ନୂଆଦିଲ୍ଲୀ, ୨୨।୨: ଚାଲିଛି ପବିତ୍ର ରମଜାନ ମାସ । ସାରା ବିଶ୍ୱର ମୁସଲିମ୍ ଧର୍ମାବଲମ୍ବୀମାନେ ଅଲ୍ଲାଙ୍କ ଇବାଦତରେ ମଗ୍ନ ଅଛନ୍ତି, ଠିକ୍ ଏତିକିବେଳେ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସେନା ବର୍ଷାଇଛି ମୃତ୍ୟୁର ଗୋଳା । ପାକିସ୍ତାନର ଏହି ବର୍ବର ଏୟାରଷ୍ଟ୍ରାଇକରେ ପୂର୍ବ ଆଫଗାନିସ୍ତାନର ଏକ ନୀରିହ କୃଷକ ପରିବାର ନିଶ୍ଚିହ୍ନ ହୋଇଯାଇଛି । ପରିବାରର ଜଣେ ବଞ୍ଚିଯାଇଥିବା ସଦସ୍ୟ ସ୍ଥାନୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, "ଆମେ ଦିନସାରା ବିଲରେ କାମ କରିଥିଲୁ । ସନ୍ଧ୍ୟାରେ ରୋଜା ଖୋଲିବା ପରେ ସମସ୍ତେ ମିଶି ଖାଇଥିଲୁ ଏବଂ ଖୁଡ଼ିଙ୍କ ସହ କଥାବାର୍ତ୍ତା କରି ଶୋଇବାକୁ ଯାଇଥିଲୁ । କିନ୍ତୁ, କିଏ ଜାଣିଥିଲା ସେହି ନିଦ ଆମ ପାଇଁ ଶେଷ ନିଦ ହେବ !" ମଧ୍ୟରାତ୍ରିରେ ହୋଇଥିବା ଏହି ଆକ୍ରମଣରେ ଗୋଟିଏ ପରିବାରର ୨୩ ଜଣ ସଦସ୍ୟ ମାଟିତଳେ ଦବି ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମାତ୍ର ୪ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାକି ନିଖୋଜ ଅଛନ୍ତି ।
ଏହା ବି ପଢ଼ନ୍ତୁ... ହିଜବୁଲ୍ଲାର ଠିକଣା ଉପରେ ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍, ୮ ଆତଙ୍କୀ ମୃତ
ଅନ୍ଧାରରେ ଟର୍ଚ୍ଚ ଲାଇଟ୍ରେ ଆତ୍ମୀୟଙ୍କୁ ଖୋଜୁଛନ୍ତି:
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଆକ୍ରମଣ ପରେ ଚାରିଡ଼େ କେବଳ ଭଙ୍ଗା ପଥର ଓ ମାଟିର ଗଦା । ଅନ୍ଧାର ରାତିରେ ବାହାରେ ଥିବା ଲୋକମାନେ ହାତରେ ଟର୍ଚ୍ଚ ଧରି ମଲବେ ତଳେ ଚାପି ହୋଇ ରହିଥିବା ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି । ନଙ୍ଗରହାର ଏବଂ ପକ୍ତିକା ପ୍ରାନ୍ତର ପ୍ରାୟ ୫ଟି ସ୍ଥାନକୁ ଟାର୍ଗେଟ୍ କରି ଏହି ଏୟାରଷ୍ଟ୍ରାଇକ୍ କରାଯାଇଛି ।
ପାକିସ୍ତାନର ସଫେଇ: ଏହା ଥିଲା ପ୍ରତିଶୋଧ !
ଏହି ଆକ୍ରମଣ ପରେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ପାକିସ୍ତାନ ଦାବି କରିଛି ଯେ ବାଜୌର ଏବଂ ବନ୍ନୁ ଜିଲ୍ଲାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ଏହା ଜବାବ । ସେହି ଆକ୍ରମଣରେ ୧୧ ଜଣ ସୈନିକ ଏବଂ ଜଣେ ଶିଶୁର ମୃତ୍ୟୁ ଘଟିଥିଲା । ଆତଙ୍କବାଦୀ ସଙ୍ଗଠନ TTP ତେହେରିକ୍-ଏ-ତାଲିବାନ ପାକିସ୍ତାନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ପାକିସ୍ତାନ କହିଛି । ଗୋଟିଏ ପଟେ ଆତଙ୍କବାଦ ଏବଂ ଅନ୍ୟପଟେ ସେନା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ନିରୀହ କୃଷକ ଓ ଶିଶୁମାନେ ବଳି ପଡ଼ୁଥିବା ଦେଖିବାକୁ ମିଳିଛି । ପବିତ୍ର ରମଜାନ ମାସରେ ଏଭଳି ରକ୍ତାକ୍ତ ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ।