ପାଳଲହଡ଼ା, ୧୬/୦୩ (ଦ୍ୱିଲୋକ ରଞ୍ଜନ ପାଲ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗଡ଼ଜାତ ଆନ୍ଦୋଳନର ପୁରୋଧା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଦୃଷ୍ଟିରେ ‘ମାଲ୍ୟଗିରି’ ହେଉଛି ଉତ୍କଳର ଶିରୀ । କବିବର ରାଧାନାଥ ରାୟ ମଧ୍ୟ ‘ମାଲ୍ୟଗିରି’ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଅଭିଭୂତ । ରାଜ୍ୟର ତୃତୀୟ ଉଚ୍ଚତମ ପର୍ବତମାଳା ଏହି ‘ମାଲ୍ୟଗିରି’ ପାଳଲହଡ଼ାର ପରିଚୟ ପାଲଟିଛି ।
ମାଲ୍ୟଗିରି ପର୍ବତ ପାଳଲହଡ଼ାର ପୂର୍ବାଞ୍ଚଳରେ ପରିବ୍ୟାପ୍ତ । ଏହା ଓଡ଼ିଶାର ତୃତୀୟ ଉଚ୍ଚତମ ପର୍ବତର ମାନ୍ୟତା ପାଇଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୩ ହଜାର ୮୯୬ ଫୁଟ୍ । ଏହା ଉତ୍ତରରୁ ଦକ୍ଷିଣକୁ ପ୍ରାୟ ୨୨ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ମାଲ୍ୟଗିରି ପର୍ବତର ଉତ୍ତର ପୂର୍ବରେ ଖୁଲୁଡ଼ିସ୍ଥିତ ବାବା ଗିରିଶ୍ୱର ମନ୍ଦିର ରହିଥିବା ବେଳେ ଦକ୍ଷିଣ ପୂର୍ବାଞ୍ଚଳ ମଗରମୁହାଁଣ ନାମରେ ପରିଚିତ । ଉଭୟ ପର୍ଯ୍ୟଟନ ସ୍ଥଳ ଭାବରେ ମାନ୍ୟତା ପାଇଛି । ବର୍ଷ ତମାମ୍ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ବେଳେ ପର୍ବପର୍ବାଣୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ମାଲ୍ୟଗିରିର ମଧ୍ୟାଞ୍ଚଳ ଓ ଦକ୍ଷିଣାଞ୍ଚଳ ତୁଳନାତ୍ମକ ଭାବରେ ସମତଳ, ଭଙ୍ଗିଳ ପର୍ବତ ତଥା ଛୋଟବଡ଼ ପାହାଡ଼ ଦ୍ୱାରା ପରିବେଷ୍ଟିତ ହୋଇରହିଛି । ମାଲ୍ୟଗିରି ପାଦଦେଶରେ ଶବର, ମୁଣ୍ଡା ଆଦି ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି ।
ଏହି ପର୍ବତମାଳା କ୍ଷେତ୍ରଫଳ ପ୍ରାୟ ୧୩୦୦ ବର୍ଗ କିଲୋମିଟର, ବିଭିନ୍ନ ଔଷଧୀୟ ବୃକ୍ଷରେ ପରିପୂର୍ଣ୍ଣ । ପର୍ବତ ଶିଖରରେ ପ୍ରାୟ ଦୁଇ ଏକର ପରିମିତ ସ୍ଥାନରେ ନାଗେଶ୍ୱର ବଣ ରହିଥିବାରୁ ଲୋକଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଥାଏ । ମାଲ୍ୟଗିରିର ଉଚ୍ଚତା ଓ ବିଶାଳତା ଅନେକଙ୍କୁ ଆକୃଷ୍ଟ କରିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଏହାର ଗୁରୁତ୍ୱକୁ ବୃଦ୍ଧି କରିଛି । ଦେବଗଡ଼ ବନଖଣ୍ଡ, ପାଳଲହଡା ବନାଞ୍ଚଳର ଏହି ପାହାଡ଼ ମଧ୍ୟଭାଗରେ ହାତୀ, ମହାବଳ ବାଘ ସହ ଜଙ୍ଗଲ ଜନ୍ତୁ, ପକ୍ଷୀ ଓ ସରୀସୃପଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି ।
ବନ ବିଭାଗ ପକ୍ଷରୁ ୨୦୨୪-୨୫ବର୍ଷରେ ମାଲ୍ୟଗିରି ପର୍ବତ ଅଞ୍ଚଳରେ ୩୦ ହଜାରରୁ ଊଦ୍ଧ୍ୱର୍ ଚାରା ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି ନିମନ୍ତେ ପ୍ରୟାସ କରାଯାଇଛି । ପାଳଲହଡ଼ା ବନ ବିଭାଗ ପକ୍ଷରୁ ଜେନାପଶି, କୁମ୍ଭେବାହାଳ, ସୋଲଡ଼ା, ସମ୍ବଳ, ବୁଦାପଶି, କେରଜେଙ୍ଗା, ଇଲିସୁଆଁ ଓ ମୁକ୍ତାପୁର, ଖମାର ବନାଞ୍ଚଳ ଅନ୍ତର୍ଗତ ବାଲିପଶି, ରୋହିଲା, କୁରୁମୂଳା, ପଦାପଶି, ବଜୋ, ନୂଆଗାଁ, ଭେଟିଆ, ସାପଝରା, ବୀରାଳମୁଣ୍ଡା ଗ୍ରାମରେ ବନ ସୁରକ୍ଷା ସମିତି ଗଠନ କରାଯାଇ ଜଙ୍ଗଲକୁ ସୁରକ୍ଷା ଦିଆଯାଇଆସୁଛି । ବନବାସୀଙ୍କ ଜୀବନଜୀବିକା ପ୍ରଭାବିତ ନକରି ଜଙ୍ଗଲ ସମ୍ପଦ ସୁରକ୍ଷିତ ରଖିବା ଦିଗରେ ସଚେତନ କରାଯାଇଆସୁଛି । ଏହାଦ୍ୱାରା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଜଙ୍ଗଲରେ ନିଆଁର ପ୍ରଭାବ ୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ବୋଲି ପାଳଲହଡା ବନାଞ୍ଚଳ ଅଧିକାରୀ ଶିଶିର କୁମାର ଦଳାଇ ପ୍ରକାଶ କରିଛନ୍ତି ।