ଇସ୍‌ଲାମାବାଦ,୨୧/୦୨: ପାକିସ୍ତାନର ଅଶାନ୍ତ ପ୍ରାନ୍ତ ବେଲୁଚସ୍ତାନରେ ବେଲୁଚ ଲିବରେସନ ଆର୍ମି (ବିଏଲ୍ଏ) ଏକ ଭିଡିଓ ଜାରି କରିଛି । ଏଥିରେ ପାକିସ୍ତାନୀ ସୈନିକ କାନ୍ଦି କାନ୍ଦି ସରକାରଙ୍କୁ ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଛି । ଭିଡିଓରେ ୭ ପାକିସ୍ତାନୀ ସୈନିକଙ୍କୁ ଦେଖାଯାଇଛି । ଜଣେ ସୈନ୍ୟ କାନ୍ଦି କାନ୍ଦି କହୁଛନ୍ତି, ଆମେ ପାକିସ୍ତାନ ପାଇଁ ଲଢ଼ି ଚାଲିଛୁ କିନ୍ତୁ କିନ୍ତୁ ପାକ୍ ସେନା ଆଜି ଆମକୁ ନିଜର ବୋଲି ମାନୁନାହିଁ । ମୋ ପାଖରେ ପାକିସ୍ତାନୀ ସେନାର ଆଇଡି କାର୍ଡ ରହିଛି । କିନ୍ତୁ କାହିଁକି କୁହାଯାଉଛି ଯେ ମୁଁ ପାକିସ୍ତାନୀ ସୈନିକ ନୁହେଁ ।

ବେଲୁଚ ଆର୍ମି ପାକିସ୍ତାନୀ ସୈନ୍ୟଙ୍କୁ ଅପହରଣ କରି କବ୍‌ଜା କରିଥିବା ଦାବି କରି ବନ୍ଦୀ ଅଦଳବଦଳ କରିବା ଲାଗି ପାକ୍ ସରକାରଙ୍କୁ କହିଥିଲା । କିନ୍ତୁ ପାକିସ୍ତାନର କୌଣସି ସୈନ୍ୟ ନିଖୋଜ ନ ଥିବା କିମ୍ବା କୌଣସି ଉଗ୍ରବାଦୀ ସଙ୍ଗଠନ କାହାରିକୁ ବନ୍ଦୀ କରି ନ ଥିବା ସେନା ପକ୍ଷରୁ କୁହାଯାଇଥିଲା । ଏହାକୁ ନେଇ ଏହି ସୈନ୍ୟମାନେ ଭିଡିଓ କରିଛନ୍ତି । ବିଏଲ୍ଏ ଏହି ସୈନ୍ୟଙ୍କୁ ଗତ ୧୪ ତାରିଖରେ ବନ୍ଦୀ କରିଥିଲା । ପାକ୍ କବ୍ଜାରେ ଥିବା ବେଲୁଚ ଲଢ଼ୁଆଙ୍କୁ ଛାଡ଼ିଲେ ଏହି ବନ୍ଦୀମାନଙ୍କୁ ଛଡ଼ାଯିବ ବୋଲି ବିଏଲ୍ଏ ଦାବି କରିଥିଲା । ଏଥିପାଇଁ ବିଏଲ୍ଏ ପାକିସ୍ତାନ ସରକାରଙ୍କୁ ଫେବ୍ରୁଆରୀ ୨୨ ପର୍ଯ୍ୟନ୍ତ ସମୟ ଦେଇଛି । ବିଏଲ୍ଏର ଅଫିସିଆଲ ଚ୍ୟାନେଲ ‘ହକ୍କାଲ’ରେ ଏହି ଭିଡିଓ ଜାରି କରାଯାଇଛି । ଭିଡିଓରେ ସୈନିକମାନେ ଆଣ୍ଠେଇଥିବା ଦେଖାଯାଇଛି ।