ନୂଆଦିଲ୍ଲୀ,୦୧/୦୬: ଅପରେସନ୍‌ 'ସିନ୍ଦୂର' ବାବଦରେ ଶନିବାର ସିଡିଏସ୍‌ ଅନୀଲ ଚୌହାନ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲେ । ଅପରେସନ୍‌ ବେଳେ ଭାରତର କେତୋଟି ବିମାନକୁ ପାକିସ୍ତାନ ଖସାଇଥିଲା ତାର ପ୍ରଶ୍ନରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ ଦେଇଥିବା ବୟାନକୁ ନେଇ ଦ୍ବନ୍ଦ ଉପୁଜିଛି । ଏହାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏ ନେଇ ସ୍ୱତନ୍ତ୍ର ପାର୍ଲାମେଣ୍ଟ ଅଧିବେଶନ କରିବାକୁ ଦାବି କରି କେନ୍ଦ୍ରକୁ ଘେରିଛି କଂଗ୍ରେସ ।

‘ଅପରେସନ ସିନ୍ଦୂର’ ପ୍ରସଙ୍ଗରେ ଚିଫ୍‌ ଅ୍‌ ଡିନ୍ସେ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ଅନିଲ ଚୌହାନଙ୍କ ବୟାନ ପରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଘେରିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି, ଦେଶବାସୀଙ୍କୁ କିଛି ଲୁଚାଯାଉଛି କି ? ସରକାର ଦେଶକୁ ଭୁଆଁ ବୁଲାଉଛନ୍ତି । ଭାରତର ପ୍ରତିରକ୍ଷା ପ୍ରସ୍ତୁତିକୁ ନେଇ ଏକ ନିରପେକ୍ଷ ବିଶେଷଜ୍ଞ କମିଟି ଦ୍ୱାରା ସମୀକ୍ଷା କରାଯିବା ଆବଶ୍ୟକ । ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ଆମର କେତେ ସଂଖ୍ୟକ ବିମାନ ଖସାଇଥିଲା, ତାହା ଦେଶବାସୀ ଜାଣିବା ଜରୁରି । ଏ ନେଇ ପର୍ଲାମେଣ୍ଟରେ ଏକ ସ୍ବତନ୍ତ୍ର ଅଧିବେଶନ କରାଯାଉ ବୋଲି ସେ କହିଛନ୍ତି । 

‘ଏକ୍ସ’ରେ ଖଡ୍‌ଗେ ଲେଖିଛନ୍ତି, ‘କାର୍‌ଗିଲ୍‌ ସମୀକ୍ଷା କମିଟି ଭଳି ଆଉ ଏକ ବିଶେଷଜ୍ଞ କମିଟି ଗଠନ ହେବା ଆବଶ୍ୟକ । ଏହାଦ୍ୱାରା ଆମ ପ୍ରତିରକ୍ଷା ପ୍ରସ୍ତୁତି ନେଇ ବ୍ୟାପକ ସମୀକ୍ଷା ହୋଇପାରିବ । କଂଗ୍ରେସ ଦଳ ଏହା ଦାବି କରୁଛି । ସିଡିଏସ୍‌ ଜେନେରାଲ ଚୌହାନଙ୍କ ବୟାନକୁ ଆଧାରରେ ଆମେ ସେନାର ସାହସକୁ ସାଲ୍ୟୁଟ କରୁଛୁ । ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାହେଲେ ହିଁ ତାହା ସମ୍ଭବ ହୋଇପାରିବ । ଆମ ବାୟୁସେନା ପାଇଲଟ୍‌ମାନେ ଜୀବନକୁ ପାଣି ଛଡ଼ାଇ ଲଢ଼ିଥିଲେ । ଆମର କିଛି କ୍ଷତି ହୋଇଥିଲା । କିନ୍ତୁ ଆମ ପାଇଲଟ୍‌ମାନେ ସୁରକ୍ଷିତ ଥିଲେ ।'

କଣ କହିଥିଲେ ସିଡିଏସ୍‌ ? ପହଲଗାମ ପ୍ରତିଶୋଧ ପାଇଁ ଲଞ୍ଚ ହୋଇଥିବା ଅପରେସନ୍ 'ସିନ୍ଦୂର'  । ଏଥିରେ ପାକ୍ ଭାରତର କେତୋଟି ବିମାନକୁ ଖସାଇଥିଲା ବୋଲି ସିଡିଏସ୍‌ ଅନୀଲ ଚୌହାନଙ୍କୁ ପ୍ରଶ୍ନ ହୋଇଥିଲା । ଏ ବାବଦରେ ସେ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଦ୍ବନ୍ଦ୍ବ ସୃଷ୍ଟି କରିଛି । ଭାରତର କେତେ ବିମାନ ଖସିଥିଲା ସିଡିଏସ୍‌ ସିଧାସଳଖ ଭାବେ କୌଣସି ସଂଖ୍ୟା ଦର୍ଶାଇ ନଥିଲେ । କେତେ ବିମାନ ଖସିଛି ତାହା ବଡ଼ କଥା ନୁହେଁ କାହିଁକି ଖସିଲା ତାହା ଗୁରୁତ୍ୱରୂର୍ଣ୍ଣ ବୋଲି କହିଥିଲେ ସିଡିଏସ୍ ଅନୀଲ ଚୌହାନ । ୬ଟି ବିମାନ ଖସିଥିବା ନେଇ ପାକ୍‌ର ଦାବିକୁ ଖଣ୍ଡନ କରିଥିଲେ ।