କଟକ,୨୨/୦୮: ସ୍ପେସାଲ୍‌ ଓଟିଇଟି  ପ୍ରଶ୍ନ ଲିକ୍‌ କେଳେଙ୍କାରୀର ଅଧିକ ଖୋଳତାଡ଼ ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ଆଉ ଦୁଇ ଜଣ  ଅଭିଯୁକ୍ତଙ୍କୁ ରିମାଣ୍ଡ୍‌ରେ ନେଇ ପଚରାଉଚାର । ଏହି  ଘଟଣାରେ ଗିରଫ ହୋଇ ଚୌଦ୍ୱାର ଜେଲ୍‌ରେ  ଥିବା ଶିକ୍ଷକ ସଂଘ ନେତା ତଥା କୋରାପୁଟ ଜିଲ୍ଲା କୁନ୍ଦ୍ରା ଥାନା ସାଗରଗୁଡ଼ା ଗ୍ରାମର ସନାତନ  ବିଶୋଇ (୫୧) ଓ ବାଦାମବାଡ଼ି ନାରାୟଣ ଲେନ୍‌ ଅଞ୍ଚଳର ଦଲାଲ୍‌ ରାମଜୀ ପ୍ରସାଦ ଗୁପ୍ତା (୫୧) ଉଭୟଙ୍କୁ ତଦନ୍ତକାରୀ ଟିମ୍‌ କଡ଼ା  ସୁରକ୍ଷା ବଳୟରେ କ୍ରାଇମ୍‌ବ୍ରାଞ୍ଚ୍‌କୁ ଆଣିଥିଲା । ବିଶୋଇ ଓ ଗୁପ୍ତା ସନ୍ଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ୍‌ ମୁଖ୍ୟାଳୟରେ ପହଞ୍ଚିବା ପରେ ତଦନ୍ତକାରୀ  ଅଧିକାରୀ ଜେରା କରିଥିଲା। ରିମାଣ୍ଡ୍‌ ଅବଧି ମାତ୍ର ୨୪ ଘଣ୍ଟା ପାଇଁ ଥିବାରୁ ଏହି  ସମୟ ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଜେରା କରି ସେମାନଙ୍କଠାରୁ ଅନେକ ତଥ୍ୟ ଓ ସୂଚନା  ସଂଗ୍ରହ କରିବାକୁ କ୍ରାଇମ୍‌ବ୍ରାଞ୍ଚ୍‌ ଲକ୍ଷ୍ୟ ରଖିଛି । କ୍ରାଇମ୍‌ବ୍ରାଞ୍ଚ୍‌ର ଜଣେ ଏସ୍‌ପି ଓ ଦୁଇ ଜଣ  ଡିଏସ୍‌ପିଙ୍କ ସମେତ ଜଣେ ଇନ୍ସପେକ୍ଟର ପୃଥକ୍‌ ଭାବେ ଦୁଇ ଅଭିଯୁକ୍ତଙ୍କୁ ଜେରା କରିଥିଲେ । 

ରାୟଗଡ଼ାର ଶିକ୍ଷକ ନେତା ବିଜୟ  ମିଶ୍ରଙ୍କଠାରୁ ସନାତନ ବିଶୋଇ ପ୍ରଶ୍ନ କିଣିଥିବା ସ୍ୱୀକାର କରିଛି । ଏଥିଲାଗି ସେ ପ୍ରଥମେ  ପାଖାପାଖି ୧୫ ଜଣ ଶିକ୍ଷକଙ୍କଠାରୁ ଟଙ୍କା  ଆଦାୟ କରି ବିଜୟ ମିଶ୍ରଙ୍କୁ ମୋଟା ଅଙ୍କର  ଅର୍ଥ ଦେଇଥିବା କଥା ଜେରା ବେଳେ ସ୍ୱୀକାର  କରିଥିବା ଜଣେ ଅଧିକାରୀ କହିଛନ୍ତି । ତେବେ ଦୁଇ ସେଟ୍‌ର ଅଧିକାଂଶ ପ୍ରଶ୍ନ ମିଳିଥିବାରୁ ପରବର୍ତ୍ତୀ ସମୟରେ ଅଧିକ ଶିକ୍ଷକଙ୍କୁ  ହ୍ୱାଟସ୍‌ଆପ୍‌ରେ ପ୍ରଶ୍ନ ପଠାଇ ମୋଟା ଅଙ୍କର ଟଙ୍କା ଆଦାୟ କରିଥିବା ଏକ୍ସ କ୍ୟାଡର୍‌ ଶିକ୍ଷକ  ସଂଘ ନେତା ବିଶୋଇ କହିଛି । 

ସେହିପରି  ରିମାଣ୍ଡ୍‌ରେ ଆସିଥିବା ଅନ୍ୟତମ ଅଭିଯୁକ୍ତ  ରାମଜୀ ଗୁପ୍ତା ଜଣେ ପେସାଦାର ପ୍ରଶ୍ନ  ପ୍ରଘଟକାରୀ ଓ ଦଲାଲ୍‌ । ସେ ଓଟିଇଟି ପରି ବିଭିନ୍ନ ନିଯୁକ୍ତିମୂଳକ ପରୀକ୍ଷା ଆଗରୁ ପ୍ରଶ୍ନ ହାତେଇ ବିକ୍ରି କରି ମୁନାଫା କମାଇଥାଏ ବୋଲି  ତଦନ୍ତକାରୀ ଟିମ୍‌ର ଜଣେ ଅଧିକାରୀ କହିଛନ୍ତି । ପ୍ରଥମ ଥର ପାଇଁ ତଦନ୍ତକାରୀ ସଂସ୍ଥା ହାତରେ  ସେ ଧରାପଡ଼ିଛି । ରାମଜୀ ପେସାଦାର ଢଙ୍ଗରେ  ପ୍ରଶ୍ନ ବିକ୍ରି ର‌୍ୟାକେଟ୍‌ ଚଳାଇଥିବାରୁ ଓଟିଇଟି  ପ୍ରଶ୍ନ କେଳେଙ୍କାରୀରେ ତା’ର ଚେର କେଉଁ  ଯାଏ ଲମ୍ବିଛି ତାହା ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌  ପାଇଁ ଏବେ ଚ୍ୟାଲେଞ୍ଜ୍‌ ହୋଇଛି ।    

ଅନ୍ୟପକ୍ଷରେ ରାମଜୀ ସହ ବୋର୍ଡର  ଅନେକ କର୍ମଚାରୀ ଓ ଅବସରପ୍ରାପ୍ତ  କର୍ମଚାରୀଙ୍କର ସିଧାସଳଖ ସମ୍ପର୍କ ରହିଛି ।  ରାମଜୀ ଗୁପ୍ତା ପାଖରୁ ପ୍ରଶ୍ନ ନେବା ପାଇଁ  ବୋର୍ଡର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ  ପୁଅ ରୀତିମତ ଯୋଗାଯୋଗରେ ଥିଲେ ।  ତେଣୁ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀ ଓ  ତାଙ୍କ ପୁଅକୁ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପରିସରକୁ  ଆଣିବ ବୋଲି ଜଣେ ଅଧିକାରୀ କହିଛନ୍ତି ।  ରାମଜୀ ପ୍ରଶ୍ନ ନେଇ ନିଜ ଚେନ୍‌ରେ ଥିବା  ଶିକ୍ଷକଙ୍କ ଜରିଆରେ ପ୍ରଶ୍ନ ବିକ୍ରି କରିଥିବା  ଜେରା ବେଳେ ମାନିଛି । ବିଶେଷକରି ଓଟିଇଟି  ପ୍ରଶ୍ନକୁ ବ୍ରହ୍ମପୁରରେ କେତେକ ଶିକ୍ଷକଙ୍କୁ  ବିକ୍ରି କରିଥିବା କଥା କ୍ରାଇମ୍‌ବ୍ରାଞ୍ଚ୍‌ ତାହାଠାରୁ  ଜାଣିବାକୁ ପାଇଛି । ଦୁଇ ଅଭିଯୁକ୍ତଙ୍କୁ ଆଜି  ରାତିସାରା ଜେରା କରାଯିବ ।

ଶୁକ୍ରବାର  ଅପରାହ୍ନରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ । ଏହା ପୂର୍ବରୁ ବୋର୍ଡର ଡାଟା ଏଣ୍ଟ୍ରି  ଅପରେଟର୍‌ ଜିତନ୍‌ ମହାରଣା ଓ ଶିକ୍ଷକ ବିଜୟ ମିଶ୍ରଙ୍କୁ ରିମାଣ୍ଡ୍‌ରେ ଆଣି କ୍ରାଇମ୍‌ବ୍ରାଞ୍ଚ୍‌  ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଏହାପରେ ମାମଲାର ଅନ୍ୟତମ ଅଭିଯୁକ୍ତ ବୋର୍ଡର ପୂର୍ବତନ ଉପସଭାପତି ନିହାର  ରଞ୍ଜନ ମହାନ୍ତିଙ୍କୁ ବି ରିମାଣ୍ଡ୍‌ରେ ଅଣାଯାଇ ଜେରା କରାଯିବାକୁ ଯୋଜନା ଥିବା ତଦନ୍ତକାରୀ ଟିମ୍‌ର ଜଣେ ଅଧିକାରୀ କହିଛନ୍ତି ।