ନୂଆଦିଲ୍ଲୀ, ୨୨/୦୨ : ପୂର୍ବ ଲେବାନନ ଉପରେ ଇସ୍ରାଏଲ୍ ର ଏୟାରଷ୍ଟ୍ରାଇକ୍। ହିଜବୁଲ୍ଲା ଆତଙ୍କବାଦୀ ସମୂହର ୮ ସଦସ୍ୟ ମୃତ। ଏହି ଏୟାରଷ୍ଟ୍ରାଇକରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଏନେଇ ଲେବାନନର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ତେବେ ଆତଙ୍କବାଦୀ ଏବଂ ସ୍ଥାନୀୟ ନାଗରିକଙ୍କ ମଧ୍ୟରେ ଅନ୍ତର ଜଣାପଡ଼ି ନାହିଁ।
ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ଵିତ ରାତିରେ ଉତ୍ତରପୂର୍ବ ଲେବାନନର ରୟାକ ଗାଁ ନିକଟରେ ଥିବା ହିଜବୁଲ୍ଲାର ଠିକଣାରେ ଇସ୍ରାଏଲ୍ ଏୟାରଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ସିରିଆର ଜଣେ ନାଗରିକ ଏବଂ ଇଥିଓପିଆର ଜଣେ ମହିଳା ସାମିଲ ଅଛନ୍ତି। ସେହିପରି ଆହତଙ୍କ ମଧ୍ୟରେ ୫ ସିରିଆ ନାଗରିକ ଏବଂ ୩ ଜଣ ଇଥିଓପିଆ ନାଗରିକ ଅଛନ୍ତି। ଆକ୍ରମଣରେ ଏକ ତିନି ମହଲା କୋଠା ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି। ଶନିବାର ସକାଳେ ଏନେଇ ଇସ୍ରାଏଲ୍ କହିଛି ଯେ, ମୃତ ଆତଙ୍କବାଦୀମାନେ ହିଜବୁଲ୍ଲାର ସଦସ୍ୟ। ଏମାନେ ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିଲେ।
ସୂଚନା ଥାଉକି, ଲେବାନନ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ବିରାମ ସତ୍ତ୍ଵେ ମଧ୍ୟ ଇସ୍ରାଏଲ୍ ହିଜବୁଲ୍ଲାର ଠିକଣାକୁ ଟାର୍ଗେଟ୍ କରୁଛି। ହିଜବୁଲ୍ଲାର ଏଯାବତ୍ ୧୨ ଜଣ କମାଣ୍ଡରଙ୍କ ମୃତ୍ୟୁ ହୋଇସାରିଲାଣି। ହିଜବୁଲ୍ଲା ଏବଂ ହମାସ୍ ମିଶି ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ତେଣୁ ଏହି ଦୁଇ ଆତଙ୍କୀ ସଙ୍ଗଠନକୁ ନିପାତ କରିବା ପାଇଁ ଇସ୍ରାଏଲ୍ ଆକ୍ରମଣ କରୁଥିବା କହୁଛି।
ଏହି ଖବରଟିକୁ ପଢନ୍ତୁ- ରୁଷ ମିସାଇଲ ଫ୍ୟାକ୍ଟ୍ରିରେ ୟୁକ୍ରେନର ଡ୍ରୋନ ଆକ୍ରମଣ,ବ୍ୟାପକ କ୍ଷୟକ୍ଷତି