ଭୁବନେଶ୍ୱର, ୧।୩ : ହରିରାଜପୁରର ପଶ୍ଚିମା ଶମ୍ଭୁ ସୋମନାଥ ମନ୍ଦିରରେ ରବିବାର ପବିତ୍ର 'ତ୍ରୟୋଦଶୀ ଦର୍ଶନ' ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମି ଥିଲା। ଏଥିରେ  ଗାୟକ ସମୀର ହରିହର ସାମନ୍ତରାୟଙ୍କ ପାଲା 'କୁମାରସମ୍ଭବ' ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପାଲା କଳାକାର ସାମନ୍ତରାୟ ତାଙ୍କ ଦଳ ସହିତ ପଶ୍ଚିମ ଶମ୍ଭୁ ସୋମନାଥ ମନ୍ଦିର ପରିସରରେ ଈଶ୍ୱରୀୟ କବି କାଳିଦାସଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି 'କୁମାରସମ୍ଭବ'ର ଓଡ଼ିଆ କାବ୍ୟିକ ସଂସ୍କରଣ ପରିବେଷଣ କରିଥିଲେ।

ପ୍ରସିଦ୍ଧ ଲୋକ କଳାକାର ସାମନ୍ତରାୟ ଯେକି ଜନସଚେତନତା ଉପରେ ଆଧାରିତ ଷ୍ଟ୍ରିଟ୍ ଶୋ (ପାଲା) ପ୍ରଦର୍ଶନ କରିବାରେ  ବେଶ ସିଦ୍ଧହସ୍ତ,   ଆଗାମୀ ଅଂଶୁଘାତ (ସନଷ୍ଟ୍ରୋକ୍) ବିଷୟରେ ଦର୍ଶକମାନଙ୍କୁ  ପାଲା ମାଧ୍ୟମରେ  ଜାଗ୍ରତ କରିଥିଲେ। ଆଗାମୀ ଦିନରେ କିପରି ମାରାତ୍ମକ ଅଂଶୁଘାତକୁ ରୋକିବା ଏବଂ ପରାସ୍ତ କରିବା ପାଇଁ ସେ କିଛି ସରଳ ଅଭ୍ୟାସ କାବ୍ୟିକ ଟିପ୍ସ ସହିତ ବର୍ଣ୍ଣନା କରିଥିଲେ। ବୃଦ୍ଧ ପିତାମାତା ଏବଂ ବରିଷ୍ଠ ନାଗରିକମାନଙ୍କୁ ଚଳନ୍ତି ଦେବତା ଭାବରେ ସମ୍ମାନ କରିବା ଏବଂ ସେମାନଙ୍କ ସେବା ଯତ୍ନ ନେବା ଉପରେ ପରାମର୍ଶ ଦେଇଥିଲେ ।

​​​​​​​

ସାମନ୍ତରାୟ ତାଙ୍କ ପାଲା ମାଧ୍ୟମରେ ସଡ଼କ ଦୁର୍ଘଟଣା, ଯୌତୁକ ନିର୍ଯାତନା, ଗୁଣିଗାରେଡି, HIV ଏଡସ୍, ବହୁବିବାହ, ମହିଳାଙ୍କ ପ୍ରତି ନିଷ୍ଠୁରତା, ପରିବେଶ ପ୍ରଦୂଷଣ ଏବଂ ସାମ୍ପ୍ରଦାୟିକ ସଦ୍ଭାବନା ଭଳି ସାମାଜିକ ସମସ୍ୟାଗୁଡ଼ିକ ଉପରେ  ଗୁରୁତ୍ୱାରୋପ କରିଥିଲେ । 

ପୁରୀ ଜିଲ୍ଲାର ପିପିଲି ବ୍ଲକ ବାରିମୁଳ ଗ୍ରାମର ବାସିନ୍ଦା ସାମନ୍ତରାୟ ଓଡ଼ିଆ ସାହିତ୍ୟ ଏବଂ ସାଂସ୍କୃତିକ ଐତିହ୍ୟକୁ ତାଙ୍କର ଶ୍ରେଷ୍ଠତା ପ୍ରଦାନ କରିଆସୁଛନ୍ତି। ତାଙ୍କର ସଂଗୀତ ଉତ୍କର୍ଷତା ପାଇଁ ତାଙ୍କୁ ଅନେକ ସାଂସ୍କୃତିକ ସଂଗଠନ ଦ୍ୱାରା କଣ୍ଠ ରତ୍ନ, କଳାନିଧି ଏବଂ ଗାୟକ ସୁଧାଂଶୁ ଭାବରେ ପୁରସ୍କୃତ କରାଯାଇଛି। ପାଲା ପରମ୍ପରାକୁ ସଂରକ୍ଷଣ କରିବା ସହିତ, ସାମନ୍ତରାୟ ଓଡ଼ିଆ ଭାଷା ସାହିତ୍ୟର ବିକାଶ କରିଛନ୍ତି।  ପ୍ରଭୁ ଜଗନ୍ନାଥ ଏବଂ ମାନବ-ମୂଲ୍ୟବୋଧ ଉପରେ ଆଧାରିତ ଆଧ୍ୟାତ୍ମିକ ପୁସ୍ତକ ରଚନା କରିବାରେ ମନୋନିବେଶ  କରିଛନ୍ତି।  ତାଙ୍କର ସୃଷ୍ଟି 'ଭକ୍ତି ପଞ୍ଚାମୃତ' ଏବଂ 'ମାନବ ଦର୍ପଣ' ଅମାପ ପାଠକଙ୍କ ପ୍ରଶଂସା ଓ  ସ୍ୱୀକୃତି ପାଇଛି।