ଦୁବାଇ,୧୩/୯: ଚଳିତ ଏସିଆ କପ୍ରେ ପାକିସ୍ତାନ ବିଶାଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍ ଏ’ର ଏକ ମ୍ୟାଚ୍ରେ ଦଳ ୯୩ ରନ୍ରେ ଓମାନକୁ ପରାସ୍ତ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ୱିକେଟ୍ ବିନିମୟରେ ୧୬୦ ରନ ସଂଗ୍ରହ କରିଥିଲା । ଜବାବରେ ଓମାନ ୧୬.୪ ଓଭରରେ ୬୭ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ।
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପାକିସ୍ତାନ ପାଇଁ ସେଭଳି ଫଳପ୍ରଦ ସାବ୍ୟସ୍ତ ହୋଇ ନଥିଲା । ଦୁର୍ବଳ ଓମାନ ବିପକ୍ଷରେ ପାକିସ୍ତାନ ବିଶାଳ ସ୍କୋର ସଂଗ୍ରହ କରିବ ବୋଲି ଆଶା କରାଯାଉଥିଲା । ମାତ୍ର ଦଳ ୧୬୦ ରନ କରିବାକୁ ସମର୍ଥ ହୋଇଥିଲା । ଷ୍ଟାର ବ୍ୟାଟର ସାଏମ ଆୟୁବ ଗୋଟିଏ ମାତ୍ର ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମହମ୍ମଦ ହ୍ୟାରିସ ଅପରାଜିତ ଓପନର ସାହିବଜାଦା ଫରହାନଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଆକ୍ରମଣାତ୍ମକ ସଟ୍ମାନ ଖେଳି ୮୫ ରନ୍ର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୮୯ବେଳେ ବ୍ୟକ୍ତିଗତ ୨୯ ରନ କରି ଫରହାନ ଆଉଟ୍ ହୋଇଥିଲେ । ହ୍ୟାରିସ୍ ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେ ୪୩ଟି ବଲ୍ରୁ ୭ଚୌକା ଓ ୩ ଛକା ବଳରେ ୬୬ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୦୨ରେ ପହଞ୍ଚାଇବା ପରେ ପାଭିଲିୟନ ଫେରିଥିଲେ । ଏହାପରେ ଦଳ ଲୟ ହରାଇ ବସିଥିଲା । କେବଳ ଫଖାର ଜମାନଙ୍କୁ ଛାଡ଼ିଦେଲେ ଅନ୍ୟ କେହି କ୍ରିଜରେ ତିଷ୍ଠି ପାରିନଥିଲେ । ଅଧିନାୟକ ସଲମାନ ଅଲି ଆଘା ଖାତା ଖୋଲିପାରି ନଥିବାବେଳେ ହାସାନ ନୱାଜ ୯, ଫହିମ ଅସ୍ରଫ ୮ ରନ ଓ ମହମ୍ମଦ ନୱାଜ ୧୯ ରନ କରି ଆଉଟ୍ ହୋଇଥିଲେ । ଜମାନ ଅପରାଜିତ ୨୩ ରନ କରି ଦଳୀୟ ସ୍କୋରକୁ ୧୬୦ରେ ପହଞ୍ଚାଇଥିଲେ । ଓମାନ ପକ୍ଷରୁ ଶାହ ଫୈଜଲ ଓ ଅମୀର କଲିମ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।
୧୬୧ ରନ୍ର ବିଜୟ ଲକ୍ଷ୍ୟ ନେଇ ଓମାନ ବ୍ୟାଟିଂ ଆରମ୍ଭ କରିଥିଲା । ଅଧିନାୟକ ଜତିନ୍ଦର ସିଂହ ୧ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ବିପର୍ଯ୍ୟୟ । ଅବଶ୍ୟ ଅନ୍ୟ ଓପନର ଅମୀର କଲିମଙ୍କ ସହ ହମାଦ ମିର୍ଜା ମିଶି ଦଳୀୟ ସ୍କୋରକୁ ୨୪ରେ ପହଞ୍ଚାଇଥିଲେ । କଲିମ ୧୩ ରନ କରି ଆଉଟ୍ ହେବା ପରେ ଓମାନ ବ୍ୟାଟିଂ ବିଭାଗ ତାସ ଘର ପରି ଭୁଷୁଡ଼ି ପଡ଼ିଥିଲା । ମହମ୍ମଦ ନଦୀମ ୩, ସୁଫିୟାନ ମେହମୁଦ ୧, ବିନାୟକ ଶୁକ୍ଳା ୨ ରନ କରି ପାଭିଲିୟନ ଫେରିଥିଲେ । ହମାଦ ଦଳ ପକ୍ଷରୁ ସର୍ବାଧିକ ୨୭ ରନ କରିଥିଲେ । ସେ ଆଉଟ୍ ହେବା ପରେ ଜିକିରି ଇସଲାମ ୦, ଶାହ ଫୈଜଲ ୧ ଓ ହସନୈନ ଶାହ ୧ ରନ କରି ଆଉଟ୍ ହେବା ସହ ଓମାନ ୫୧ ରନ୍ରେ ୯ଟି ୱିକେଟ ହରାଇଥିଲା । ସକିଲ ଅହମ୍ମଦ ଓ ସମୟ ଶ୍ରୀବାସ୍ତବ ଆଉ କିଛି ସମୟ ଲଢ଼େଇ ଜାରି ରଖି ଦଳୀୟ ସ୍କୋରକୁ ୬୭ରେ ପହଞ୍ଚାଇଥିଲେ । ୧୭ତମ ଓଭରରେ ସକିଲ (୧୦)ଙ୍କୁ ଆଉଟ୍ କରିଥିଲେ ଅବରାର ଓ ଓମାନ ଇନିଂସରେ ପୂର୍ଣ୍ଣଛେଦ ପଡ଼ିଥିଲା । ପାକିସ୍ତାନ ପକ୍ଷରୁ ସାଏମ ଆୟୁବ, ସୁଫିୟାନ ମୁକିମ ଓ ଫହିମ ଅସ୍ରଫ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ