ନୂଆଦିଲ୍ଲୀ,୨୧/୦୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବେ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହେବ ସୁପର୍‌ ସଣ୍ଡେର ସୁପର୍ ଫାଇଟ୍ । ସୁପର-୪ ରାଉଣ୍ଡର ଏହି ହାଇଭୋଲ୍ଟେଜ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ମନେ ହେଉଛି ଯେପରି ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଡରିଯାଇଛି ପାକିସ୍ତାନ । କାରଣ ଦଳ ପ୍ରେସ୍ ମିଟ ବାତିଲ କରିଛି । ଦଳରେ ମୋଟିଭେସନାଲ ସ୍ପିକରଙ୍କୁ ସାମିଲ କରିଛି ଆଘା ସେନା ।

ସୁପର-୪ ରାଉଣ୍ଡର ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ପାକିସ୍ତାନ ତାର ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିଛି । ଏସିଆ କ୍ରିକେଟ କାଉସିଲ ଅନୁସାରେ ଶନିବାର ସନ୍ଧ୍ୟାରେ ପାକିସ୍ତାନ ଦଳର ଜଣେ ଖେଳାଳି କିମ୍ବା ପ୍ରଶିକ୍ଷକଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବାର ଥିଲା । ହେଲେ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିଥିଲା ଦଳ । ସେହିପରି ଭାରତ ବିପକ୍ଷ ମ୍ୟାଚ ଚାପରୁ ମୁକ୍ତି ପାଇଁ ଜଣେ ମୋଟିଭେସନାଲ ସ୍ପିକର ରାହିଲ କରିମଙ୍କୁ ସାମିଲ କରିଛି ଦଳରେ ପାକିସ୍ତାନ । ରାହିଲ କରିମଙ୍କ କାମ ପାକିସ୍ତାନୀ ଖେଳାଳିଙ୍କୁ ମାନସିକ ଶକ୍ତି, ଆତ୍ମବିଶ୍ୱାସ ଏବଂ ମ୍ୟାଚ ଚାପକୁ ନୟନ୍ତ୍ରଣ କରିବାକୁ ତାଲିମ ଦେବେ । ପାକିସ୍ତାନ ଟିମ୍ ମ୍ୟାନେଜମେଣ୍ଟ ଚାହୁଁଛି କି, ଖେଳାଳି ମ୍ୟାଚ ପୂର୍ବରୁ କୌଣସି ପ୍ରକାର ଚାପ କିମ୍ବା ଅଜଥା ପ୍ରଶ୍ନରୁ ଦୂରେଇ ରୁହନ୍ତୁ । ମାନସିକ ଭାବେ ମଜବୁତ ରୁହନ୍ତୁ । ତେଣୁ ମୋଟିଭେସନାଲ ସ୍ପିକର ଟିମ୍‌ରେ ସାମିଲ କରାଯାଇଛି । ଦଳର ଅଚାନକ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କହିବାକୁ କିଛି ନାହିଁ... ପାକିସ୍ତାନ ଦ୍ୱାରା ପ୍ରେସ୍ କନଫରେନ୍ସ ବାତିଲ କରିବାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି, "ମୁଁ ଏହା ପଛରେ ଚିନ୍ତାଧାରା ଜାଣିନାହିଁ, କିନ୍ତୁ ମୁଁ ଯେତେଦୂର ଜାଣେ, ପ୍ରେସ୍ କନଫରେନ୍ସ ବାଧ୍ୟତାମୂଳକ । ଯଦି ଦଳ ଏହାକୁ ପାଳନ କରନ୍ତି ନାହିଁ, ତେବେ ମୁଁ ନିଶ୍ଚିତ ନୁହେଁ ଯେ ଦଣ୍ଡ କ'ଣ ହେବ । ଯଦି କିଛି ଥାଏ - କିନ୍ତୁ ଆଜିର ଦୁନିଆରେ, ଗଣମାଧ୍ୟମ ପାଇଁ ଏଥିରେ ସାମିଲ ହେବା ଏବଂ ସୂଚନା ପାଇବା ଗୁରୁତ୍ୱପୂର୍ଣ୍ଣ । " 

ଲିଗ୍ ପର୍ଯ୍ୟାୟ ମ୍ୟାଚକୁ ୭ ୱିକେଟରେ ଜିତିବା ପରେ ଭାରତୀୟ ଖେଳାଳି ପାକିସ୍ତାନ ପ୍ଲେୟାରଙ୍କ ସହ ହାତ ମିଳାଇନଥିଲେ । ମ୍ୟାଚ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦର ଅପରେସନ୍ ସିନ୍ଦୂର କଥା ଉଠାଇ ପହଲଗାମ ପୀଡିତ ଓ ଭାରତୀୟ ସେନାକୁ ବିଜୟ ଉତ୍ସର୍ଗ କରିଥିଲେ । ପାକିସ୍ତାନ ସହ ଭାରତ ହାତ ନମିଳେଇବାକୁ ନେଇ 'ନୋ ହ୍ୟାଣ୍ଡସେକ୍' ବିବାଦ ଉପୁଜିଥିଲା । ମ୍ୟାଚ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବାକୁ ଦାବି କରିଥିଲା ଦଳ । କାରଣ ସେ ଅଭିଯୋଗ କରିଥିବା ମ୍ୟାଚ ରେଫରୀ ହିଁ ହାତ ମିଳାଇବାକୁ ମନା କରିଥିଲେ । ଏହାକୁ ନେଇ ଆଇସିସି ନିକଟରେ ଫେରାଦ ହୋଇଥିଲା ପାକିସ୍ତାନ । ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ହାଇଡ୍ରାମା କରିଥିଲା । ହେଲେ କିଛି ସୁଫଳ ମିଳିନଥିଲା । 

ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ କେବଳ ଖେଳ ନୁହେଁ, ବରଂ ଭାବପ୍ରବଣତା, ପ୍ରତିଯୋଗିତା ଏବଂ ରଣନୀତି ଉପରେ ଆଧାରିତ । ସପ୍ତାହ ପରେ ପୁଣି ଥରେ ଦୁଇ ଦେଶ ମୁହାଁମୁହିଁ ହେବାକୁ ଯାଉଛନ୍ତି । ପ୍ରଥମ ମ୍ୟାଚରେ ମାହୋଲ ସରଗରମ ରହିଥିଲା । ଆଜିର ମ୍ୟାଚକୁ ନେଇ ମଧ୍ୟ ଫ୍ୟାନ୍ସଙ୍କ ଉତ୍ସାହ ଶିଖର ଛୁଇଁଛି ।