ନୂଆଦିଲ୍ଲୀ,୩୦।୭: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଜାତିସଂଘ ଏକ ନୂଆ ରିପୋର୍ଟ ଦେଇଛି । ଏହି ଆକ୍ରମଣ ପଛରେ ଲସ୍କର-ଏ-ତୈବାର ସିଧାସଳଖ ଭୂମିକା ଥିବା ଜାତିସଂଘ କହିଛି । ରିପୋର୍ଟରେ କୁହାଯାଇଛି ଯେ, ୨୨ ଏପ୍ରିଲ ୨୦୨୫ରେ ହୋଇଥିବା ଏହି ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ପାକିସ୍ତାନ ଏହି ମାମଲାରେ ଲଗାତାର ମିଛ କହୁଥିବା ଜାତିସଂଘ କହିଛି ।
ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ, ୨୨ ଏପ୍ରିଲ୍ ୨୦୨୫ରେ ଭାରତର ଜମ୍ମୁ ଓ କାଶ୍ମୀରର ବୈସାରଣ ଉପତ୍ୟକାରେ ହୋଇଥିବା ଆକ୍ରମଣରେ ଲସ୍କର-ଏ- ତୈବାର ସିଧାସଳଖ ହାତ ଥିଲା । ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧକ ନିରୀକ୍ଷଣ ଦଳ କହିଛି ଯେ, ପହଲଗାମ ଆକ୍ରମଣରେ ଦି ରେସିଡେଣ୍ଟ ଫ୍ରଣ୍ଟ ଦ୍ୱାରା ଦିଆଯାଇଥିବା ତଥ୍ୟ ସଠିକ୍ ପ୍ରମାଣିିତ ହୋଇଥିଲା । ତଦନ୍ତରେ କୁହାଯାଇଛି ଯେ, ଟିଆର୍ଏଫ୍ କାର୍ଯ୍ୟରେ ଲସ୍କର ସାହାଯ୍ୟ କରିଥିଲା ।
ଲସ୍କର-ଟିଆର୍ଏଫ୍ ମଧ୍ୟରେ ସିଧାସଳଖ ସମ୍ପର୍କ
ପର୍ଯ୍ୟବେକ୍ଷଣ ଦଳର ରିପୋର୍ଟରେ ଅନୁସାରେ, ଲସ୍କର ବିନା ପହଲଗାମରେ ହୋଇଥିବା ଆକ୍ରମଣ ସମ୍ଭବ ହୋଇପାରିନଥାନ୍ତା । ଲସ୍କରର ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଥିଲା । ଯେଉଁ ସମୟରେ ପାକିସ୍ତାନ ପହଲଗାମ ବିଷୟରେ ବିଶ୍ୱକୁ ମିଛ କହୁଛି, ଠିକ୍ ଏହି ସମୟରେ ଏଭଳି ରିପୋର୍ଟ ଦେଇଛି ଜାତିସଂଘ । ଜାତିସଂଘ ଏହାର ରିପୋର୍ଟରେ କହିଛି ଯେ, ଲସ୍କର ଏବଂ ଟିଆରଏଫ୍ ମଧ୍ୟରେ ସିଧାସଳଖ ସମ୍ପର୍କ ଅଛି । ଭାରତ ବହୁତ ଦିନ ଧରି ଏହା କହିଆସୁଛି । କହିରଖୁ କି, ଟିଆରଏଫ ୨୦୧୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏଥିରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ଲସ୍କରର ହାଫିଜ୍ ସଇଦ୍ର ହାତ ଥିଲା ।
TRF-ଲସ୍କରକୁ ବଞ୍ଚାଇବାକୁ ପାକିସ୍ତାନର ପ୍ରୟାସ
ପହଲଗାମ ଆକ୍ରମଣ ପରଠାରୁ, ପାକିସ୍ତାନ ଟିଆରଏଫ ଏବଂ ଲସ୍କର-ଏ-ତୋଇବାଙ୍କୁ ବଞ୍ଚାଇବାକୁ ଲଗାତାର ଚେଷ୍ଟା କରିଆସୁଛି । ପହଲଗାମ ଆକ୍ରମଣ ପରେ ଯେତେବେଳେ ଜାତିସଂଘ ସୁରକ୍ଷା ପରିଷଦ ଏକ ବିବୃତ୍ତି ଜାରି କରିଥିଲା, ପାକିସ୍ତାନ ସେଥିରୁ ଟିଆରଏଫର ନାଁ ହଟାଇ ଦେଇଥିଲା । କେବଳ ଏତିକି ନୁହେଁ, ସାମ୍ପ୍ରତିକ ଜାତିସଂଘ ରିପୋର୍ଟରେ ପାକିସ୍ତାନର ନିର୍ଦ୍ଦେଶରେ ଏକ ଦେଶ ଲସ୍କରକୁ ନିଷ୍କ୍ରିୟ ସଂଗଠନ ବୋଲି କହିଛି ।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଅନୁଯାୟୀ, ଏବେ ସେଠାରେ କୌଣସି ଆତଙ୍କବାଦୀ ସଂଗଠନ ସକ୍ରିୟ ନାହିଁ । ପହଲଗାମ ଆକ୍ରମଣ ପରେ, ପାକିସ୍ତାନ ଲସ୍କରର ହାଫିଜ୍ ସଇଦ୍ ଏବଂ ଜୈଶର ମସୁଦ ଆଝାରଙ୍କୁ ଅଣ୍ଡରଗ୍ରାଉଣ୍ଡ କରିଦେଇଥିଲା । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଏକ ସାକ୍ଷାତକାରରେ କହିଥିଲେ ଯେ, ହାଫିଜ୍ ସଇଦ୍ ଏବଂ ମାସୁଦ ଆଝାର ଆଫଗାନିସ୍ତାନରେ ଥାଇପାରନ୍ତି ।