ଇସଲାମାବାଦ : ପାକିସ୍ତାନର ଆର୍ଥିକ ସ୍ଥିତି ଲଗାତାର ଖରାପ ହେବାରେ ଲାଗିଛି। ନଗଦ ଅର୍ଥ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଚୀନ ଠାରୁ ଅତିରିକ୍ତ ୧୦ ବିଲିୟନ ୟୁଆନ ପାଖାପାଖି ୧.୪ ବିଲିୟନ ଡଲାରର କରଜ ଦେବାକୁ ଅନୁରୋଧ କରିଛି। ନଗଦ ଅର୍ଥ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏଥିରେ ପୂର୍ବରୁ ମଧ୍ୟ ଚୀନ୍‌ ଠାରୁ ୩୦ ବିଲିୟନ ୟୁଆନ ଚାଇନାର ବାଣିଜ୍ୟ ସୁବିଧାର ଉପଯୋଗ କରି ସାରିଛି।

ପାକିସ୍ତାନୀ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଶନିବାର ବିଳମ୍ୱିତ ରାତିରେ ଜାରି ବୟାନରେ କୁହାଯାଇଛି ଯେ, ଅର୍ଥ ମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ୱାଶିଂଟନରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ଓ ବିଶ୍ୱ ବ୍ୟାଙ୍କର ବାର୍ଷିକ ବୈଠକ ବେଳେ ଚୀନର ଅର୍ଥ ଉପ ମନ୍ତ୍ରୀ ଲିୟାଓ ମିନ୍‌ଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କୁ ମୁଦ୍ରା ଅଦଳବଦଳ ଅନୁସାରେ ସୀମାକୁ ବଢାଇ ୪୦ ବିଲିୟନ ୟୁଆନ କରିବାକୁ ଅନୁରୋଧ କରିଛନ୍ତି।

ପାକିସ୍ତାନୀ ନ୍ୟୁଜ୍‌ ଏଜେନ୍ସି ଗୁଡ଼ିକର ରିପୋର୍ଟ ଅନୁସାରେ , ଯଦି ଚୀନ ପାକିସ୍ତାନର ଏହି ଦାବିକୁ ସ୍ୱୀକାର କରି ନିଏ ତ ଏହା ପାକିସ୍ତାନକୁ ଦିଆଯାଇ ଥିବା ମୋଟ ବାଣିଜ୍ୟ ସୁବିଧା ୫.୭ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯିବ।

ପାକିସ୍ତାନ ପୂର୍ବରୁ ମଧ୍ୟ ଚୀନ୍‌ ଠାରୁ କରଜକୁ ବଢାଇବା ପାଇଁ ଚୀନ ସାମ୍ନାରେ ନିଜର ପ୍ରସ୍ତାବ ରଖି ସାରିଛି, କିନ୍ତୁ ଚୀନ୍‌ ସ୍ୱୀକାର କରି ନଥିଲା। ପାକିସ୍ତାନ ଦ୍ୱାରା ଏହି ନୂଆ ପ୍ରସ୍ତାବ ଚୀନ ଦ୍ୱାରା ବର୍ତ୍ତମାନର ୪.୩  ବିଲିୟନ ଡଲାର ( ୩୦ ବିଲିୟନ ୟୁଆନ)ର ସୁବିଧାକୁ ଆଗାମୀ ୩ବର୍ଷ ଯାଏ ବୃଦ୍ଧି କରାଯିବାର , ଦୁଇ ସପ୍ତାହରୁ ମଧ୍ୟ କମ୍‌ ସମୟ ପରେ ଆସିଛି। 

ଏହା ପୂର୍ବରୁ ଆଇଏମଏଫ୍‌ ପାକିସ୍ତାନକୁ ବେଲଆଉଟ୍‌ ପ୍ୟାକେଜ୍‌ ଦେବା ପୂର୍ବରୁ ତାକୁ ନିଜର ଋଣଦାତାଙ୍କ ଠାରୁ ନିଆ ଯାଇଥିବା ଋଣର ସମୟ ସୀମା ବୃଦ୍ଧି କରିବାକୁ ସର୍ତ୍ତ ରଖିଥିଲା, ଏହାପରେ ପାକିସ୍ତାନ ଚୀନ ଓ ସାଉଦୀ ଆରବକୁ ନିଜର ସମସ୍ୟା ଦର୍ଶାଇ ସମୟ ସୀମା ବୃଦ୍ଧି କରିବାକୁ ଅନୁରୋଧ କରିଥିଲା। ପରେ ଚୀନ ସରକାର ପାକିସ୍ତାନର ଋଣ ସମୟସୀମା ବୃଦ୍ଧି କରିଥିଲେ, ଯାହାପରେ ଏହା ଆଇଏମଏଫ ପକ୍ଷରୁ ଏକ ବେଲଆଉଟ୍‌ ପ୍ୟାକେଜ୍‌ ମିଳି ଥିଲା।