ନୂଆଦିଲ୍ଲୀ,୬।୩: ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ। ଖାଦ୍ୟ ପାଇଁ ଲୋକେ ଡହଳ ବିକଳ। ଅଟା, ଡାଲି, ଚାଉଳ ଓ ପରିବା ଦର ଆକାଶ ଛୁଆଁ। ବଢିବାରେ ଲାଗିଛି ଦାରିଦ୍ର୍ୟତା। ତେବେ ଏହା ଭିତରେ ପାକିସ୍ତାନ ପାଇଁ ଆସିଛି ବଡ଼ ଖୁସି ଖବର । କାଙ୍ଗାଳରୁ ଏବେ ସିଧା ହୋଇଯିବ ଧନୀ। ଦୁର ହୋଇପାରେ ସବୁ ସମସ୍ୟା। ସଞ୍ଜୀବନି ସାଜିଲା ଏକ ନଦୀ। ଯେଉଁଠି ରହିଛି ସୁନାର ଭଣ୍ଡାର । ଆଉ ଏହି ନଦୀ ହେଲା ସିନ୍ଧୁ ନଦୀ। ଯାହା ଭିତରେ ରହିଛି ବିଶାଳ ସୁନାର ଭଣ୍ଡାର। ଯାହାର ମୂଲ୍ୟ ପ୍ରାୟ ୮୦ ହଜାର କୋଟି ଟଙ୍କା ବୋଲି କୁହାଯାଉଛି।
ଏହି ସୁନାକୁ ନଦୀରୁ ବାହାର କରିବାର ଏବେ ଯୋଜନା ଚାଲିଛି। ଯଦି ଏହା ସତ ହୁଏ ତେବେ ପାକିସ୍ତାନର ଅର୍ଥନୀତିକୁ ମିଳିବ ଜୋରଦାର ବୁଷ୍ଟ। ପାକିସ୍ତାନର ପଞ୍ଜାବ ପ୍ରଦେଶର ଅଟକ୍ ଜିଲ୍ଲାରେ ସରକାର ଏକ ସର୍ଭେ କରିଥିଲେ । ଏହି ଖଣି ପ୍ରକଳ୍ପ ସରକାରୀ ଇଞ୍ଜିନିୟରିଂ ସେବା କମ୍ପାନୀ ନ୍ୟାସନାଲ ଇଞ୍ଜିନିୟରିଂ ସର୍ଭିସେସ୍ ପାକିସ୍ତାନ ଓ ପଞ୍ଜାବର ଖଣି ଏବଂ ଖଣିଜ ବିଭାଗ ଦ୍ୱାରା ପରିଚାଳିତ ହେବ । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏହାକୁ ଏକ ଲାଇଫ ଲାଇନ ଭାବେ ବିଚାର କରୁଛି ।
ଭୂବିଜ୍ଞାନୀଙ୍କ ମତରେ ଏହି ସୁନା ସହ ରହିଛି ଭାରତର କନେକ୍ସନ। ହିମାଳୟ ବା ଭାରତର ସିନ୍ଧୁ ନଦୀ ଜରିଆରେ ବୋହି ପାକିସ୍ତାନରେ ଜମା ହୋଇଛି। ବିଭାଜନ ପୂର୍ବରୁ ଏହି ଅଂଶ ଭାରତରେ ଥିଲା, କିନ୍ତୁ ଏବେ ଏହା ପାକିସ୍ତାନର ହୋଇଯାଇଛି। ଏହି ସୁନା ନଦୀରେ ଛୋଟ ଛୋଟ ଟୁକୁଡାରେ ମିଳିଥାଏ। ଲଗାତାର ବୋହିବା କାରଣରୁ ଏହାର କଣିକା ଚେପଟା କିମ୍ବା ଗୋଲ ହୋଇସାରିଛି। ଏହି ସୁନା ଏବେ ପାକିସ୍ତାନର ଭାଙ୍ଗି ଯାଇଥିବା ଆର୍ଥିକ ମେରୁଦଣ୍ଡକୁ ସଳଖ କରିପାରେ। ଯଦି ଖନନ ପ୍ରକଳ୍ପ ସଫଳ ହୁଏ,ତେବେ ପାକିସ୍ତାନର ସୁନା ଉତ୍ପାଦନ ପ୍ରବଳ ବଢିଯିବ। ଦେଶର ସ୍ଥିତି ଖୁବ୍ ମଜବୁତ ହୋଇଯିବ। ଆଗାମୀ କିଛି ମାସରେ ଏହା ସ୍ପଷ୍ଟ ହୋଇଯିବ ସୁନା ପାକିସ୍ତାନକୁ ମିଳୁବ ନା ମାଟି ଭିତରେ ପୋତି ହୋଇ ରହିଯିବ ? ଡିସେମ୍ବର 2024 ସୁଦ୍ଧା ପାକିସ୍ତାନର ସୁନା ଭଣ୍ଡାରର ମୂଲ୍ୟ ୫.୪୩ ବିଲିୟନ ଡଲାର ରହିଥିଲା। କିନ୍ତୁ ବର୍ତ୍ତମାନ ଦେଶ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ହୁଏତ ଏବେ ଏହି ସୁନା ଭଣ୍ଡାର ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ରକ୍ଷା କରିପାରେ ବୋଲି।