅମଳ କ୍ଷେତ୍ରରେ ମେଟାଲ ଅର୍ଗାନିକ ଫ୍ରେମୱାର୍କ ଏକ ବିପ୍ଳବୀ ପ୍ରଯୁକ୍ତିବିଦ୍ୟା। କାରଣ ସେମାନଙ୍କର ନାନୋ-ଛିଦ୍ରଗୁଡ଼ିକ ପ୍ରଭାବଶାଳୀ ଭାବରେ ବାୟୁରୁ ଆର୍ଦ୍ରତା ଶୋଷଣ କରିପାରେ। କମ୍ ଆର୍ଦ୍ରତା ଥିବା ମରୁଭୂମି ଅଞ୍ଚଳରେ ପାଣି ବାହାର କରିପାରେ। ଏମ୍. ୟାଘି ଏହି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଆମେରିକାର ଆରିଜୋନା ମରୁଭୂମିରେ ସଫଳତାର ସହ ଜଳ ଅମଳ କରିପାରିଛନ୍ତି।