ନୂଆଦିଲ୍ଲୀ,୧୮।୫: ଭାରତର ‘ଅପରେସନ ସିନ୍ଦୂର’ ଯୋଗୁଁ ପାକିସ୍ତାନ ବିଶ୍ୱ ସ୍ତରରେ ଅପମାନିତ ହୋଇଛି ଏବଂ ସମଗ୍ର ବିଶ୍ୱ ଏହାର ଦୋମୁହାଁ ନୀତି ଦେଖିଛି। ଏବେ ଭାରତ ସରକାର ସାଂସଦଙ୍କ ନେତୃତ୍ୱରେ ୭ଟି ପ୍ରତିନିଧିମଣ୍ଡଳ ଗଠନ କରିଛନ୍ତି, ଯେଉଁମାନେ କି ବିଦେଶ ଯାଇ ପାକିସ୍ତାନର ପର୍ଦ୍ଦାଫାସ କରିବେ। ସାଂସଦ ଏବଂ ମନ୍ତ୍ରୀଙ୍କ ବ୍ୟତୀତ ପୂର୍ବତନ ରାଷ୍ଟ୍ରଦୂତମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ତେବେ ପାକିସ୍ତାନ ଭାରତକୁ କପି କରିବାରେ ଲାଗିଛି। ଏବେ ପାକିସ୍ତାନ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରିଛି, ଯାହାକି ବିଦେଶ ଯାଇ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ପକ୍ଷ ଉପସ୍ଥାପନ କରିବ।
ବିଲାଓ୍ବଲଙ୍କ ନେତୃତ୍ବରେ ପାକିସ୍ତାନ ଏକ କମିଟି ଗଠନ କରିଛି, ଯେଉଁଥିରେ ପୂର୍ବତନ ମନ୍ତ୍ରୀ ଖୁର୍ରମ ଦସ୍ତାଗିର ଖାନ୍, ହିନା ରବାନୀ ଖାର ଓ ପୂର୍ବତନ ବୈଦେଶିକ ସଚିବ ଜଲିଲ ଆବାସ ଗିଲାନୀ ସାମିଲ ଥିଲେ। ବିଲାଓ୍ବଲ ନିଜର ଏକ୍ସ ପୋଷ୍ଟରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ମୋତେ ବିଶ୍ବ ମଞ୍ଚରେ ପାକିସ୍ତାନର ପକ୍ଷ ରଖିବା ପାଇଁ ପ୍ରତିନିଧି ମଣ୍ଡଳୀର ନେତୃତ୍ବ କରିବାର ଅନୁରୋଧ କରିଛନ୍ତି। ମୁଁ ଏହି ଦାୟିତ୍ବକୁ ସ୍ବୀକାର କରି ସମ୍ମାନିତ ଅନୁଭବ କରୁଛି।’
ଅପରେସନ୍ ସିନ୍ଦୂରର ସଫଳତା ପରେ ପିଏମ୍ ମୋଦି ଆଦମପୁର ଏୟାରବେସ୍ ପହଁଞ୍ଚି ଇଣ୍ଡିଆନ ଏୟାରଫୋର୍ସର ଯବାନଙ୍କ ସାହାସ ବଢାଇଥିଲେ। ଏହି ସମୟରେ ସେ ପାକିସ୍ତାନ ପକ୍ଷରୁ କୁହାଯାଇଥିବା ମିଛକୁ ମଧ୍ୟ ପର୍ଦଫାସ କରିଥିଲେ। ଅନ୍ୟପକ୍ଷରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁକରଣ କରୁଥିବାର ଦେଖିବାକୁ ମିଳିଥିଲା। ସେ ତାଙ୍କର ସାମରିକ ଗସ୍ତ ଆରମ୍ଭ କରିଥିଲେ। ଏହା ପରେ, ତାଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରାଯାଉଛି। ପାକିସ୍ତାନ ଦାବି କରିଛି ଯେ, ପ୍ରଧାନମନ୍ତ୍ରୀ ସରିଫ ସିଆଲକୋଟ ସ୍ଥିତ ପସରୁର କ୍ୟାଣ୍ଟନମେଣ୍ଟ ଗସ୍ତ କରିଥିଲେ, ଯେଉଁଠାରେ ସେ ପାକିସ୍ତାନୀ ସେନାକୁ ଭେଟିଥିଲେ। କେବଳ ସେତିକି ନୁହେଁ ଭାରତର ସୁରକ୍ଷା କ୍ୟାବିନେଟ କମିଟି (CCS) ବୈଠକର ନକଲ କରି, ପାକିସ୍ତାନରେ ମଧ୍ୟ ଜାତୀୟ ସୁରକ୍ଷା କମିଟି (NSC)ର ବୈଠକ ଡକାଇଥିଲା। ଅପରେସନର ପଦ୍ଧତି, ସମୟ ଏବଂ ଲକ୍ଷ୍ୟ ସ୍ଥିର କରିବା ପାଇଁ ସଶସ୍ତ୍ର ବାହିନୀକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବା ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟକୁ ମଧ୍ୟ ଶେହବାଜ ସରିଫ କପି କରିଥିଲେ। ମୋଦିଙ୍କୁ ବାରମ୍ବାର କପି କରୁଥିବାରୁ ଏବେ ଶେହବାଜ୍ ସରିଫ୍ଙ୍କୁ କରାଯାଉଛି ଟ୍ରୋଲ।