ଫିରିଙ୍ଗିଆ,୧୦/୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଗଞ୍ଜେଇ ଚାଷ କିମ୍ବା ଚାଲାଣ କମିବାରେ ନା ଧରୁନି । ବାରମ୍ବାର ପୁଲିସ ଏବଂ ଅବକାରୀ ବିଭାଗ ଧରପଗଡ଼ କରି ଗଞ୍ଜେଇ ଚାଲାଣ କାରି ଓ ଗାଡି ଜବତ କାରି କୋର୍ଟ ଚାଲାଣ କରୁଥିଲେ ମଧ୍ୟ ଚାଲାଣକାରି କିମ୍ବା ଗଞ୍ଜେଇ ଚାଷୀ ସଚେତନ ହେଉନାହାନ୍ତି l ଫିରିଙ୍ଗିଆ ବ୍ଲକର ଦୁଇଟି ଥାନା ଫିରିଙ୍ଗିଆ ଏବଂ ଗୋଚ୍ଛାପଡା ପୁଲିସ ଟନ୍ ଟନ୍ ଗଞ୍ଜେଇ ଜବତ କରିବାରେ ସଫଳ ମଧ୍ୟ ହେଉଥିବାବେଳେ ଗତ କିଛି ଦିନ ପୂର୍ବରୁ ଫିରିଙ୍ଗିଆ ପୁଲିସ ଦୁଇ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବାବେଳେ ଏବେ ପୁଣି ଗୋଚ୍ଛାପଡ଼ା ପୁଲିସ ଦୁଇ ଟନ ଦୁଇ ସହ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି l
ସୂଚନା ଅନୁସାରେ ଗତକାଲି ଗୋଚ୍ଛାପଡ଼ା ଥାନା ପୁଲିସକୁ ଲୁଇସିଂ ପଞ୍ଚାୟତ ସିଂହାସିନୀ ଗାଁ ନିକଟ ଜଙ୍ଗଲରେ ଗଞ୍ଜେଇ ଗଛିତ କରି ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଥିଲା l ଖବରପାଇ ଗୋଚ୍ଛାପଡ଼ା ଥାନା ଅଧିକାରୀ ସଂଜୀବ କୁମାର ବେହେରାଙ୍କ ନେତୃତ୍ୱରେ ଥାନାରେ କାର୍ଯ୍ୟରତ ଏସଆଇ ଅନନ୍ତ କୁମାର ପ୍ରଧାନ ଓ ଟିମ୍ ଲୁଇସିଂ ପଞ୍ଚାୟତର ସିଂହାସନି ଗାଁ ଜଙ୍ଗଲରେ ଚଢ଼ଉ କରିଥିଲେ l ଘଟଣାସ୍ଥଳରେ ୮୮ଟି ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବା ପରେ ଗଞ୍ଜେଇ ଜବତ କରିଥିବାବେଳେ ଘଟଣାସ୍ଥଳରେ ଗଞ୍ଜେଇ ଛାଡି ଫେରାର ହୋଇଥିବା ପୁଲିସ ସୂଚନା ଦେଇଛି । ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଜବତ ଗଞ୍ଜେଇ ଓଜନ ପରେ ଦୁଇ ଟନ୍ ଦୁଇ ସହ କେଜି ହୋଇଥିଲା l ତେବେ ଏହି ଗଞ୍ଜେଇ ଜବତ ଘଟଣାରେ ଗୋଚ୍ଛାପଡ଼ା ଥାନାରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଥିବା ଗୋଚ୍ଛାପଡ଼ା ଥାନା ଅଧିକାରୀ ସଂଜୀବ କୁମାର ବେହେରା ସୂଚନା ଦେଇଛନ୍ତି l