ନୂଆଦିଲ୍ଲୀ/ଭୁବନେଶ୍ୱର,୧୬/୧: ଦେଶରେ ଏବେ ଷ୍ଟାର୍ଟଅପ୍‌ ଗୁଡି଼କ ଦ୍ରୁତ ଅଭିବୃଦ୍ଧି କରୁଛନ୍ତି । ଏଗ୍ରିଟେକ, ଟେଲିମେଡିସିନ, ମାଇକ୍ରୋଫାଇନାନ୍ସ, ପର୍ଯ୍ୟଟନ ଏବଂ ଏଡ୍‌ଟେକ ଭଳି କ୍ଷେତ୍ରରେ ଷ୍ଟାର୍ଟଅପ୍‌ ସବୁ ଅଭିନବ ସମାଧାନ ପ୍ରଦାନ କରୁଛନ୍ତି । ତେବେ ଷ୍ଟାର୍ଟଅପ୍‌ ଗୁଡ଼ିକ ଏବେ କେବଳ ବଡ଼ ସହରରୁ ଉତ୍ପତି ହେଉନାହାନ୍ତି । ଦେଶର ଟିୟର ୨ ଏବଂ ୩ ସହର ଗୁଡ଼ିକରେ ଏସବୁ ଷ୍ଟାର୍ଟଅପ୍‌ ଗୁଡ଼ିକର ଅବସ୍ଥିତି ରହିଛି । ଦେଶର ବିକାଶ ଧାରା ତ୍ୱରାନ୍ୱିତ କରିବା ଏବଂ ନିଯୁକ୍ତି ସୃଷ୍ଟିରେ ଏମାନେ ଉଲ୍ଲେଖନୀୟ ଯୋଗଦାନ ଜାରି ରଖିଛନ୍ତି । 

ଆଜି ଜାତୀୟ ଷ୍ଟାର୍ଟଅପ୍‌ ଦିବସ ଉପଲକ୍ଷେ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି । ମହିଳା ନେତୃତ୍ୱାଧିନ ଷ୍ଟାର୍ଟଅପ୍‌ ଗୁଡ଼ିକ ସମାବେଶି ବିକାଶ ଏବଂ ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ଦିଗରେ ଯୋଗଦାନ ଦେଉଛନ୍ତି । ୨୦୨୫ ସୁଦ୍ଧା ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍‌ ଗୁଡ଼ିକ ମଧ୍ୟରେ ୪୫% ଷ୍ଟାର୍ଟଅପରେ ଅନ୍ତତଃ ପକ୍ଷେ ଜଣେ ମହିଳା ନିର୍ଦ୍ଦେଶକ ଏବଂ ପାର୍ଟନର ରହିଛନ୍ତି । ଅର୍ଥନୈତିକ ଇଞ୍ଜିନରେ ନବସୃଜନର ଗୁରୁତ୍ୱ ଏବଂ ସାମାଜିକ ଉନ୍ନତିକୁ ଏହା ପ୍ରତିପାଦିତ କରୁଛି । ଗତ ଏକ ଦଶନ୍ଧିରେ ଭାରତର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ବେଶ ଦୃଢ଼ ହୋଇଛି । ୨ ଲକ୍ଷ ଷ୍ଟାର୍ଟଅପ୍‌ ସହ ଭାରତ ବିଶ୍ୱର ବୃହତ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଥିବା ଦେଶ ମଧ୍ୟରେ ନିଜକୁ ସାମିଲ କରିପାରିଛି । ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ ଏନ୍‌ସିଆର୍‌ ଭଳି ସ୍ଥାନ ଗୁଡ଼ିକ ଷ୍ଟାର୍ଟଅପ୍‌ ନବସୃଜନରେ ଆଗରେ ରହିଛନ୍ତି । ସେହିଭଳି ଛୋଟ ସହର ଗୁଡ଼ିକରେ ୫୦% ଷ୍ଟାର୍ଟଅପ୍‌ ରହିଥିବାରୁ ଏହା ଔଦ୍ୟୋଗିକତାର ଗଣତନ୍ତ୍ରୀକରଣ ବୋଲି ବିବେଚନା କରାଯାଉଛି । 

ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନ ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ଗ୍ରହଣ କରାଯାଇଥିବା ଷ୍ଟାର୍ଟଅପ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶର ନବସୃଜନ ଏବଂ ଔଦ୍ୟୋଗିକତା ସଂସ୍କୃତିର ପ୍ରୋତ୍ସାହନରେ ଅଗ୍ରଦୂତ ପାଲଟିଛି । ଉଚ୍ଚ ମୂଲ୍ୟର ଷ୍ଟାର୍ଟଅପ ଇକୋସିଷ୍ଟମ କ୍ଷେତ୍ରରେ ମଧ୍ୟ ଭାରତ ଆଗରେ ରହିଛି । ୨୦୧୪ରେ ୧ ବିଲିୟନ ଡଲାର ବିଶିଷ୍ଟ ୪ ଷ୍ଟାର୍ଟଅପ୍‌ ଥିବା ବେଳେ ଏବେ ଏଭଳି ଷ୍ଟାର୍ଟଅପ୍‌ ଗୁଡ଼ିକ ବ୍ୟାପକ ଭାବେ ଅଗ୍ରଗତି କରିଛନ୍ତି । ଏବେ ୟୁନିକର୍ଣ୍ଣ ଷ୍ଟାର୍ଟଅପ୍‌ ସଂଖ୍ୟା ୧୨୦ ଟପିଛି । ଏସବୁ ଷ୍ଟାର୍ଟଅପ ଗୁଡ଼ିକର ମୂଲ୍ୟ ଏବେ ୩୫୦ ବିଲିୟନ ଡଲାର । ଷ୍ଟାର୍ଟଅପ୍‌ ଗୁଡ଼ିକୁ ଉତ୍ସାହିତ କରିବା ଲାଗି ଡିପିଆଇଆଇଟି ଦ୍ୱାରା ଫଣ୍ଡ୍‌ସ ଅଫ୍‌ ଫଣ୍ଡ୍‌ ଆସିଛି । ସିଡ୍‌ବି ଦ୍ୱାରା ଷ୍ଟାର୍ଟଅପ୍‌ ଇଣ୍ଡିଆ ଆକ୍ସନ ପ୍ଲାନ କାର୍ଯ୍ୟକାରି ହୋଇଛି । ଅଲଟରନେଟିଭ ଇନଭେଷ୍ଟମେଣ୍ଟ ଫଣ୍ଡ ଲାଗି ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏବେ ୧୪୦ ସଂସ୍ଥା ୧୩୭୦ ଷ୍ଟାର୍ଟଅପ୍‌ରେ ୨୫,୫୦୦ କୋଟି ଟଙ୍କାର ନିବେଶ କରିଛନ୍ତି । ଷ୍ଟାର୍ଟଅପ୍‌ଗୁଡ଼ିକ ୨୧ ଲକ୍ଷ ନିଯୁକ୍ତି ଯୋଡ଼ିଛନ୍ତି।