ନୂଆପଡ଼ା, ୨୦/୦୭ (ରତନ୍‌ କେତକୀ) : ଗାଁ ଲୋକଙ୍କ ସୁରକ୍ଷାରେ ଅତିଥି ପକ୍ଷୀ । ପ୍ରତିବର୍ଷ ଅକ୍ଷୟ ତୃତୀୟା ବେଳକୁ ଦଳଦଳ ହୋଇ ଆସନ୍ତି । କିଛି ମାସ ଅବସ୍ଥାନ କରନ୍ତି । ବସା ଗଢ଼ନ୍ତି । ଅଣ୍ଡା ଦେଇ ଛୁଆ ଫୁଟାନ୍ତି । ଶାବକ ସାମାନ୍ୟ ବଡ଼ ହୋଇ ଉଡ଼ିବା ଆରମ୍ଭ କଲେ ପୁଣି ଫେରିଯାଆନ୍ତି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସୋନବର୍ଷା ଗ୍ରାମବାସୀ ଦଶନ୍ଧି ଧରି ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ନିଜକୁ ସମର୍ପିତ କରିଛନ୍ତି । ଫଳସ୍ୱରୂପ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସିନାପାଲି ରେଞ୍ଜ ସିଙ୍ଗଝର ପଞ୍ଚାୟତର ଛୋଟ ଗାଁ ସୋନବର୍ଷା । ଏଠାରେ ପ୍ରାୟ ୧୦୦ ପରିବାରରେ ୮୦୦ ଲୋକ ବସବାସ କରନ୍ତି । ଏହି ଛୋଟ ଗାଁ ପାଇଁ ସ୍ୱତନ୍ତ୍ର ପରିଚୟ ଆଣିଦେଇଛନ୍ତି ବିଦେଶାଗତ ପକ୍ଷୀ । ଗାଁରେ ଶତାଧିକ ତେନ୍ତୁଳି ଗଛ ରହିଛି । ୧୦ବର୍ଷ ତଳେ ଗାଁକୁ ‘ଏସିଆନ ଓପନ ବିଲ ଷ୍ଟୋର୍କ’ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିଲା । ଦଳବଦ୍ଧ ହୋଇ ଆସିଥିବା ପକ୍ଷୀ ଏକ ତେନ୍ତୁଳି ଗଛରେ ବସା ବାନ୍ଧିଥିଲେ । ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ଗାଁ ମୁଖରିତ ହୋଇଉଠିଲା । ଗାଁର ମୂଳବସା ଡ୍ୟାମ୍‌ରେ ପକ୍ଷୀ ବିଚରଣ କରିବା ସହ ଖାଦ୍ୟ ଅନ୍ୱେଷଣ କଲେ । ପରବର୍ତ୍ତୀ ସମୟରେ ଆହୁରି ଅଧିକ ପକ୍ଷୀ ଆସିଲେ । ଗାଁ ଚାରିପଟେ ବସା ବାନ୍ଧିଲେ । ଏଥିରେ ଗ୍ରାମାଞ୍ଚଳର ସୌନ୍ଦର୍ଯ୍ୟ ବଢ଼ିଲା । ପରିବେଶ ପକ୍ଷୀମୟ ହୋଇଗଲା । ଯାହା ଗାଁ ଲୋକଙ୍କୁ ଆନନ୍ଦିତ ଓ ଆମୋଦିତ କରିଥିଲା । ଗ୍ରାମବାସୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବୈଠକ କରି ଶପଥ ନେଲେ । ପ୍ରଥମେ ଏକ କମିଟି ଗଢ଼ା ହେଲା । ନିୟମିତ ବ୍ୟବଧାନରେ ପକ୍ଷୀ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଗଲା । ପକ୍ଷୀ ଶିକାରୀଙ୍କ ପାଇଁ କଠୋର ଶାସ୍ତି ବିଧାନ ହେଲା । ପକ୍ଷୀ ଶିକାର କଲେ ହଜାରେ ଟଙ୍କା ଜରିମାନା ନିଷ୍ପତ୍ତି ନିଆଗଲା । ତାହା ପରଠୁ ଗାଁରେ ପକ୍ଷୀ ଶିକାର ସମ୍ପୂର୍ଣ୍ଣ ବନ୍ଦ ହୋଇଛି ।

ଗ୍ରାମବାସୀ ଏବେ ବିଦେଶୀ ଅତିଥି ପକ୍ଷୀଙ୍କ ସୁରକ୍ଷାରେ ମାତିଛନ୍ତି । ପ୍ରତିବର୍ଷ ଜୁଲାଇ ପ୍ରଥମ ସପ୍ତାହ ବେଳକୁ ଦଳଦଳ ହୋଇ ଗାଁକୁ ବିଦେଶୀ ପକ୍ଷୀ ଆସନ୍ତି । ଏଥିପୂର୍ବରୁ ଅକ୍ଷୟ ତୃତୀୟା ବେଳକୁ ଗୋଟିଏ ପକ୍ଷୀ ଆସି ଆଖପାଖର ପରିବେଶ ନିରୀକ୍ଷଣ କରିଥାଏ । ସେ ଫେରିଯିବା ପରେ ପକ୍ଷୀମାନେ ଦଳଦଳ ହୋଇଆସନ୍ତି । ପରିବେଶଗତ ବ୍ୟତିକ୍ରମ ଥିଲେ ସେମାନଙ୍କ ଆସିବା ସାମାନ୍ୟ ବିଳମ୍ବ ହୋଇଥାଏ । ଏଠାରେ ପହଞ୍ଚିବା ପରେ ଗ୍ରାମର ବିଭିନ୍ନ ତେନ୍ତୁଳି ଗଛରେ ସେମାନେ ବସା ବାନ୍ଧି ଅଣ୍ଡା ଦିଅନ୍ତି । ଅଣ୍ଡାରୁ ଛୁଆ ବାହାରିଲେ ଲାଳନପାଳନ କରନ୍ତି । ୫-୬ ମାସ ରହଣି ପରେ ଦୀପାବଳି ଅର୍ଥାତ୍‌ ଅକ୍ଟୋବର ବେଳକୁ ପକ୍ଷୀମାନେ ସେମାନଙ୍କ ପ୍ରାକୃତିକ ଆବସକୁ ଫେରିଯାଆନ୍ତି ।

ପକ୍ଷୀ ସୁରକ୍ଷା କମିଟିର ସଭାପତି ଗୁଆଲୁ ରାଉତ, ସମ୍ପାଦକ କୁଣ୍ଡରୀ ରାଉତ କହିଛନ୍ତି, ବିଦେଶୀ ଅତିଥି ପକ୍ଷୀ ଆସିଲେ ବର୍ଷା ଆରମ୍ଭ ହୁଏ । ପକ୍ଷୀମାନେ ଚାଲିଗଲେ ବର୍ଷା ଛାଡ଼ିଯାଏ । ପକ୍ଷୀଙ୍କ ଆଗମନ ଅନୁସାରେ ଗାଁର ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରି ସମ୍ପୂର୍ଣ୍ଣ କରିଥାଆନ୍ତି । ଚଳିତ ବର୍ଷ ପ୍ରାୟ ୫୦ଟି ତେନ୍ତୁଳି ଗଛରେ ପକ୍ଷୀମାନେ ଡେରା ପକାଇଛନ୍ତି । ଗ୍ରାମର ପ୍ରତି ପରିବାର ପାଳି କରି ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି । ଗୋସିଂ ରାଉତ, ପୁଣ୍ଡରି ରାଉତ, କୌଶଲ୍ୟା ରାଉତ, କୁମାର ରାଉତ କହିଛନ୍ତି, ବିଦେଶୀ ପକ୍ଷୀ ଆମ ଅଞ୍ଚଳର ସମୃଦ୍ଧିର ପ୍ରତୀକ । ସେମାନେ ଆସିଲେ ଭଲ ବର୍ଷା ଓ ଫସଲ ହୁଏ । ଏମାନଙ୍କ ସୁରକ୍ଷା ଆମ ଦାୟିତ୍ୱ । ଏଥିପାଇଁ ଯାହା ଆବଶ୍ୟକ ତାହା କରିବୁ । ଖଡ଼ିଆଳ ଡିଏଫ୍‌ଓ ଅଜିଜ୍‌ ଖାନ୍‌ କହିଛନ୍ତି, ଏଥର ଏସିଆନ ଓପନ ବିଲ ଷ୍ଟୋର୍କ ସହ ବିଗ ଏଗରେଟ, ଇଣ୍ଡିଆନ ସାଗ୍‌ ପ୍ରଜାତିର ହଜାରେ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଛନ୍ତି । ପକ୍ଷୀ ଆଗମନ ବଢ଼ୁଥିବା ଦେଖି ବିଭାଗ ପକ୍ଷରୁ ନିୟମିତ ସେମାନଙ୍କ ସୁରକ୍ଷା ନିରୀକ୍ଷଣ କରାଯାଉଛି । ବିଭାଗୀୟ ଅଧିକାରୀମାନେ ଗାଁରେ ବୈଠକ କରି ଲୋକଙ୍କୁ ବୁଝାଉଛନ୍ତି । ପକ୍ଷୀଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି।

ଆହୁେି ପଢନ୍ତୁ- ୟୁଭି ସୁରକ୍ଷା ଦେଉଛି ତ ଶସ୍ତା ସନଗ୍ଲାସ୍ ? ଜାଣନ୍ତୁ ଆଖି ଉପରେ ଏହା କି ପ୍ରଭାବ ପକାଏ...