କାବୁଲ/ଇସ୍‌ଲାମାବାଦ, ୧୯/୦୩ : ଇଦ୍‌ ପାଇଁ ଥମିଲା ପାକ୍‌-ଆଫଗାନ ସଙ୍ଘର୍ଷ। ଆଫଗାନିସ୍ତାନ ବିରୋଧରେ ପାକିସ୍ତାନ ନିଜ ସାମରିକ ଅଭିଯାନ ‘ଅପରେସନ ଗଜବ ଲୀଲ୍‌ ହକ୍‌’କୁ ଅସ୍ଥାୟୀ ଭାବେ ରୋକିବା ନେଇ ବୁଧବାର ଘୋଷଣା କରିଛି । ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର୍‌ ‘ଏକ୍ସ’ରେ ଲେଖିଛନ୍ତି, ଇଦ୍‌-ଅଲ୍‌-ଫିତର ପାଇଁ ସାଉଦି ଆରବ, କାତାର ଓ ତୁର୍କୀର ମଧ୍ୟସ୍ଥତା ଓ ବିଶେଷ ଅନୁରୋଧକ୍ରମେ ଆମେ ଏହି ନିଷ୍ପତ୍ତି ନେଇଛୁ । ବୁଧବାର ମଧ୍ୟରାତ୍ରରୁ ଅସ୍ଥାୟୀ ଯୁଦ୍ଧବିରତି ହୋଇଛି । ସୋମବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ଜାରି ରହିବ ।

ସେହିଭଳି ଆଫଗାନିସ୍ତାନ ମଧ୍ୟ ପାକିସ୍ତାନ ଉପରେ ଆକ୍ରମଣକୁ ଅସ୍ଥାୟୀ ଭାବେ ରୋକିଦେବା ଲାଗି ଘୋଷଣା କରିଛି । ଆଫଗାନ-ତାଲିବାନ ସରକାର ମୁଖପାତ୍ର ଜବୀହୁଲ୍ଲା ମୁଜାହିଦ କହିଛନ୍ତି, ସାଉଦି, ତୁର୍କୀ ଓ କାତାରର ପରାମର୍ଶକ୍ରମେ ଆମେ ଏହି ପଦକ୍ଷେପ ଗ୍ରହଣ କରିଛୁ । ଏହା ପୂର୍ବରୁ ସୋମବାର ବିଳମ୍ବିତ ରାତ୍ରିରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପାକିସ୍ତାନୀ ବାୟୁସେନା ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏକ ନିଶାମୁକ୍ତି କେନ୍ଦ୍ର ଉପରେ ମିସାଇଲ ମାଡ଼ ଯୋଗୁ ୪୦୦ରୁ ଅଧିକ ପ୍ରାଣ ହରାଇଥିଲେ । ୨୬୫ ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ଭାରତ ସମେତ ଅନେକ ଦେଶ ନିନ୍ଦା କରିଥିଲେ । ତିନି ସପ୍ତାହରୁ ଊଦ୍ଧ୍ୱ ସମୟ ହେଲା ଦୁଇଦେଶ ମଧ୍ୟରେ ମୁହାଁମୁହିଁ ଲାଗିରହିଛି । ଏହା କ୍ରମେ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି ।

ଏହି ଖବରଟିକୁ ପଢନ୍ତୁ- ଇରାନ ଉପରେ ପ୍ରଚଣ୍ଡ ହମ୍‌ଲା, ସେନା ଘାଟି ଉପରେ ଆମେରିକାର ବଙ୍କର ବଷ୍ଟର ବୋମା ମାଡ଼