ଟିକାବାଲି,୨୬/୪ : ଟିକାବାଲି ଥାନା ଅନ୍ତର୍ଗତ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ଭୋଜି ଆୟୋଜନ ବେଳେ ଅଘଟଣ। ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ନାମ କଷ୍ଟ ମାଝୀ(୪୫)। ଗୁରୁତର ଜଣକ ହେଲେ ରବି ଖମାରୀ(୫୦)। 

ଶନିବାର କୁଟିଗଡ ଗ୍ରାମର ବାଳକୃଷ୍ଣ ଦେହୁରୀଙ୍କ ଘରେ ବାହାଘର ଭୋଜି ଆୟୋଜନ ଚାଲିଥିଲା। କଷ୍ଟ ଓ ରବି ମସଲା ଗ୍ରାଇଣ୍ଡିଙ୍ଗ କରୁଥିବା ବେଳେ   ପ୍ରଥମେ କଷ୍ଟଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ରବି ମଧ୍ୟ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ   ଉଭୟଙ୍କୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କଷ୍ଟଙ୍କ ମୃତ୍ୟୁ ହୋଇଥିଲା। ରବିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି I ମୃତକଙ୍କ ସାନ ଭାଇ ସଞ୍ଜୟଙ୍କ ଏତଲା ଆଧାରରେ ଟିକାବାଲି ପୁଲିସ ଡାକ୍ତରଖାନାରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ଏଏସଆଇ ବାସନ୍ତୀ ବେହେରା ସୂଚନା ଦେଇଛନ୍ତି I 

ଟିକାବାଲିରେ ଦୀର୍ଘ ଦିନ ହେବ ଶବ ବ୍ୟବଛେଦ କେନ୍ଦ୍ର ନିର୍ମାଣ ହୋଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ପାରୁନାହଁ I ଫଳରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ମହାପ୍ରୟାଣ ଯାନର ବ୍ୟବସ୍ଥା ନଥିବାରୁ ଗରୀବ ଶ୍ରେଣୀର ଜନସାଧାରଣ ଅସୁବିଧା ଭୋଗୁଛନ୍ତି I ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ନିମନ୍ତେ ଅଞ୍ଚଳବାସୀ ନିବେଦନ କରିଛନ୍ତି I