ନୂଆଦିଲ୍ଲୀ,୨୫/୧୦: ଦାଣ୍ଡରେ ପଡ଼ି ହାଟରେ ଗଡୁଛି ଆତଙ୍କୀସ୍ଥାନର ଘର କଥା । ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶାରଫଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ସେ ଆମେରିକା ପାଖରେ ବିକ୍ରି ହୋଇଥିଲେ । ମୁଶାରଫ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରର ଚାବି ଆମେରିକାକୁ ଦେଇଥିଲେ । ଆମେରିକା କଣ୍ଟ୍ରୋଲରେ ଥିଲା ପାକିସ୍ତାନର ନ୍ୟୁକ୍ଲିୟର ଅସ୍ତ୍ର । ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ପୂର୍ବତନ ଅଧିକାରୀ ଜନ୍ କିରିୟାକୁ ଏହି ଖୁଲାସା କରିଛନ୍ତି । ଏହା ସହିତ ସାଉଦି ଆରବ, ଦକ୍ଷିଣ ଏସିୟା ରାଜନୀତି ସହ ଜଡ଼ିତ ଅନେକ ରାଜ ଖୋଲିଛନ୍ତି । ୨୬/୧୧ ଆତଙ୍କୀ ଆକ୍ରମଣଠୁ ନେଇ ୨୦୦୧ ସଂସଦ ହମ୍କାକୁ ନେଇ ବଡ଼ କଥା କହିଛନ୍ତି ।
ପୂର୍ବତନ ପାକିସ୍ତାନୀ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଜନ୍ କିରିୟା । ସେ ୧୫ ବର୍ଷ ସିଆଇଏରେ କାମ କରିଛନ୍ତି । ପାକିସ୍ତାନରେ ଆତଙ୍କବାଦ ବିରୋଧୀ ଅଭିଯାନର ଦାୟିତ୍ୱ ସମ୍ଭାଳିଥିଲେ। ଏକ ସାକ୍ଷାତକାରରେ ସେ କହିଛନ୍ତି, ''ଆମେରିକା ଅରବ ଡଲାର ସାହାଯ୍ୟ ଦେଇ ପାକିସ୍ତାନ ପୂର୍ବ ରାଷ୍ଟ୍ରପତିଙ୍କୁ କିଣି ନେଇଥିଲା । ଗୋଟିଏ ସମୟ ଆସିଥିଲା ଯେବେ ଆମେରିକା ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ କରୁଥିଲା । ସତ କହିବାକୁ ଗଲେ, ଆମେରିକା ଏକଛତ୍ରବାଦୀଙ୍କ ସହ କାମ କରିବାକୁ ପସନ୍ଦ କରୁଥିଲା । ପାକିସ୍ତାନ ଦୁର୍ନୀତିରେ ବୁଡ଼ି ରହି ଥିଲା। ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ଉପସାଗରୀୟ ଦେଶଗୁଡ଼ିକରେ ଏକ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ। ସେହି ସମୟରେ ପାକିସ୍ତାନର ସାଧାରଣ ଲୋକେ ଭୋକ ଉପାସର ଜୀବନ ବିତାଉ ଥିଲେ । ପାକିସ୍ତାନ ସରକାରଙ୍କ ସହିତ ଆମର ସମ୍ପର୍କ ବହୁତ ଭଲ ଥିଲା । ସେତେବେଳେ ଜେନେରାଲ୍ ପରଭେଜ୍ ମୁଶାରଫ୍ ସେଠାରେ ଶାସନ କରୁଥିଲେ। ତାଙ୍କର ପୂରା ଧ୍ୟାନ ସେନାକୁ ଖୁସି ରଖିବା ଉପରେ ଥିଲା । ପାକ୍ ସେନାକୁ ଅଲ୍-କାୟଦାର ନୁହେଁ ଭାରତର ଚିନ୍ତା ଥିଲା । ଆମେରିକା ପକ୍ଷରେ ଥିବା ଅଭିନୟ କରୁଥିଲେ । ହେଲେ ଭାରତ ବିରୋଧରେ କାମ କରୁଥିଲେ । ଭାରତ ବିରୁଦ୍ଧରେ ଆତଙ୍କବାଦୀ ଗତିବିଧି ଉପରେ ଲଗାମ ଲଗେଇବା ଦିଗରେ କାମ କରୁଥିବା ଦେଖାଉଥିଲେ । ଆମେରିକା ନିଜକୁ ଗଣତନ୍ତ୍ର ଏବଂ ମାନବାଧିକାରର ରକ୍ଷକ ଭାବରେ ଚିତ୍ରଣ କରେ, କିନ୍ତୁ ସତ୍ୟ ହେଉଛି ଏହି ଦେଶ କେବଳ ତାହା କରେ ଯାହା ତାକୁ ଲାଭ ଦିଏ । ଯଦି ଆପଣ ଭଲ ଭାବରେ ଦେଖନ୍ତି, ତେବେ ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ସମ୍ପର୍କ ସମ୍ପୂର୍ଣ୍ଣ ଭାବରେ ତେଲ ଏବଂ ଅସ୍ତ୍ରଶସ୍ତ୍ର ଉପରେ ଆଧାରିତ। ଆମେରିକା ସାଉଦି ଆରବର ତେଲ କିଣେ, ଏବଂ ସାଉଦି ଆରବ ଆମେରିକାର ଅସ୍ତ୍ରଶସ୍ତ୍ର କିଣେ। ଏହା ହେଉଛି ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ପ୍ରକୃତ ସମ୍ପର୍କ । ''
ସେ ଆହୁରି କହିଛନ୍ତି,'' ୨୦୦୨ ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧର ଦ୍ୱାର ଦେଶରେ ଥିଲେ। ଡିସେମ୍ବର ୨୦୦୧ ମସିହାରେ ଭାରତୀୟ ସଂସଦ ଉପରେ ଆକ୍ରମଣ ହୋଇଥିଲା । ୨୦୦୮ରେ ମୁମ୍ବାଇ ତାଜ୍ ହୋଟେଲ୍ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।ଏହାପରେ ଭାରତ-ପାକିସ୍ତାନ ଯୁଦ୍ଧ ଦ୍ୱାରଦେଶରେ ରହିଥିବା ଆମେରିକା ଆଶା କରିଥିଲା । ଭାରତ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଚାହିଁବ କୁହାଯାଉଥିଲା ହେଲେ ଏମିତି ହେଲା ନାହିଁ। ଆମେ ଭାରତର ଏହି ନୀତିକୁ ରଣନୈତିକ ଧୈର୍ଯ୍ୟ ବୋଲି କହିଥିଲୁ । ଭାରତ ସରକାରଙ୍କର ପାକିସ୍ତାନ ଉପରେ ଆକ୍ରମଣ କରି ପ୍ରତିଶୋଧ ନେବାର ସମ୍ପୂର୍ଣ୍ଣ ଅଧିକାର ଥିଲା, କିନ୍ତୁ ସେମାନେ ତାହା ନକରିବାକୁ ବାଛିଲେ ।''
କେମିତି ଚକ୍ମା ଦେଇଥିଲା ଓସାମା ବିନ୍ ଲାଡେନ୍ ? ଜନ୍ କହିଥିଲେ,"ଆମେ ଜାଣି ନଥିଲୁ ଯେ କେନ୍ଦ୍ରୀୟ କମାଣ୍ଡ କମାଣ୍ଡରଙ୍କ ଅନୁବାଦକ ପ୍ରକୃତରେ ଜଣେ ଅଲ-କାଏଦା କାର୍ଯ୍ୟକର୍ତ୍ତା ଥିଲେ । ଯିଏ ଆମେରିକୀୟ ସେନାରେ ଅନୁପ୍ରବେଶ କରିଥିଲେ । ଆମେ ଜାଣିଲୁ ଯେ ଓସାମା ବିନ୍ ଲାଡେନ ଘେରାବନ୍ଦୀ ରହିଛି । ଆମେ ତାଙ୍କୁ ପାହାଡ଼ରୁ ତଳକୁ ଆସିବାକୁ କହିଥିଲୁ । ସେ କହିଥିଲେ, 'ତୁମେ ଆମକୁ ସକାଳ ପର୍ଯ୍ୟନ୍ତ ସମୟ ଦେଇପାରିବ ? ଆମେ ମହିଳା ଏବଂ ପିଲାମାନଙ୍କୁ ବାହାର କରିବାକୁ ଚାହୁଁଛୁ ଏବଂ ତା'ପରେ ତଳକୁ ଆସି ଆତ୍ମସମର୍ପଣ କରିବୁ । ଓସାମା ବିନ୍ ଲାଡେନ ନିଜକୁ ଜଣେ ମହିଳାଙ୍କ ରୂପରେ ଛଦ୍ମବେଶ ଧାରଣ କରି ଅନ୍ଧାରର ଆବରଣରେ ଏକ ପିକଅପ୍ ଟ୍ରକ୍ରେ ପାକିସ୍ତାନ ପଳାଇଗଲେ । ମହିଳା ବେଶରେ ଖସି ପଳାଇଥିଲା ଲାଡେନ । ''