ନୂଆପଡ଼ା, ୧୨।୧୨ : ନୂଆପଡ଼ା ଜିଲ୍ଲାରେ ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି ରହିଛି। ଆଜି ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ଓ ଡିଆରସିଏସ ଶିବପ୍ରସାଦ ସ୍ବାଇଁ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରୁଛନ୍ତି ।

ସୂଚନାନୁଯାୟୀ, ଡିସେମ୍ବର ୩ରେ ନୂଆପଡ଼ା ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ଖରିଆରରୋଡ ନିୟନ୍ତ୍ରିତ ବଜାର କମିଟିରେ ଜିଲ୍ଲାପାଳ ମଧୁସୂଦନ ଦାସ ମଣ୍ଡି ଉଦଘାଟନ କରିଥିଲେ। ସେହଦିନ କିଛି ଚାଷୀଙ୍କ ଧାନ ସଂଗ୍ରହ ହୋଇଥିଲା। ହେଲେ ୯ଦିନ ବିତି ଯାଇଥିଲେ ବି ଜିଲ୍ଲାର କୌଣସି ମଣ୍ଡି ଖୋଲିନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏବେ ଜିଲ୍ଲାର ପ୍ରାୟ ସବୁ ମଣ୍ଡିରେ ଚାଷୀମାନେ ଧାନ ଗଦାଇ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି। ଏନେଇ ଚାଷୀମାନେ ଅନେକ ଥର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନାହିଁ। ଏବେ ଚାଷୀମାନେ ଧାନକୁ ସୁରକ୍ଷିତ ରଖିବାକୁ ଶୀତ କାକରରେ ରାତି ସାରା ଜଗି ବସିଥାନ୍ତି। ମଣ୍ଡିରେ ଅଚଳାବସ୍ଥା ଜାରି ରହିଛି। ଆଜି ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି। ଜିଲ୍ଲାପାଳଙ୍କ ଅଫିସ ମୁଖ୍ୟ ଗେଟରେ ଚାଷୀମାନେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ଓ ଡିଆରସିଏସ ଶିବପ୍ରସାଦ ସ୍ବାଇଁ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରୁଛନ୍ତି । ଜିଲ୍ଳା ପରିଷଦ ସଭ୍ୟ ଭାନୁପ୍ରତାପସିଂ ମାଝି, ବିଜେଡ଼ି ଜିଲ୍ଲା ସଭାପତି ଅବନୀ ରଂଜନ ଯୋଶୀ, ନୂଆପଡ଼ା ବ୍ଳକ ଉପାଧ୍ୟକ୍ଷ ଦିଲୀପ ନିର୍ମାଳକର, ଡୁମେରପାଣି ସରପଞ୍ଚ ଟେକରାମ ସାହୁ, ଚାଷୀ ନେତା ମନୋଜ ସାହୁ, ଦେବୀପ୍ରସାଦ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ରବି ମଙ୍ଗରାଜ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ଅମିତ ଅହିର, ପ୍ରମୋଦ ସାହୁ, ଦିଲୀପ ସାହୁ, ବେଦପ୍ରକାଶ ସାହୁ, ମାୟା ସାହୁ, ତୋଷ ରାମ ସାହୁ, ହେମାଲାଲ ଶବର ପ୍ରମୁଖ ଉପସ୍ଥିତ ଥିଲେ।