ନୂଆଦିଲ୍ଲୀ,୧୦/୫ :   ଭାରତ- ପାକିସ୍ତାନ ମଧ୍ୟରେ ଶନିବାର ଅସ୍ତ୍ରବିରତି ଘୋଷଣା ପରେ ପୁଣି ଗୁଳିମାଡ଼ । ସୀମାନ୍ତ ବର୍ତ୍ତି ଜିଲ୍ଲା ଗୁଡ଼ିକରେ କରିଛି ଗୁଳି ବର୍ଷା । ଅପରାହ୍ନରେ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନ ଏହାକୁ ଉଲ୍ଲଂଘନ କରିଛି । ଏଲଓସିରେ ପାକିସ୍ତାନ ଗୁଳିମାଡ଼ ଜାରି ରଖିଛି । ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ବ୍ଲାକଆଉଟ କରାଯାଇଛି । ଏ ନେଇ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଉମାର ଅବ୍ଦୁଲ୍ଲା ବି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯୁଦ୍ଧ ବିରତିକୁ ଭାଙ୍ଗିଛି ପାକିସ୍ତାନ । ଶ୍ରୀନଗରରେ ଏକ ବଡ଼ ଶଦ୍ଦ ଶୁଣାଯାଇଛି । 




ପ୍ରକାଶ ଯେ, ଶନିବାର ବିଦେଶ ମନ୍ତ୍ରାଳୟର ସଚିବ ବିକ୍ରମ ମିସରୀ ଅସ୍ତ୍ରବିରତିର ଘୋଷଣା କରିଥିଲେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ- ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆଲୋଚନା ହୋଇଥିବା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପକାଇଥିଲେ । ଏହାପରେ ଏହି ଅସ୍ତ୍ରବିରତିକୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଡର, ଆମେରିକାର ବୈଦେଶିକ ସଚିବ ମାକ୍ରୋ ଋବିଓ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହାକୁ ନେଇ ସ୍ପଷ୍ଟ କରିଥିଲେ । 

ମାତ୍ର ଏବେ ପାକିସ୍ତାନ ପକ୍ଷରୁ ଜମ୍ମୁ, ଶ୍ରୀନଗରରେ ଡ୍ରୋନ ମାଡ଼ କରାଯାଇଛି । ସେହିଭଳି ଗୁଜରାଟର କଚ୍ଛରେ ୧୦ପାକିସ୍ତାନୀ ଡ୍ରୋନ ଦେଖାଯାଇଛି । ଯାହାକୁ ଭାରତୀୟ ସେନା ନଷ୍ଟ କରିଦେଇଛି । ଏହାସହ ଶ୍ରୀନଗରରେ ହୋଇଥିବା ଡ୍ରୋନ ମାଡ଼କୁ ନଷ୍ଟ ମଧ୍ୟ କରିଦେଇଛି । ସନ୍ଧ୍ୟା ହେଉ ହେଉ ଜମ୍ମୁର ଉଧମପୁର ଜିଲ୍ଲାରେ ପୁଣି ଥରେ ପାକିସ୍ତାନ ଡ୍ରୋନ ହମଲା କରିଛି। ଶ୍ରୀନଗରରେ ଜୋରଦାର ଧମାକା ପରେ ସାଇରନ ବାଜିବାରେ ଲାଗିଛି। ପୂରା ସହରକୁ ବ୍ଲାକଆଉଟ୍ ଘୋଷଣା କରାଯାଇଛି। ଏଲଓସିରେ ଆରଏସପୁରା, ରାଜୌରୀ ଏବଂ ପୁଞ୍ଚରେ ଗୁଳିମାଡ଼ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ଫଳରେ ଏଲଓସିରେ ପୁଣି ଉତ୍ତେଜନା ଦେଖା ଦେଇଛି। ପାକିସ୍ତାନର ପ୍ରତିଟି ଦୁଃସାହସର ମୁହଁତୋଡ଼ ଜବାବ ଦେବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।