ନୂଆଦିଲ୍ଲୀ: ଭାରତର ୩ ସେନାର ମିଳିତ ଯୁଦ୍ଧାଭ୍ୟାସ ‘ତ୍ରିଶୂଳ’ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କଡ଼ା ଚେତାବନୀ ପରେ ପଡ଼ୋଶୀ ପାକିସ୍ତାନ ନିଜ ଆକାଶ ସୀମା ବନ୍ଦ କରିଦେଇଛି । ଇସଲାମାବାଦ ଅକ୍ଟୋବର ୨୮ ଏବଂ ୨୯ ପାଇଁ ଏକ NOTAM (ନୋଟିସ୍ ଟୁ ଏୟାରମେନ) ଜାରି କରିଛି। ପାକିସ୍ତାନ ଭାରତର ସାମରିକ ଶକ୍ତିକୁ କେତେ ଭୟ କରେ ଏଥିରୁ ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଛି । ତେବେ ଭାରତର ତିନି ସେନା ମଧ୍ୟରେ ସମରାଭ୍ୟାସ ଅକ୍ଟୋବର ୩୦ରୁ ନଭେମ୍ବର ୧୦ ଯାଏଁ ଚାଲିବ ।
ତ୍ରିଶୂଳ ସମରାଭ୍ୟାସ ସର କ୍ରିକ୍ ଅଞ୍ଚଳରେ ହେବ । ଏଥିଲାଗି ଭାରତ ୨୮ ହଜାର ଫୁଟ୍ ଉଚ୍ଚାତାର ଆକାଶମାର୍ଗକୁ ରିଜର୍ଭ କରିଛି । ଭାରତ ଏବଂ ପାକିସ୍ତାନ ସୀମାକୁ ଲାଗି ଥିବା ଏହି ୯୬ କିଲୋମିଟର ବିସ୍ତିର୍ଣ୍ଣ ଜଳମାର୍ଗ ବହୁ ରଣନୈତିକ ଗୁରୁତ୍ବ ବହନ କରେ ।
ରାଜନାଥ ସିଂହ ଭୁଜ ବାୟୁସେନା ଘାଟିରେ କହିଥିଲେ, ‘ଯଦି ପାକିସ୍ତାନ ସର୍ କ୍ରିକ୍ ଅଞ୍ଚଳରେ କୌଣସି ଗଡ଼ବଡ଼ କରେ, ତେବେ ଏଭଳି ଜବାବ ଦିଆଯିବ ଯାହା ତାର ଇତିହାସ ଏବଂ ଭୂଗୋଳ ଉଭୟକୁ ପରିବର୍ତ୍ତନ କରିଦେବ।’ ଏହି ଯୁଦ୍ଧ ଅଭ୍ୟାସ ପାକିସ୍ତାନ ସୀମା ସଂଲଗ୍ନ ସର କ୍ରିକ ଅଞ୍ଚଳରେ ହେବ। ଭାରତର ଏହି ସମରାଭ୍ୟାସ ସବୁଠାରୁ ବଡ଼ ହେବାକୁ ଯାଉଛି ।
ରାଜସ୍ଥାନର ଭାରତ-ପାକିସ୍ତାନ ସୀମାରେ ୧୨ ଦିନ ଧରି ଅନୁଷ୍ଠିତ ହେବ ସବୁଠାରୁ ବଡ଼ ଯୁଦ୍ଧ ଅଭ୍ୟାସ । ସ୍ଥଳସେନା, ବାୟୁସେନା ଏବଂ ନୌସେନାର ୩୦ ହଜାର ସୈନିକ ମିଳିତ ଯୁଦ୍ଧାଭ୍ୟାସ କରିବେ। ଏହି ଅଭ୍ୟାସ ୩୦ ଅକ୍ଟୋବରରୁ ଆରମ୍ଭ ହୋଇ ୧୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଅଭ୍ୟାସ ସମୟରେ ସୀମାର କିଛି ଅଞ୍ଚଳରେ ବାଣିଜ୍ୟିକ ବିମାନ ଚଳାଚଳ ମାର୍ଗରେ ପରିବର୍ତ୍ତନ ହୋଇପାରେ।