କୁଲଗାମ: ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଶୁକ୍ରବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ତୀବ୍ର ଗୁଳି ବିନିମୟ ଜାରି ରହିଛି। ଏହି ଆତଙ୍କବାଦୀମାନେ ଲସ୍କର-ଏ-ତୋଇବା ସହ ଜଡ଼ିତ ଏବଂ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣାଟି କୁଲଗାମର ଅଖାଲ ଜଙ୍ଗଲ ଅଞ୍ଚଳରେ ଘଟିଛି। ଭାରତୀୟ ସେନା, ସିଆରପିଏଫ ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ ମିଳିତ ଭାବେ ଏହି ଅଭିଯାନ ଜାରି ରଖିଛନ୍ତି।
ଖବର ମୁତାବକ, ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଅଖାଲ ଜଙ୍ଗଲରେ ଏକ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ଅଞ୍ଚଳଟିକୁ ଘେରି ତଲାସୀ ଆରମ୍ଭ କରିଥିଲେ। କିନ୍ତୁ ଆତଙ୍କୀମାନେ ପ୍ରଥମେ ସେନା ଉପରେ ଗୁଳି ଚଳାଇଥିଲେ, ପାଲଟା ଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଅଞ୍ଚଳରେ ୩ ରୁ ୪ ଜଣ ଆତଙ୍କବାଦୀ ଥିବା ସନ୍ଦେହ କରାଯାଉଛି, ଯେଉଁମାନେ ଏବେ ସେନାର ଘେରାବନ୍ଦୀ ମଧ୍ୟରେ ଫସି ରହିଛନ୍ତି। ଅଭିଯାନକୁ ଆହୁରି ଶାଣିତ କରିବା ପାଇଁ ସେନା ପକ୍ଷରୁ ଅତିରିକ୍ତ ସୈନ୍ୟ ଏବଂ ହେଲିକପ୍ଟର ଜରିଆରେ ଆକାଶମାର୍ଗରୁ ନିରୀକ୍ଷଣ ଜାରି କରାଯାଉଛି।
ଏହି ଅଭିଯାନ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ ହୋଇଛି। ଏହି ଅମାନବୀୟ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ପରେ ଏହି ଆକ୍ରମଣର ଦାୟିତ୍ୱ ଲସ୍କର-ଏ-ତୋଇବାର ଏକ ଶାଖା ସଂଗଠନ ଦ ରେସିଷ୍ଟାନ୍ସ ଫ୍ରଣ୍ଟ ନେଇଥିଲା। ଏହା ପୂର୍ବରୁ ଅପରେସନ ମହାଦେବରେ ମଧ୍ୟ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ଉକ୍ତ ତିନି ଆତଙ୍କୀଙ୍କ ନିକଟରୁ ୧୭ଟି ଗ୍ରେନେଡ, ଗୋଟିଏ ଏମ୍୪ କାର୍ବାଇନ ଓ ଦୁଇଟି ଏକେ-୪୭ ରାଇଫଲ ଜବତ କରାଯାଇଛି।
ଭାରତୀୟ ସେନାର ଚିନାର କର୍ପସ ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ଏକ ପୋଷ୍ଟ ଜାରି କରିଛି। ଯେଉଁଥିରେ ଅଖାଲ ଅଞ୍ଚଳରେ ସେନା ସହ ସମ୍ପର୍କ ସ୍ଥାପନ ହୋଇଛି ଏବଂ ମିଳିତ ଅଭିଯାନ ଜାରି ରହିଛି । ସୁରକ୍ଷା ଅଧିକାରୀମାନେ ଆତଙ୍କବାଦୀଙ୍କୁ ନିହତ କରିବା ପାଇଁ ସମସ୍ତ ଉପାୟ ଅବଲମ୍ବନ କରୁଛନ୍ତି ବୋଲି ଉଲ୍ଲେଖ ରହିଛି ।
ଏହା ଜମ୍ମୁ ଓ କାଶ୍ମୀରରେ ଗତ ଏକ ସପ୍ତାହ ମଧ୍ୟରେ ତୃତୀୟ ବଡ଼ ଆତଙ୍କବାଦୀ ବିରୋଧୀ ଅଭିଯାନ। ଏହା ପୂର୍ବରୁ ଦାଚିଗାମ ଜାତୀୟ ଉଦ୍ୟାନ ନିକଟରେ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା। ଏହି ଆକ୍ରମଣରେ ନିହତ ସମସ୍ତ ଆତଙ୍କୀ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିଲେ ବୋଲି ଜଣାପଡିଥିଲା।